ମାଲକାନଗିରି, ଆଜି ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଟ୍ରାଇଙ୍ଗୁଲାର କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ବ ବିଭାଗର ଅଡିଟ ପାରା ନିରୀକ୍ଷଣ ନିମନ୍ତେ ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ କାର୍ଯ୍ୟାଳୟର ଡେପୁଟି ସେକ୍ରେଟାରୀ ଶ୍ରୀମତୀ ସୁଜାତା ସାହୁ ଏ ନେଇ ଦୁଇ ଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ କରିଛନ୍ତି ।
ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ଵର ଚନ୍ଦ୍ର ନାଏକ ସଭାପତିତ୍ବ କରି ଶ୍ରୀମତୀ ସାହୁଙ୍କୁ ସ୍ବାଗତ ଜଣାଇଥିଲେ। ଶ୍ରୀମତୀ ସାହୁ ଆଜି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ଜିଲ୍ଲାପାଳଙ୍କ ନିଜାରତ ବିଭାଗର ଅଡିଟ ପାରା ନିରୀକ୍ଷଣ କରିଛନ୍ତି । ଏଥି ନିମନ୍ତେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରୁ ଆସିଥିବା ତିନି ଜଣ ଅଧିକାରୀ ସହଯୋଗ କରିଥିଲେ । ଯେଉଁଭଳି ଭାବେ ଅଧିକରୁ ଅଧିକ ଅଡିଟ ପାରା ସମାଧାନ ହୋଇପାରିବ, ସେଥି ନିମନ୍ତେ ସମସ୍ତ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଶ୍ରୀ ନାଏକ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଅପରାହ୍ନରେ ଶ୍ରୀମତୀ ସାହୁ ମୋଟୁ ତହସିଲ କାର୍ଯ୍ୟାଳୟ ଯାଇ ନିରୀକ୍ଷଣ କରିଛନ୍ତି । ଏହି ସମୟରେ ତହସିଲଦାର ସଇଦ ସୱୀର ସାହା ଉପସ୍ଥିତ ଥିଲେ । ଅନୁରୂପ ଭାବେ ଡିପିଆରସି ଠାରେ ଆୟୋଜିତ ବୈଠକକୁ ପରିଚାଳନା କରିବାରେ ସହାୟକ ଜିଲ୍ଲାପାଳ ସୁଶ୍ରୀ ସ୍ନିଗ୍ଧା ଚୌଧୁରୀ ସହାୟତା କରିଥିଲେ।