
ଗଞ୍ଜାମ,ଦୀର୍ଘ ଦୁଇ ବର୍ଷ ପରେ ବେଶ୍ ଧୁମଧାମରେ ଆୟୋଜନ ହେବାକୁ ଯାଉଛି ଗୋପାଳପୁର ବେଳାଭୂମି ମହୋତ୍ସବ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସି ଗୋପାଳପୁରରେ ପହଂଚିଲେଣି । ଏଥର ଜିଲ୍ଲା ପ୍ରଶାସନ ପକ୍ଷରୁ ମହୋତ୍ସବର ଆୟୋଜନ କରାଯାଉଛି । ଖ୍ରୀଷ୍ଟମାସ ସହିତ ଗୋପାଳପୁର ବେଳାଭୂମି ମହୋତ୍ସବର ମଜା ଉଠାଇବା ପାଇଁ ଗଞ୍ଜାମ ଜିଲ୍ଲା ତଥା ବ୍ରହ୍ମପୁର ସହରବାସୀ ଅପେକ୍ଷା କରି ରହିଛନ୍ତି । ମହୋତ୍ସବ ମଂଚ ଦୁଲୁକେଇବା ପାଇଁ ଓଲିଉଡ଼୍ ଓ ବଲିଉଡ଼୍ ର ବହୁ ଖ୍ୟାତନାମା କଳାକାରଙ୍କୁ ନିମନ୍ତ୍ରଣ କରାଯାଇଛି । ଚଳିତ ବର୍ଷ ବଲିଉଡ଼ର ଜଣାଶୁଣା କଣ୍ଠଶିଳ୍ପୀ ଜାଭେଦ ଅଲ୍ଲୀ ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିବେ । ସେହିପରି ତାଙ୍କ ସହିତ ଅନ୍ୟ ଖ୍ୟାତନାମା କଳାକାର ଓ କଣ୍ଠଶିଳ୍ପୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଥି ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି ସଂନ୍ଧ୍ୟାରେ ମହୋତ୍ସବର ଶୁଭାରମ୍ଭ ହେବ । ଏବଂ ଆସନ୍ତା ୨୮ ତାରିଖରେ ଏହାର ଉଦଯାପନ ହେବ । ୫ ଦିନ ବ୍ୟାପୀ ଆୟୋଜିତ ହେବାକୁ ଥିବା ଏହି ଉତ୍ସବରେ ମୁଖ୍ୟ ଅତିଥି ତଥା ଉଦଘାଟକ ଭାବେ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଦିଗପହଣ୍ଡି ବିଧାୟକ ଡଃ. ସୂର୍ଯ୍ୟନାରାୟଣ ପାତ୍ର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସାଂସ୍କୃତିକ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ସ୍ଥାନୀୟ କଳା ସଂସ୍କୃତିର ଝଲକ୍ ସହିତ କଳାକାରଙ୍କ ନୃତ୍ୟ ସଙ୍ଗୀତ ଦେଖିବାକୁ ମିଳିବ । ଏହା ସହିତ କେରଳର କଥକଲି, ଓଡ଼ିଶାର ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟ ଦେଖିବାକୁ ମିଳିବ । ଓଲିଉଡ଼୍ ଷ୍ଟାର ମଂଟୁ ଛୁରିଆ, ଦିପ୍ତୀରେଖା ପାଢ଼ୀ, ଶ୍ରୀତମ ନନ୍ଦ, ହାସ୍ୟ ଅଭିନେତା ପ୍ରଜ୍ଞା ଶଙ୍କରଙ୍କ କାର୍ଯ୍ୟକ୍ରମ ରହିଛି ।
ସେହିପରି ଜଣାଶୁଣା କଣ୍ଠଶିଳ୍ପୀ ସୋନା ମହାପାତ୍ର, ଅରମାନ ମଲ୍ଲିକ ମଂଚରେ ସଙ୍ଗୀତ ପରିବେଷଣ କରିବେ । ଏଥି ସହିତ ହାସ୍ୟ ଅଭିନେତା ସୁନିଲ ଗ୍ରୋଭରଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କୁ ମୁଗ୍ଧ କରିବ ବୋଲି ଆଶା କରାଯାଉଛି ।