ଭୁବନେଶ୍ୱର, ସ୍ଥାନୀୟ ଶିଶୁଭବନ ଛକରେ ଏକ ବିଜ୍ଞାପନ ହୋର୍ଡିଂ ଉପରେ ଆତ୍ମହତ୍ୟା ଉଦ୍ୟମ କରିଥିବା ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଅପରାହ୍ଣରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପ୍ରାୟ ୪ ଘଂଟାର ଉଦ୍ୟମ ପରେ ମୁକ୍ତିକାନ୍ତଙ୍କୁ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଉଦ୍ଧାର କରିଛନ୍ତି । ହୋର୍ଡିଂ ଉପରୁ ଉଦ୍ଧାର ହେଲା ପରେ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି ।
ରାଉରକେଲାରୁ ଚାଲିଚାଲି ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରି ନ ପାରିବା ପ୍ରତିବାଦରେ ବୁଧବାର ଦିନ ମୁକ୍ତିକାନ୍ତ ବିଶ୍ୱାଳ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଶିଶୁଭବନ ଛକଠାରେ ବିଜ୍ଞାପନ ହୋର୍ଡିଂ ଉପରେ ଚଢ଼ି ମୁକ୍ତିକାନ୍ତ ଅଭିନବ ପ୍ରତିବାଦ କରିଥିଲେ । ସେ ସପ୍ତାହେ ହେଲା ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ଲାଗି ଉଦ୍ୟମ କରିଥିଲେ ବି ତାଙ୍କ ସହ ଦେଖା କରିପାରିନଥିଲେ । ଘଟଣାସ୍ଥଳରେ ପୁଲିସ୍ ଓ ଅଗ୍ନିଶମ ବାହିନୀର ଅଧିକାରୀମାନେ ପହଂଚି ମୁକ୍ତିକାନ୍ତଙ୍କୁ ବୁଝାଇବା ପାଇଁ ପ୍ରୟାସ କରିଥିଲେ । ଶେଷରେ ଅଗ୍ନିଶମ ବାହିନୀର କିଛି କର୍ମଚାରୀ ଉକ୍ତ ହୋର୍ଡିଂ ଉପରକୁ ଚଢ଼ିଥିବା ବେଳେ ଆଉ କିଛି ସିଡି ଯୋଗେ ମୁକ୍ତିକାନ୍ତଙ୍କ ନିକଟରେ ପହଂଚିଥିଲେ । ଏହି ସମୟରେ ମୁକ୍ତିକାନ୍ତ ନିଜ ଦେହରେ ଡିଜେଲ ଢାଳି ନିଆଁ ଲଗାଇବାକୁ ପ୍ରୟାସ କରିଥିଲେ । ତେବେ ଅଗ୍ନିଶମ ବାହିନୀ ପକ୍ଷରୁ ତାଙ୍କ ଉପରେ ଜଳ ସିଂଚନ କରାଯାଇଥିଲା ଏବଂ ତାଙ୍କୁ ଅଗ୍ନିଶମ ବାହିନୀ କର୍ମଚାରୀ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍କୁ ନିଆଯାଉଥିବା ବେଳେ ସେ ଏ ଲଢ଼େଇ ଜାରି ରହିବ ବୋଲି କହିଥିଲେ । ରାଜ୍ୟରେ ଏକଛତ୍ରବାଦ ଶାସନ ଚାଲିଛି ବୋଲି ସେ କହିଥିଲେ ।
କ୍ୟାପିଟାଲ୍ ହସ୍ପିଟାଲ୍ ରେ ପହଂଚିବା ପରେ ମୁକ୍ତିକାନ୍ତ କହିଥିଲେ ଯେ ଯଦି ତାଙ୍କୁ ଗିରଫ କରାଯାଏ, ତା’ହେଲେ ସେ ଜେଲ୍ ଭିତରେ ଆମରଣ ଅନଶନ କରିବେ । ରାଉରକେଲା ଓ ସୁନ୍ଦରଗଡ଼ର ହକ୍ ପାଇଁ ତାଙ୍କ ଲଢ଼େଇ ଜାରି ରହିବ ।
ସୂଚନାଯୋଗ୍ୟ ଯେ ୯ ବର୍ଷ ତଳେ ମୁଖ୍ୟମନ୍ତ୍ରୀ କୋଏଲ ବ୍ୟାରେଜ୍, କୋଏଲ୍ ନଦୀ ପାର୍ଶ୍ୱରେ ରିଂ-ରୋଡ୍ ନିର୍ମାଣ ପାଇଁ ଶୁଭ ଦେଇଥିଲେ । ଆଇଜିଏଚରେ ରୋଗୀଙ୍କୁ କ୍ୟାପିଟାଲ ହସ୍ପିଟାଲ ଭଳି ଚିକିତ୍ସା ସେବା ମିଳିବ ଘୋଷଣା କରାଯାଇଥିଲା ।କିନ୍ତୁ ଆଜି ପର୍ଯ୍ୟନ୍ତ ତାହା ପୂରଣ ହୋଇପାରିନାହିଁ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଭୁବନେଶ୍ୱର ଚାଲି ଚାଲି ଆସିଥିଲେ ମୁକ୍ତିକାନ୍ତ ।