ଭୁବନେଶ୍ୱର, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କିମ୍ବଦନ୍ତୀ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ଜାନୁଆରୀ ୧୫ ତାରିଖ ୧୯୬୨ରେ ସୈନିକ ସ୍କୁଲ୍ ଭୁବନେଶ୍ୱରର ପ୍ରତିଷ୍ଠା ହୋଇଥିଲା । ଏହି ବିଦ୍ୟାଳୟର ହୀରକ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ସେହି ମହାନ୍ ଯୁଗପୁରୁଷଙ୍କର ପ୍ରତିମୂର୍ତି ଉନ୍ମୋଚିତ ହୋଇଯାଇଛି ।
ଏହି ଉତ୍ସବରେ ହଜାର ହଜାର ପୁରାତନ ଛାତ୍ରମାନେ ବିଶ୍ୱର କୋଣ ଅନୁକୋଣରୁ ଆସି ଏକତ୍ରିତ ହୋଇଥିଲେ । ଏହା ସହ ପୂର୍ବତନ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଶିକ୍ଷକ, ଛାତ୍ର ତଥା ସମସ୍ତ କ୍ୟାଡ଼େଟ୍ଙ୍କ ଅଭିଭାବକମାନଙ୍କୁ ଆମନ୍ତ୍ରିତ କରାଯାଇଥିଲା ।
କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଦ୍ୟାଳୟର ଅଧ୍ୟକ୍ଷ କର୍ଣ୍ଣେଲ୍ ବାଲୁଭରତ, ଲେପ୍ଟନାଂଟ ଜେନେରାଲ ଜେ.କେ ମହାନ୍ତି (ଅବସର ପ୍ରାପ୍ତ) ଏବଂ ପୁରାତନ ବାଳକ ସଂଘର ସଭାପତି ହରଦମନ ସିଂ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଜାମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶୌର୍ଯ୍ୟଚକ୍ର (ମରଣୋତର) ପୁରସ୍କାର ବିଜେତା ବିଦ୍ୟାଳୟର ପୂର୍ବତନ ଛାତ୍ର କ୍ୟାପ୍ଟେନ୍ ଆଶୁତୋଷ କୁମାରଙ୍କ ପିତାମାତାଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।