
କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଅବକାରୀ ବିଭାଗର ସବ୍ଇନିସ୍ପେକ୍ଟର ପୁନେନ୍ଦୁ ରାଉତଙ୍କୁ କେନ୍ଦ୍ରାପଡା ପୋଲିସ୍ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି । ଜଣେ ବ୍ୟକ୍ତିଙ୍କ ନାମରେ ଥିବା ବାର୍ ଲାଇସେନ୍ସ ତାଙ୍କର ମୃତ୍ୟୁ ପରେ ମଧ୍ୟ ନବୀକରଣ କରାଯାଇଥିଲା । ଅଭିଯୁକ୍ତ ରାଉତ ଏହା ଜାଣିଥିଲେ ମଧ୍ୟ ଇଜିରାଦାରଙ୍କ ପ୍ରରୋଚନାରେ ମୃତ ବ୍ୟକ୍ତିଙ୍କ ନାମରେ ବାର୍ ଲାଇସେନ୍ସ ନବୀକରଣ କରାଇବାରେ ସହଯୋଗ କରିଥିଲେ । ଘଟଣା ମୁତାବକ କେନ୍ଦ୍ରାପଡା ସହରର ଜଣେ ଜଣାଶୁଣା ମଦ ଦୋକାନ ମାଲିକ ଜିଲ୍ଲାର ବିଭିନ୍ନ ଅଂଚଳରେ ୭/୮ଟି ମଦ ଦୋକାନ ନିଜ ପରିବାର ଲୋକଙ୍କ ନାମରେ ମାଲିକାନା ରଖିଥିଲେ । ସେମାନଙ୍କ ମଧ୍ୟରେ ତାଙ୍କ ଭାଉଜ ସାବିତ୍ରୀ ପ୍ରିୟମ୍ବଦା ପ୍ରିୟଦର୍ଶନୀଙ୍କ ନାମରେ ୫ ନମ୍ବର (କ) ଜାତୀୟ ରାଜପଥର ଗୋପଛକ ନିକଟରେ ଏକ ମଦ ବାର୍ ଲାଇସେନ୍ସ ହାସଲ କରିଥିଲେ । ତେବେ ୨୦୧୬ ମସିହାରେ ସାବିତ୍ରୀଙ୍କର ମୃତ୍ୟୁ ଘଟିଥିଲା । ନିୟମ ମୁତାବକ ଲାଇସେନ୍ସ ଧାରୀଙ୍କ ମୃତ୍ୟୁ ଘଟିଲେ ସଂପୃକ୍ତ ଲାଇସେନ୍ସ ବାତିଲ୍ ହୋଇଯିବା କଥା ମାତ୍ର ସାବିତ୍ରୀଙ୍କ ନାମରେ ଥିବା ମଦ ଦୋକାନକୁ ଚାଲୁ ରଖିବା ପାଇଁ ଦୋକାନର ପ୍ରକୃତ ମାଲିକ ଅବକାରୀ ବିଭାଗର ସହାୟତା ନେଇଥିଲେ । ଏଥିରେ ଏଏସ୍ଆଇ ପୂର୍ଣ୍ଣନ୍ଦୁ ପୂର୍ଣ୍ଣ ସହଯୋଗ କରି ଲାଇସେନ୍ସ ଧାରୀର ମୃତ୍ୟୁ ଘଟିଥିଲେ ମଧ୍ୟ ତାଙ୍କୁ ଜିବିତ ଦର୍ଶାଇ ବାର୍ ଲାଇସେନ୍ସ ନବୀକରଣ ପାଇଁ ସୁପାରିଶ କରିବାରୁ ମରିବା ପରେ ମଧ୍ୟ ସାବିତ୍ରୀଙ୍କ ନାମରେ ଲାଇସେନ୍ସ ଜାରି ହୋଇ ଦୋକାନ ଚାଲୁ ରହିଥିଲା । ତେବେ ତକ୍ରାଳୀନ ଜିଲ୍ଲାପାଳଙ୍କ ନିକଟରେ ଏହାର ଅଭିଯୋଗ ହେବାରୁ ଘଟଣାର ତଦନ୍ତ କରାଯାଇ ମଦ ଦୋକାନକୁ ସିଲ୍ କରାଯାଇଥିଲା । ଏନେଇ ତକ୍ରାଳୀନ ଅବକାରୀ ଅଧିକ୍ଷକ ରାହାସ ବିହାରୀ ପାତ୍ର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ପୋଲିସ୍ ୧୦୨/୧୮ ରେ ଦଫା ୪୨୦, ୪୬୭, ୪୬୮, ୪୭୪ ନେଇ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା । ତେବେ ଏଥିରେ ସଂପୃକ୍ତ ଥିବା ଜଣାପଡିବା ପରେ ଅବକାରୀ ଏଏସ୍ଆଇ ପୂର୍ଣ୍ଣେନ୍ଦୁ ରାଉତଙ୍କୁ ଅବକାରୀ କାର୍ଯ୍ୟାଳୟରୁ ଗିରଫ କରି କୋର୍ଟ ଚାଲାଣ କରିଛ । ତେବେ ଏହି ମାମଲାରେ ଅନ୍ୟ ଜଣେ ଅଭିଯୁକ୍ତ ପୂର୍ବରୁ ଜାମିନ୍ରେ ଆସିଥିବା ଜଣାପଡିଛି ।