ଭୁବନେଶ୍ୱର, ବିଶ୍ୱକପ୍ ହକି ଟ୍ରଫି ଆଜି ଓଡିଶା ଫେରିଛି । ୧୩ଟି ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳ ବୁଲି ଏହି ଟ୍ରଫି ଆଜି ଭୁବନେଶ୍ବରରେ ପହଂଚିଛି । ଟ୍ରଫିକୁ ସ୍ୱାଗତ କରିବାକୁ ହକି ଇଣ୍ଡିଆର ସଭାପତି ଦିଲୀପ ତୀର୍କି , କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ ବିମାନବନ୍ଦରରେ ପହଞ୍ଚିଥିଲେ। ଏହାଛଡ଼ା କ୍ରୀଡ଼ା ବିଭାଗର ଅଧିକାରୀ ଓ ଅନ୍ୟ କର୍ପୋରେଟରମାନେ ବିବମାନବନ୍ଦରରେ ଉପସ୍ଥିତ ଥିଲେ। ସେମାନେ ଏହି ଟ୍ରଫିକୁ ଭୁବନେଶ୍ୱର ମହାନଗର ନିଗମକୁ ବିଶ୍ୱକପ୍ ଟ୍ରଫି ହସ୍ତାନ୍ତର କରିଛନ୍ତି।
ଟ୍ରଫିକୁ କ୍ରୀଡ଼ାମନ୍ତ୍ରୀ ଭୁବନେଶ୍ୱର ମେୟରଙ୍କୁ ହସ୍ତାନ୍ତର କରିବା ପରେ ଏହାକୁ ରାଜଧାନୀରେ ପରିକ୍ରମା କରାଯାଇଛି । କଡ଼ା ସୁରକ୍ଷା ଭିତରେ ଟ୍ରଫିକୁ ବାଇକ ରାଲିରେ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା।
ଆଜିଠୁ ଏହି ଟ୍ରଫି ଓଡ଼ିଶାର ସବୁ ଜିଲ୍ଲା ପରିକ୍ରମା କରିବ । ସୁନ୍ଦରଗଡ଼ରେ ଏହି ବିଶ୍ୱକପ ଟ୍ରଫି ୧୭ଟି ବ୍ଲକ୍ ପରିକ୍ରମା କରିବ । ଏହାଦ୍ବାରା ଲୋକଙ୍କ ମଧ୍ୟରେ ଉତ୍ସାହ ବଢ଼ିବ ବୋଲି ମନେ କରାଯାଉଛି ।
ଗତ 21 ଦିନ ମଧ୍ୟରେ ଏହି ହକି ବିଶ୍ବକପ ଟ୍ରଫି ଦେଶର ୧୩ ସହର ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ପରିକ୍ରମା କରିସାରିଛି । ପଶ୍ଚିମବଙ୍ଗ, ମଣିପୁର, ଆସାମ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ, ପଞ୍ଜାବ, ହରୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଛତିଶଗଡ଼ ଯାଇ ସାରିଛି ।
ଉଲ୍ଲେଖନୀୟ ଯେ ୧୩ ତାରିଖରୁ ଆରମ୍ଭ ହେଉଛି ଓଡ଼ିଶା ପୁରୁଷ ହକି ବିଶ୍ବକପ । ଏଥିରେ ୧୬ଟି ଟିମ୍ ଅଂଶଗ୍ରହଣ କରିବେ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ବିଶ୍ୱକପର ସମସ୍ତ ମ୍ୟାଚ ।