
ବୌଦ୍ଧ, ବୌଦ୍ଧ ଜିଲ୍ଲା ଷ୍ଟାଡିୟମ ଦୀର୍ଘଦିନ ହେଲା ନିର୍ମାଣ ସରିଥିଲେ ମଧ୍ୟ ଏହି ପଡିଆ ଖେଳୋପଯୋଗୀ ହୋଇପାରିନଥିବାରୁ ଖେଳାଳୀମାନଙ୍କ କାର୍ଯ୍ୟରେ ଲାଗିପାରୁନାହିଁ । ଓଡ଼଼ିଶାରେ ବିଶ୍ଵକପ ହକି ଆରମ୍ଭ ହେବାକୁ ଯାଉଥିବାବେଳେ ସାରା ରାଜ୍ୟରେ ଖେଳ ମହୋତ୍ସବ ଆୟୋଜନ ପାଇଁ ରାଜ୍ୟ ସରକାର ନିଷ୍ପତି ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷିରେ ପ୍ରତ୍ୟେକ ଜିଲ୍ଲାରେ କ୍ରିଡା ଭିତିଭୂମି ସଜାଡିବାକୁ ଉଦ୍ୟମ ଆରମ୍ଭ ହୋଇଛି । ବୌଦ୍ଧରେ ଏନଏସି ଅଧ୍ୟକ୍ଷ ମୃତ୍ୟୁନ୍ଜୟ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଜିଲ୍ଲା ଷ୍ଟାଡିୟମକୁ ଖେଳ ପାଇଁ ପ୍ରସ୍ତୁତ କରାଯାଉଥିବାବେଳେ ବୌଦ୍ଧ ବିଧାୟକ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ ଅମାତ ଗତକାଲି ସନ୍ଧ୍ୟାରେ ଜିଲା ଷ୍ଟାଡିୟମ ପରିଦର୍ଶନ କରିବା ସହିତ ଏହାକୁ ସଂପୁର୍ଣ୍ଣ ଭାବରେ ଖେଳୋପଯୋଗୀ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୁର୍ତ ବିଭାଗକୁ ଷ୍ଟାଡିୟମ ପାଚେରୀ ମରାମତି ସହିତ ନୂତନ ଭାବରେ ରଙ୍ଗ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଜଙ୍ଗଲ ବିଭାଗ ଓ ଉଦ୍ୟାନ ବିଭାଗକୁ ଷ୍ଟାଡିୟମ ପରିସରର ସୌନ୍ଦର୍ଯ୍ୟକରଣ ପାଇଁ ଦାୟିତ୍ଵ ପ୍ରଦାନ କରାଯାଇଛି । ଷ୍ଟାଡିୟମ ଭିତରର ଖେଳପଡିଆ ପ୍ରସ୍ତୁତି କାର୍ଯ୍ୟ ଏନଏସି ଅଧ୍ୟକ୍ଷ ଶ୍ରୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଚାଲୁଅଛି । ଅବହେଳିତ ହୋଇପଡିଥିବା ଷ୍ଟାଡିୟମ ପଡିଆ ଚାରିପଟେ ଏନଏସି ପକ୍ଷରୁ ଫୁଟପାଥ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ପଡିଆ ସମତଳ କରାଯାଇ ଏହାକୁ ଖେଳୋପଯୋଗୀ କରାଯାଉଅଛି । ଜିଲ୍ଲାପାଳ ସତ୍ୟ ରଂଜନ ସାହୁ ପ୍ରତ୍ୟକ୍ଷ ଭାବରେ ଜିଲ୍ଲା ଷ୍ଟାଡିୟମର ମରାମତି ଓ ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିବା ସହିତ ବିଭାଗୀୟ ଅଧିକାରୀମାନଙ୍କୁ ସମସ୍ତ ମରାମତି କାର୍ଯ୍ୟ ତୁରନ୍ତ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି । ଷ୍ଟାଡିୟମ ପରିସରରେ ଜିମ ସ୍ଥାପନ ସହିତ ଆଥଲେଟିକ ମିଟ, ଫୁଟବଲ ଓ ହକି ପାଇଁ ପଡିଆକୁ ସଂପୁର୍ଣ୍ଣ ପ୍ରସ୍ତୁତି କରାଯାଉଅଛି ।
ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରିଡା ସଂଘର ସଂପାଦକ ରବିନ୍ଦ୍ର କୁମାର ରାଉତ, ପୁର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଭାତ କୁମାର ଦାସଙ୍କ ସମେତ ଉଦ୍ୟାନ ବିଭାଗ ଅଧିକାରୀ ମହାପାତ୍ର, ଜିଲ୍ଲା କ୍ରିଡା ଅଧିକାରୀ ପବିତ୍ର ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।