ଗଞ୍ଜାମ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ଜଣେ ଛାତ୍ରୀ ହଠାତ୍ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ତିନି ଦିନ ହେଲା ସେ ଥଣ୍ଡା, ଜ୍ଵରରେ ପୀଡ଼ିତ ହେବା ସହ ଅସୁସ୍ଥ ଥିଲେ । ଗତକାଲି ରାତିରେ ଅଧିକ ଅସୁସ୍ଥତା ଅନୁଭବ କରିବାରୁ ବିଶ୍ଵବିଦ୍ୟାଳୟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତି କରାଯାଇଥିଲା । ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥତା ଅନୁଭବ କରିବା ପରେ ସେ ଛାତ୍ରୀନିବାସ (ହଷ୍ଟେଲ)କୁ ଫେରିଥିଲେ । ହେଲେ ଆଜି ପୁଣି ଥରେ ସମ୍ପୃକ୍ତ ଛାତ୍ରୀ ଜଣକ ଅସୁସ୍ଥ ଅନୁଭବ କରିବା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ଯାଇ ନିଜର ରକ୍ତ ପରୀକ୍ଷା କରାଇଛନ୍ତି । ଡ଼ାକ୍ତର ପରାମର୍ଶ ସହ ଔଷଧ ଧରି ଫେରିଛନ୍ତି ।
ପ୍ରକାଶ ଥାଉ କି, ଗତ ୧୪ ତାରିଖରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଜଣେ ଛାତ୍ରୀ ଜ୍ଵରରେ ପୀଡ଼ିତ ହୋଇ ପ୍ରାଣ ହରାଇଥିଲେ । ଏବେ ହଷ୍ଟେଲର ବହୁ ଛାତ୍ରୀଙ୍କୁ ଥଣ୍ଡା ସହ ଜ୍ଵର ହୋଇଥିବା ସୂଚନା ମିଳିଛି ।