-
୨୧ ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ,
-
ଶୀଘ୍ର ପୁରଣ ହେବ ବୋଲି ଜିଲ୍ଲାପାଳଙ୍କ ପ୍ରତିଶୃତି -ଶ୍ରୀ ରଥ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଶ୍ରୀକ୍ଷେତ୍ର ଧାମ ପୁରୀର ବସଷ୍ଟାଣ୍ଡକୁ ବିଶ୍ୱସ୍ଥରୀୟ କରିବା ପାଇଁ ଅର୍ଥାତ ବସ ଯାତ୍ରୀମାନଙ୍କୁ ଷ୍ଟାଣ୍ଡ ପରିସରରେ ସମସ୍ତ ଆବଶ୍ୟକୀୟ ମୌଳିକ ସୁବିଧା ଯୋଗାଇଦେବା ପାଇଁ ” ବସ ଯାତ୍ରୀ ଆସୋସିଏସନ ” ର କର୍ମକର୍ତ୍ତାମାନେ ଆସୋସିଏସନର ବରିଷ୍ଠ ସଦସ୍ୟ ଶ୍ରୀ ସୂର୍ଯ୍ୟ ନାରାୟଣ ରଥଙ୍କ ନେତୃତ୍ୱରେ ପୁରୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପ୍ରସ୍ତାବିତ ପ୍ରସ୍ତାବ ଉପରେ ଆଲୋଚନା କଲେ ଏବଂ ତଦ ସମ୍ପର୍କିତ ୨୧ ଦାବି ସମ୍ବଳିତ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ହସ୍ତରେ ସୁବିଚାର ନିମନ୍ତେ ପ୍ରଦାନ କଲେ । ପୁରୀ ବସଷ୍ଟାଣ୍ଡକୁ ସୁନ୍ଦର କରିବା ପାଇଁ ପୁରୀ ସହରର ଅନେକ ସଚେତନ ଯୁବକ ଆଗେଇ ଆସି ପ୍ରତ୍ୟେକ ଶନିବାର ଦିନ ବସ ଷ୍ଟାଣ୍ଡକୁ ପରିଷ୍କାର କରୁଛନ୍ତି ଏବଂ ସମସ୍ତଙ୍କୁ ସଚେତନ କରୁଛନ୍ତି । ବସ ଯାତ୍ରୀ ମାନଙ୍କର ସୁବିଧା ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କ ଉଦେଶ୍ୟରେ ପ୍ରଦାନ କରାଯଇଥିବା ପ୍ରସ୍ତାବ ଗୁଡିକ ହେଲା
ବସଷ୍ଟାଣ୍ଡର ଉଭୟ ଫାଟକରେ ସୁଦୃଶ୍ୟ ଆକର୍ଷଣୀୟ ନାମ ଫଳକ ଲଗାଯିବା , ୨୪ ଘଣ୍ଟିଆ ପିଇବା ପାଣି , ସିକ୍ୟୁରୀଟି ବ୍ୟବସ୍ଥା ଓ ପରିମଳ ବ୍ୟବସ୍ଥା ସହିତ ସୁରକ୍ଷା ଦୃଷ୍ଟିରୁ ଷ୍ଟାଣ୍ଡ ପରିସରରେ ସିସିଟିଭି ସଂଯୋଗ କରାଯିବା , ପୁରୁଷ ଓ ମହିଳାଙ୍କ ନିମିତ୍ତ ପରିଶ୍ରାଗାର ନିର୍ମାଣ କରାଯିବା , ବସ ହକର ମାନଙ୍କୁ ପଞ୍ଜିକୃତ କରିବା ସହିତ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରିବା , ବସଷ୍ଟାଣ୍ଡ ପରିସରକୁ ସବୁଜିମା ଭରା କରିବା ସହିତ ଷ୍ଟାଣ୍ଡକୁ ଉତ୍କଳୀୟ ଐତିହ୍ୟ ସଂସ୍କୃତି ଓ ପରମ୍ପରାକୁ ନେଇ ରଙ୍ଗବେରଙ୍ଗ କଳାକୃତିରେ ସଜାଇବା , ଯାତ୍ରୀମାନଙ୍କ ପାଇଁ ଏଟିଏମ ସ୍ଥାପନ କରିବା ସହିତ ଉକ୍ତ ଅଂଚଳକୁ ନିଶାମୁକ୍ତ ଅଂଚଳ ଘୋଷଣା କରିବା ପ୍ରଭୃତି ମୁଖ୍ୟ ଦାବି ଗୁଡିକ ଦାବି କରାଯାଇଛି ।ଏତଦ ବ୍ୟତୀତ ,ଗନ୍ତବ୍ୟସ୍ଥଳ ଅନୁଯାୟୀ ଷ୍ଟାଣ୍ଡ ମଧ୍ୟରେ ବସ ଗୁଡିକୁ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯିବା , ରେଲୱେ ଭଳି ବସର ନାମ, ନମ୍ବର ,ସମୟ ଓ ଗନ୍ତବ୍ୟସ୍ଥଳର ଟିକେଟର ମୂଲ୍ୟ ସମର୍କିତ ସ୍ୱତନ୍ତ୍ର ଫଳକ ଷ୍ଟାଣ୍ଡ ପରିସରରେ ରଖାଯିବା , ସାଧାରଣ ବସ ବ୍ୟତୀତ ଡିଲକ୍ସ,ସୁପର ଡିଲକ୍ସ ଓ ସ୍ଲିପର ଭଳି ସ୍ପେସିଆଲ ବସ ଗୁଡିକର ନାମ , ନମ୍ବର , ସମୟ , ଗନ୍ତବ୍ୟସ୍ଥଳ ଓ ଟିକେଟର ମୂଲ୍ୟ ସମ୍ପର୍କିତ ସ୍ୱତନ୍ତ୍ର ଫଳକ ଷ୍ଟାଣ୍ଡରେ ଲଗାଯିବା , ହାତଲେଖା ଟିକେଟ ପରିବର୍ତ୍ତେ ମୂଲ୍ୟ ସହିତ ପ୍ରିଣ୍ଟେଡ଼ ଟିକେଟ ଯାତ୍ରୀଙ୍କୁ ଯୋଗାଇଦେବା , ଡ଼ାକବାଜି ଯନ୍ତ୍ରଦ୍ୱାରା ବସର ଗନ୍ତବ୍ୟସ୍ଥଳ,ନମ୍ୱର ଓ ସମୟ ଯାତ୍ରୀ ମାନଙ୍କ ନିମନ୍ତେ ଘୋଷଣା କରାଯିବ , ରାତ୍ର କାଳୀନ ପ୍ରତୀକ୍ଷା ପାଇଁ ଯାତ୍ରୀଙ୍କୁ ସୁରକ୍ଷାପୂର୍ଣ ପ୍ରତୀକ୍ଷା କକ୍ଷ ଯୋଗାଇଦେବା ଓ ଫାଷ୍ଟ ଏଡ଼ ସେଣ୍ଟର ଯୋଗାଇଦେବା ଇତ୍ୟାଦି ଗୁରୁତ୍ୱପୂର୍ଣ୍ଣ ଦାବି ଗୁଡିକ ବସ ଷ୍ଟାଣ୍ଡର ଗାରିମା ବୃଦ୍ଧି ଓ ଯାତ୍ରୀମାନଙ୍କର କଲ୍ୟାଣ ନିମନ୍ତେ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାପାଳଙ୍କ ସହିତ ଯେଉଁ ଆଲୋଚନା କରାଯାଇଛି ,ତାହା ଯଥାଶୀଘ୍ର ପୁରଣ ହେବ ବୋଲି ଶ୍ରୀ ରଥ ପ୍ରକାଶ କରିଛନ୍ତି । ଦାବିପତ୍ର ଦେବା ସମୟରେ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ , ତ୍ରିଲୋଚନ ଦାସ , ପୁର୍ଣ ଚନ୍ଦ୍ର ଓଝା , ହରିଶ୍ଚନ୍ଦ୍ର ନାୟକ, ସିଦ୍ଧର୍ଥ ଶଙ୍କର ମିଶ୍ର ,ବୁଟୁ ସାହୁ ଓ ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।