
ଧର୍ମଶାଳା, ଯାଜପୁର ଜିଲା ଧର୍ମଶାଳାର ଐତିହ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ ରଖିବା ଲକ୍ଷ୍ୟ ନେଇ ରବିବାର ସନ୍ଧ୍ୟାରେ ଜାରକା ଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ୧୮ତମ ଧର୍ମଶାଳା ମହୋତ୍ସବ ଉଦଘାଟିତ ହୋଇଯାଇଛି। ଧର୍ମଶାଳା ମହୋତ୍ସବ ପୂଜା କମିଟି ପକ୍ଷରୁ ଅନୁଷ୍ଠିତ ଏହି ଉଦଘାଟନୀ ସନ୍ଧ୍ୟାରେ ଶକ୍ତି, ଶିଳ୍ପ ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ପ୍ରତାପ ଦେବ ଯୋଗଦେଇ ମହୋତ୍ସବକୁ ଉଦଘାଟନ କରିଥିଲେ ।
କଳା, ସାହିତ୍ୟ, ସଂସ୍କୃତିର ପୀଠ ହେଉଛି ଧର୍ମଶାଳା । ବିଗତ ଦଶନ୍ଧି ହେଲାଣି ମହୋତ୍ସବ ଅନୁଷ୍ଠିତ ହେଉଛି । ବୌଦ୍ଧକିର୍ତୀରାଜି ପାଇଁ ଭାରତ ବର୍ଷରେ ଧର୍ମଶାଳା ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛି । ମେଳା ଯାତ୍ରା ଓ ଉତ୍ସବ ଆମ ପରମ୍ପରା ଓ ଚଳଣି ସହିତ ସମନ୍ୱୟ ରକ୍ଷା କରି ମହୋତ୍ସବ ଅନୁଷ୍ଠିତ ହେଉଛି । ଧର୍ମଶାଳା ଇତିହାସର ଗବେଷଣାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ପ୍ରତାପ ଦେବ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥିଭାବେ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ଯୋଜନା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ମହୋତ୍ସବ ମାଧ୍ୟମରେ ଆମର ଲୋକକଳା, ହସ୍ତଶିଳ୍ପ, ପାରମ୍ପରିକ ନୃତ୍ୟଗୀତ ପୁନଃବିନ୍ୟାସ ହେଉଛି । ମହେତ୍ସବ ଯୋଗୁ ବନ୍ଧୁତ୍ଵ, ଭାଇଚାରା ବଢିଥାଏ । ସ୍ଥାନୀୟ କଳାକାର, ସାହିତ୍ୟିକ ମାନଙ୍କୁ ଲୋକାଲୋଚନକୁ ଅଣାଯାଇ ନିଆରା ଢଙ୍ଗରେ ସମ୍ମାନୀତ କରାଯିବା ଅତି ଆନନ୍ଦର କଥା ବୋଲି ମନ୍ତ୍ରୀ ଶ୍ରୀ ସାହୁ ମତବ୍ୟକ୍ତ କରିଥିଲେ ।
ମହୋତ୍ସବ ପୂଜା କମିଟିର ସଭାପତି ଜଳଧକ୍ଷା ମହାନ୍ତିଙ୍କ ସଭାପତିତ୍ଵରେ ଏହି ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥିଭାବେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଯୋଗଦେଇ ଧର୍ମଶାଳା ମହୋତ୍ସବ ଗଣପର୍ବରେ ପରିଣତ ହୋଇଛି । ଜିଲାସ୍ତରରେ ଜିଲା ମହୋତ୍ସବ ହେଉଥିବା ବେଳେ ଧର୍ମଶାଳାରେ ବେସରକାରୀ ଭାବେ ମହୋତ୍ସବ ଆୟୋଜନ କରାଯାଇ ବେପାର ବଣିଜ, ବନ୍ଧୁ ମିଳନ ଓ ବିଭିନ୍ନ ସମ୍ପ୍ରଦାୟ ପ୍ରତି ଭାଇଚାରା ସୃଷ୍ଟି କରାଯାଉଥିବା ସମଗ୍ର ରାଜ୍ୟରେ ଉଦାହାରଣ ପାଲଟିଛି । ଏହି ମହୋତ୍ସବ ୧୨ ଦିନ ଧରି ଚାଲିବ । ବିଭିନ୍ନ ଦିବସରେ ଅନୁଷ୍ଠାନ ପକ୍ଷରୁ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ବୋଲି ଜଣାପଡିଛି । ସଭ୍ୟ ସବ୍ୟସାଚୀ ସୁନ୍ଦରାୟ ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ସତ୍ୟପ୍ରୀୟ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । କୋଷାଧ୍ୟକ୍ଷ ସୁଦୀପ୍ତ କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଚଣ୍ଡିଖୋଲ ବିଣାପାଣି କଳା ପରିଷଦ ଓ ପୁରୀର ଲିଙ୍ଗରାଜ କଳାନିକେତନ କଳାକାରମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଧର୍ମଶାଳା ଥାନା ଓ ଜାରକା ବିଟ୍ ହାଉସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।