ପଟ୍ଟାମୁଣ୍ଡାଇ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ସ୍ଥିତ ବିଶ୍ଵ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ଅଂଚଳରେ ଗତକାଲି ଠାରୁ ଆରମ୍ଭ ହୋଇଥିବା ଡଲଫିନ ଗଣନା ଆଜି ଦ୍ଵିତୀୟ ଦିନରେ ପହଂଚିଛି । ଏହି ଡଲଫିନ ଗଣନା ତିନି ଦିନ ଧରି କରାଯିବ । ଧାମରା ମୁହାଣ ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର ମଧ୍ୟରେ ଏବଂ ଭିତରକନିକା ମଧ୍ୟରେ ଥିବା କ୍ରିକ ଓ ନଦୀରେ ଡଲଫିନ ଗଣନା କରାଯିବ । ଡଲଫିନ ଗଣନା ପାଇଁ ୯ଟି ଟିମ୍ ଗଠନ କରାଯାଇଛି । ପ୍ରତ୍ୟେକ ଟିମ୍ ରେ ୩ରୁ ୫ ଜଣ ଗଣନାକାରୀ ସାମିଲ ହୋଇଥିବା ବେଳେ ସମୁଦ୍ର ମଧ୍ୟରେ ୫ଟି ଟିମ୍ ଏବଂ ନଦୀ ଓ କ୍ରିକରେ ୪ଟି ଟିମ୍ ଡଲଫିନ ଗଣନା କରୁଛନ୍ତି ।
ଗଣନା ପାଇଁ ଏହି ଟିମ୍ ବାଇନାକୁଲାର, ଜିପିଏସ, କ୍ୟାମେରା, ହ୍ୟାଣ୍ଡିକ୍ୟାମ ପ୍ରଭୃତି ସାମଗ୍ରୀ ବ୍ୟବହାର କରୁଛନ୍ତି । ଏହି ଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ପାଖାପାଖି ଦିନ ୧୦ଟା ପର୍ଯ୍ୟନ୍ତ ଚାଲିଥିବା ସୂଚନା ମିଳିଛି । ରାଜନଗର ବନଖଣ୍ଡ ଅଧିନରେ ଆସୁଥିବା ୫ଟି ରେଞ୍ଜର ୯ଟି ସ୍ଥାନରେ ଏହି ଗଣନା କରାଯାଉଛି ।