ରାଉରକେଲା, ରାଉରକେଲା ସହରର ସେକ୍ଟର -୪ ରେ ଆଏସପିର ଏକ ଘରେ ଚାଲିଥିବା ସିବିଆଇ ଅଫିସକୁ କେବଳ ଜଗି ରହିଛନ୍ତି ୨ ଜଣ କର୍ମଚାରୀ, ଏଠାରେ ନିୟମିତ ଅଫିସର ନାହାନ୍ତି, ଫଳରେ ରାଉରକେଲା ସମେତ ପଶ୍ଚିମାଂଚଳରୁ ଆସୁଥିବା ଲୋକେ କୌଣସି ଅଭିଯୋଗ କରିବାକୁ ଚାହିଁଲେ ଭୁବନେଶ୍ଵର ଉପରେ ନିର୍ଭର କରିବାକୁ ପଡୁଛି। ଯେଉଁଥିପାଇଁ ଦିର୍ଘ ଦିନ ତଳେ ପଶ୍ଚିିମାଂଚଳ ଲାଗି ହୋଇଥିବା ଏହି ସିବିଆଇ ଅଫିସ ର ଗୁରୁତ୍ଵ କମିବାରେ ଲାଗିଛି ।
ଖବରରୁ ଜଣାପଡିଛି, ଦିର୍ଘ ବର୍ଷ ତଳେ ପଶ୍ଚିମାଂଚଳ ଲାଗି ରାଉରକେଲାରେ ଏହି ସିବିଆଇ ଅଫିସ କରାଯାଇଥିଲା। ସେତେବେଳେ ଜଣେ ଡିଏସପି ସହ ଏଠାରେ ଅନେକ ଅଫିସର ମଧ୍ୟ ରହୁଥିଲେ । ଏଠାରେ ସେ ସମୟରେ ଅନେକ ମାମଲା ମଧ୍ୟ ହେବା ସହ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଅଫିସ ଗୁଡିକର ଭୟ ରହୁଥିଲା, କିନ୍ତୁ ହଠାତ ଏହି ଅଫିସରୁ ସବୁ କିଛି ହଟାଇ ଦେଇ ମାତ୍ର ୨ ଜଣ କର୍ମଚାରୀଙ୍କୁ ଜଗିବା ଲାଗି ଦାୟିତ୍ଵ ଦିଆଯାଇଥିବା ବେଳେ, କାଁ ଭାଁ ଜଣେ ଅଧିକାରୀ ଆସି ଏଠାରୁ ବୁଲିକି ଚାଲିଯାଉଛନ୍ତି, ଫଳରେ ପଶ୍ଚିମ ଓଡିଶା ସମେତ ରାଉରକେଲା ବାସୀ ଏଠାରୁ ସେବା ପାଇବାରୁ ବଂଚିତ ହେଉଛନ୍ତି । ଦିର୍ଘ ବର୍ଷର ଏହି ଅଫିସ ଏବେ ବି ନିଜସ୍ଵ ଯାଗାରେ ହୋଇପାରିନି। ରାଉରକେଲା ଇସ୍ପାତ କାରଖାନାର ଏକ ଗଳି ଅଂଚଳରେ ଥିବା ଏକ ଘରେ ଏହି ଅଫିସ ଚାଲିଛି। ଯାହା ଲୋକଙ୍କୁ ଖୋଜି ପାଇବାରେ ନାନା ସମସ୍ୟା ହେଉଛି । ରାଉରକେଲା ସହରର ରାଉରକେଲା ଷ୍ଟିଲ କାରଖାନା, ଶ୍ରମ ବିଭାଗ, ଇଏସଆଇ ଭବିଷ୍ୟନିଧି, ଇନକମଟାକ୍ସ, ସେଂଟ୍ରାଲଏକସାଇଜ, ପୋଷ୍ଟାଲ ବିଭାଗ, ରେଳବାଇର ବଡ ୟୁନିଟ ଯାହା ଆଗକୁ ଡିଭିଜନ ହେବାର ପ୍ରସ୍ତାବ ରହିଛି, ବହୁ ବ୍ୟାଙ୍କ,ଏନଟିପିସି ଓ ଖଣିକୁ ନେଇ ଅନେକ ସୁଯୋଗ ସହ ବିଏସଏନଏଲ ଭଳି ଅନେକ ସରକାରୀ ଦପ୍ତର ଅଲ ଇଣ୍ଡିଆ ରେଡିଓ ତଥା ଦୁରଦର୍ଶନ ଅଫିସ ରାଉରକେଲାରେ ରହିଛି ଓ ଏସବୁ ଉପରେ ଅନେକ ଜିଲ୍ଲା ମଧ୍ୟ ନିର୍ଭର କରୁଛନ୍ତି । ଖାଲି ସେତିକି ନୁହେଁ କେନ୍ଦ୍ର ସରକାରଙ୍କର ହଜାର ହଜାର କୋଟୀ ଟଙ୍କା ପଶ୍ଚିମାଂଚଳରେ ବିନିଯୋଗ ହେଉଛି । ରାଉରକେଲା ଇସ୍ପାତ କାରଖାନାରେ ଆଧୁନିକରଣ ବେଳେ ହୋଇଥିବା ହରିଲୁଟ ହେଉ, ଖଣି ଦୁର୍ନୀତି ଉଭୟ ମାମଲାରେ ସିବିଆଇ ତଦନ୍ତର ଆବଶ୍ୟକତାକୁ ଲୋକେ ଅନୁଭବ କରିଥିଲେ ବି ଖଣି ଦୁର୍ନିତିର ସିବିଆଇ ତଦନ୍ତ ହୋଇପାରିଲା ନାହିଁ, ଆରଏସପିରେ ଯାହା ତଦନ୍ତ ହେଲା ତାର ଫଳ କଣ ହେଲା ତାହା ମଧ୍ୟ ଲୋକେ ଜାଣିପାରିଲେ ନାହିଁ । ଏଥିଲାଗି ରାଉରକେଲା ଅଫିସ ସଂପୁର୍ଣ କାର୍ଯ୍ୟକ୍ଷମ ନହେବା ହିଁ ପୁର୍ଣ ମାତ୍ରାରେ ଦାୟି ବୋଲି କୁହାଯାଉଛି । ସେପଟେ ଆରଏସପି ଠାରୁ କେନ୍ଦ୍ରୀୟ ଶ୍ରମ ବିଭାଗ ରେଳବାଇ ଭବିଷ୍ୟନିଧି ରାଉରକେଲା ଅଫିସରେ ବ୍ୟାପକ ହରିଲୁଟ, ଶୋଷଣରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଦେଖିବା ବାଲା ଅଫିସରେ ମାତ୍ର ୨ କର୍ମଚାରୀ, ଅଭିଯୋଗ ରଖିବା ଲାଗି ନିର୍ଭର ଯୋଗ୍ୟ ଅଧିକାରୀ ନାହାନ୍ତି । ଏହି ଅଫିସ ଆରମ୍ଭ ସମୟରେ ଅନ୍ୟ ରାଜ୍ୟରେ ହୋଇଥିବା ଏହି ଧରଣ ଅଫିସ ଗୁଡିକ ଏବେ ଏସପି ଅଫିସ ହେବା ସହ ଲୋକଙ୍କ ଅଭିଯୋଗ ଆଧାରରେ ଅନେକ ମାମଲା ମଧ୍ୟ ହେଉଛି, ରାଉରକେଲା ଠାରେ ରାଜ୍ୟ ସରକାରଙ୍କର ଭିଜିଲାନ୍ସ ଅଫିସ ଯାହା ଏକଦା ଜଣେ ୨ତାରକା ଅଧିକାରୀଙ୍କ ଦ୍ଵାରା ଚାଲୁଥିଲା ଏବେ ତାହା ଏସପି ଅଫିସ ହୋଇପାରିଲା, କିନ୍ତୁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଏହି ଅଫିସ ଧିରେ ଧିରେ ତାର ଅସ୍ତିତ୍ଵ କାହିଁକି ହରାଉଛି ତାହା ଏବେ ବଡ ପ୍ରଶ୍ନବାଚୀ ହୋଇଛି ।
ଅନ୍ୟପକ୍ଷରେ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ଲାଗି ଅଫିସର ନାହାନ୍ତି ଅଫିସ ପକ୍ଷରୁ ଦିର୍ଘ ୭ବର୍ଷ ହେଲା ମାମଲା ଟିଏ ନହେବା ସୁଚାଉଛି ପଶ୍ଚିମାଂଚଳରେ ଦୁର୍ନୀତି ହେଉନାହିଁ, ତେଣୁ ଏହି ଅଫିସକୁ ଏଠାରୁ ସରକାର ଉଠାଇ ନେଇ ଘୋଷଣା କରିଦିଅନ୍ତୁ ଯେ, ପଶ୍ଚିମାଂଚଳ ସଂପୁର୍ଣ ଦୁର୍ନୀତି ମୁକ୍ତ ଅଂଚଳ । ବାକି ରହିଲା ଏଭଳି ବଡ ସମସ୍ୟାକୁ ନେଇ ଉଭୟ ବିଜେଡି, କଂଗ୍ରେସ ନୀରବ ଥିବା ବେଳେ ଜିଲ୍ଲାର ବିଜେପି ବିଧାୟକ ଓ ଖୋଦ ସାଂସଦ ଜୁଏଲ ବାବୁ କଣ କରୁଛନ୍ତି ମଧ୍ୟ ଆଲୋଚନା ଚାଲିଛି ।ତେବେ ଆଗାମୀ ଦିନରେ ଏହା ସଂପୁର୍ଣ କାର୍ଯ୍ୟକ୍ଷମ ହେବ ନା କେନ୍ଦ୍ର ସରକାରଙ୍କ ଦୟାରେ ପୁରା ବନ୍ଦ ହୋଇଯିବ ତାହା ସମୟ ହିଁ କହିବ ।