ଭୁବନେଶ୍ୱର,ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଗୁରୁବାର ପୂର୍ବାହ୍ନରେ ଲୋକସେବା ଭବନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନା, ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, କୋଠାବାଡ଼ି, ଜିଲ୍ଲା ଖଣିଜ ପାଣ୍ଠି, ଓମ୍ବାଡ୍ସି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନ୍ୟାନ୍ୟ ଯୋଜନାର କାର୍ଯ୍ୟାନ୍ୱୟନ ନେଇ ସମୀକ୍ଷା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ‘ମୋ ସରକାର’ ଓ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି ।
ସମସ୍ତ ଡିଭିଜନ୍ ର ଦାୟିତ୍ୱରେ ଥିବା ଅଧିକାରୀମାନେ ବିଭିନ୍ନ ଯୋଜନାଗୁଡ଼ିକର ସଫଳ କାହାଣୀ ସହିତ ଭିଡ଼ିଓଗ୍ରାଫି ଏବଂ ଜନସାଧାରଣଙ୍କ ମତାମତ ଓ ଯୋଜନା ନେଇ ସେମାନଙ୍କ ଆଭିମୁଖ୍ୟ ବାବଦରେ ଏକ ପୁସ୍ତିକା ୩୧ ତାରିଖ ସୁଦ୍ଧା ଦାଖଲ କରିବା ପାଇଁ ସଚିବ ଶ୍ରୀ ସିଂ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ଡିଭିଜନ୍ ର କାର୍ଯ୍ୟ ସଂପାଦନରେ ଉନ୍ନତି ପରିଲକ୍ଷିତ ନହୋଇଛି ସେମାନଙ୍କ ବିରୁଦ୍ଧରେ ଆସନ୍ତା ରିଭ୍ୟୁ ମିଟିଙ୍ଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରମୁଖ ଶାସନ ସଚିବ କହିଥିଲେ ।
ରାଜ୍ୟର ସମସ୍ତ ୬୦ଟି ଡିଭିଜନ୍ ଓ ୧୩ଟି ସର୍କଲ ଇଞ୍ଜିନିୟରିଂ ସଂସ୍ଥାର ମୁଖ୍ୟଯନ୍ତ୍ରୀଙ୍କ ସହ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରକଳ୍ପ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଶ୍ରୀ ସିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡ଼ା, ବିଜୟ ପ୍ରଧାନ, ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀବୃନ୍ଦ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।