
ଗଞ୍ଜାମ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ବ୍ୟାଙ୍କ ସମୂହ ଅର୍ଥ ପରାମର୍ଶଦାତା କମିଟୀର ଅନ୍ ଲାଇନ୍ ମାଧ୍ୟମରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ବ୍ୟାଙ୍କ ଗୁଡିକ ଋଣ ପ୍ରଦାନ ଲକ୍ଷ୍ୟ ପୂରଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ଵାରୋପ କରିଛନ୍ତି । ଜିଲ୍ଲାରେ ବିଭିନ୍ନ ବ୍ୟାଙ୍କ ର ମୋଟ୍ ୪୨୭ ଟି ଶାଖା ରହିଛି । ଚଳିତ ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତ ଶାଖାରେ ୨୪ ହଜାର ୧୧୯ କୋଟି ଟଙ୍କା ଜମା ସଂଗ୍ରହ କରାଯାଇଥିବା ବେଳେ ୧୫ ହଜାର ୯୫୪ କୋଟି ଋଣ ପ୍ରଦାନ ହୋଇଛି । ଲକ୍ଷ୍ୟଧାର୍ଯ୍ୟର ୬୬ ପ୍ରତିଶତ ଋଣ ପ୍ରଦାନ କରାଯାଇଛି ।
ସେହିପରି ଚଳିତ ଖରିଫ ଋତୁରେ ମୋଟ୍ ୬୩ ଲକ୍ଷ ୨ ହଜାର ୫୫୫ ଚାଷୀ କୃଷିବୀମାରେ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ୭ ହଜାର ୩୪୪ ଜଣ ଅଣକୃଷି ବୀମାଭୁକ୍ତ ହୋଇଛନ୍ତି । ଏବଂ ୫୭ ହଜାର ୨୭୩ ହେକ୍ଟର ଜମି ବୀମାଭୁକ୍ତ ହୋଇଛି । ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ବ୍ୟାଙ୍କ ଗୁଡିକ ଦ୍ଵାରା ଫସଲ ଋଣ ବାବଦରେ ୧୨୩୨ କୋଟି, ଛୋଟ ଓ ମଧ୍ୟମ ଶିଳ୍ପ କ୍ଷେତ୍ରରେ ୧୫୭୫ କୋଟି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ୩୫୫ କୋଟି ଋଣ ପ୍ରଦାନ କରାଯାଇଛି । ଏହା ସହ ୧୮ ହଜାର ୯୪୪ ସ୍ଵୟଂ ସହାୟକ ଗୋଷ୍ଠିଙ୍କୁ ୫୦୬.୪୪ କୋଟି ଋଣ ପ୍ରଦାନ କରାଯାଇଥିବା ବେଳେ ବଳରାମ ଯୋଜନାରେ ୧୫ ହଜାର ୨୫୦ ଜଣ ଭାଗଚାଷୀଙ୍କୁ ୧୨୮.୨୬ କୋଟି ଟଙ୍କାର ଋଣ ମଞ୍ଜୁର କରାଯାଇଥିବା ସୂଚନା ମିଳିଛି ।
ଏହି ବୈଠକରେ ବିଭିନ୍ନ ସରକାରୀ ବିଭାଗର ପଦାଧିକାରୀଙ୍କ ସମେତ ସରକାରୀ ଓ ବେସରକାରୀ ବ୍ୟାଙ୍କ ର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶେଷରେ ଗଞ୍ଜାମ ଏଲ.ଡି.ଏମ. ଅଶୋକ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।