-
ଗିରଫ ଓକିଲ, ଓକିଲ ସଂଘର ପ୍ରତିନିଧି, ବିଭିନ୍ନ ନାଗରିକ ସଂଗଠନର କର୍ମକର୍ତା, ସ୍ଥାନୀୟ କୋର୍ଟର ବିଚାରପତିଙ୍କ ସମେତ ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଆଲୋଚନା କରିବେ ପ୍ରତିନିଧି ଦଳ
-
ପ୍ରତିନିଧି ଦଳରେ ଅଛନ୍ତି ୫ସାଂସଦ ଓ ୭ ବିଧାୟକ
-
ଏଭଳି ପରିସ୍ଥିତିରେ ଏବେ ବି ମୁଖ୍ୟମନ୍ତ୍ରୀଙ୍କ ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ
ଭୁବନେଶ୍ୱର, ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବୀ ଭଳି ଏକ ସ୍ପର୍ଶକାତରତା ପ୍ରସଙ୍ଗରେ ରାଜ୍ୟ ସରକାର ତାଙ୍କ ଦାୟୀତ୍ୱ ତୁଲାଇ ନାହାନ୍ତି । ରାଜ୍ୟ ସରକାରଙ୍କ ବିଳମ୍ବ ନୀତି କାରଣରୁ ହିଂସା ଉପୁଜିଲା । ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ । ସମ୍ବଲପୁରରେ ଯେଉଁ ପରିସ୍ଥିତି ଉପୁଜିଲା, ତାକୁ ଏଡାଇ ଦିଆଯାଇ ପାରିଥାନ୍ତା । ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇଥିଲେ ଏଭଳି ପରିସ୍ଥିତି ହୋଇନଥାନ୍ତା । ସ୍ଥାୟୀ ବେଂଚ ପ୍ରତିଷ୍ଠା ପ୍ରସଙ୍ଗରେ ବର୍ତମାନ ସୁଦ୍ଧା ପୁର୍ଣ୍ଣାଙ୍ଗ ରିପୋର୍ଟ ଦେଇନାହାନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ବହୁବାର ସଂସଦରେ ନିଜର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ଚିଠିର ଉତର ରାଜ୍ୟ ସରକାର ଦେଲେ ନାହିଁ । ରାଜ୍ୟ ସରକାରଙ୍କ ନୀରବତା ଏବଂ ନିଷ୍ଠାର ଅଭାବ କାରଣରୁ ଗତ ୧୨ତାରିଖ ସମ୍ବଲପୁରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଆନ୍ଦୋଳନରତ ସଂଖ୍ୟାଧିକ ଆଇନିଜୀବୀଙ୍କୁ ପୋଲିସ ଗିରଫ କରିଛି । ଅନେକ ଓକିଲଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହିତ ଗିରଫ ମଧ୍ୟ କରାଯାଉଛି । ଏହି କାରଣରୁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି ଏବଂ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଏବେ ବି ମୁଖ୍ୟମନ୍ତ୍ରୀଙ୍କ ନୀରବ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ସମ୍ବଲପୁରର ଓକିଲ ଆନ୍ଦୋଳନ ପରିସ୍ଥିତି ଅନୁଧ୍ୟାନ ନିମନ୍ତେ ଆସନ୍ତା ୨୭ତାରିଖ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସମ୍ବଲପୁର ଗସ୍ତ କରିବ । ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀରେ ସମ୍ବଲପୁର ସାଂସଦ ସୁରେଶ ପୂଜାରୀ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ବଲାଙ୍ଗିର ସାଂସଦ ସଙ୍ଗିତା କୁମାରୀ ସିଂହଦେଓ, ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ବିରୋଧୀ ଦଳର ନେତା ଜୟ ନାରାୟଣ ମିଶ୍ର, ବିଧାୟକ ନାଉରୀ ନାଏକ, ଭବାନୀଶଙ୍କର ଭୋଇ, ସୁବାଷ ପାଣିଗ୍ରାହୀ, ମୁକେଶ ମହାଲିଙ୍ଗ, ଶଙ୍କର ଓରାମ, କୁସୁମ ଟେଟେ ପ୍ରମୁଖ ୫ସାଂସଦ ଓ ୭ବିଧାୟକ ସାମିଲ ଅଛନ୍ତି ।
ଏହି ଗସ୍ତ ଅବସରରେ ପ୍ରତିନିଧିମଣ୍ଡଳ ସଦସ୍ୟମାନେ ଗିରଫ ହୋଇ ଜେଲ୍ରେ ଥିବା ଓକିଲମାନଙ୍କୁ ଭେଟିବେ । ଏହା ପରେ ବିଭିନ୍ନ ଓକିଲ ସଂଘର ପଦାଧିକାରୀ ଓ ପ୍ରତିନିଧି ଏବଂ ସ୍ଥାନୀୟ ବିଭିନ୍ନ ନାଗରିକ ସଂଗଠନର କର୍ମକର୍ତାଙ୍କୁମାନଙ୍କୁ ଭେଟିବେ । ଗସ୍ତ ଅବସରରେ ପ୍ରତିନିଧି ଦଳର ସଦସ୍ୟମାନେ ସ୍ଥାନୀୟ କୋର୍ଟର ବିଚାରପତିମାନଙ୍କୁ ଭେଟିବା ସହିତ ଘଟଣା ସଂପର୍କରେ ସମ୍ବଲପୁର ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ଆଲୋଚନା କରିବେ ବୋଲି ସାଂସଦ ଶ୍ରୀ ସୁରେଶ ପୁଜାରୀ ସୁଚନା ଦେଇଛନ୍ତି ।