
ମାଲକାନଗିରି, ମାଲକାନଗିରି ଡିଗ୍ରୀ ମହାବିଦ୍ୟାଳୟ ଏନଏସଏସ୍ ପକ୍ଷରୁ ଶୀତକାଳୀନ ସ୍ଵତନ୍ତ୍ର ଶିବିର ଗତକାଲି ଉଦଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ବାଳକ ୟୁନିଟ ଏମଭି-୩ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରି ଏହି କ୍ୟାମ୍ପ କରିଥିବାବେଳେ ବାଳିକା ୟୁନିଟ ଏମଭି-୪ ଗ୍ରାମକୁ ପୋଷ୍ୟ ଗ୍ରାମ ଭାବରେ ଗ୍ରହଣ କରି ଏହି କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସଂଯୋଜନାରେ ଏହି କାର୍ଯ୍ୟକ୍ରମ ୨୩-୧୨-୨୦୨୨ ରୁ ଆରମ୍ଭ ହୋଇ ୨୯-୧୨-୨୦୨୨ ପର୍ଯ୍ୟନ୍ତ ଚାଲିବ। ପୋଷ୍ୟ ଗ୍ରାମରେ ପରିବେଶଗତ ସଚେତନତା, ସ୍ଵଚ୍ଛ ଭାରତ ସୁନ୍ଦର ପରିବେଶ ସୃଷ୍ଟି, ସ୍ଵାସ୍ଥ୍ୟଗତ ସଚେତନତା ଇତ୍ୟାଦି ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏନଏସଏସ୍ ର ପୂର୍ବତନ ଜିଲ୍ଲା ଯୋଜନା ଅଧିକାରୀ ନମିତା ଦଣ୍ଡସେନା ଏବଂ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ଉପସ୍ଥିତ ରହି ୫୦ ଜଣ ସ୍ବେଚ୍ଛାସେବୀଙ୍କୁ ସ୍ଵାଗତ କରିବା ସହିତ ଶିବିରରେ ରହି ଅନେକ କାର୍ଯ୍ୟ ଶିଖିବାକୁ ଉତ୍ସାହିତ କରିଥିଲେ। ମୁଖ୍ୟବକ୍ତା ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ଏନଏସଏସ୍ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ମହାବିଦ୍ୟାଳୟର ବାଳକ ୟୁନିଟର ପ୍ରୋଗ୍ରାମ ଅଫିସର ପ୍ରମୀୟ କୁମାର ମହାନ୍ତି ଏବଂ ବାଳିକା ୟୁନିଟର ପ୍ରୋଗ୍ରାମ ଅଫିସର ପ୍ରେମରେଖା ଭତ୍ରା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପୂର୍ବତନ ଜିଲ୍ଲା ଯୋଜନା ଅଧିକାରୀ ନମିତା ଦଣ୍ଡସେନା ଯୁବ ସମାଜର ଭୂମିକା ଉପରେ ଆଲୋଚନା କରିଥିଲେ। ପ୍ରତିଦିନ ପର୍ଯ୍ୟୟ କ୍ରମେ ବିଭିନ୍ନ ବିଶେଷଜ୍ଞଙ୍କ ଉପସ୍ଥିତରେ ଶିବିରକୁ ଆଗେଇନେବାର ଲକ୍ଷ୍ୟ ରଖାଯାଇଅଛି।
ଶିବିର ଆରମ୍ଭରେ ସ୍ଵାମୀ ବିବେକାନନ୍ଦଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ, ପ୍ରଦୀପ ପ୍ରଜ୍ଵଳନ କରାଯାଇ ଶିବିର ଉଦଘାଟନ କରାଯାଇଥିଲା ।