-
ମହିଳାଙ୍କ ସ୍ୱାଭଲମ୍ବୀ ହେବାର ସ୍ୱପ୍ନକୁ ନିରାଶ କରିଛନ୍ତି ରାଜ୍ୟ ସରକାର: ସ୍ମୃତି ପଟ୍ଟନାୟକ
-
ଏସ୍ଏଚଜି ମହିଳାଙ୍କୁ ନିଜର ଦଳୀୟ କାର୍ଯ୍ୟରେ ବ୍ୟବହାର କରିବା ଅତ୍ୟନ୍ତ ନିନ୍ଦନୀୟ
-
୨୩ ବର୍ଷ ନବୀନ ସରକାରରେ ନାରୀ ନିର୍ଯାତନା, ଶିଶୁ ଅପହରଣ ବୃଦ୍ଧି ପାଉଛି
-
ଓଡ଼ିଶାରେ ୯୯% ମହିଳା ସ୍ୱାବଲମ୍ବୀ ହେବାରୁ ବଂଚିତ ଅଛନ୍ତି
-
ପ୍ରଧାନମନ୍ତ୍ରୀଙ୍କ ମହିଳା ଜନକଲ୍ୟାଣ ଯୋଜନାକୁ ଜିଲ୍ଲାରେ ପ୍ରଚାର କରିବ ବିଜେପି
ଭୁବନେଶ୍ୱର, ମହିଳାଙ୍କୁ ସଶକ୍ତ କରିବା ଲାଗି ମୋଦୀ ସରକାର ସ୍ୱୟଂସହାୟକ ଗୋଷ୍ଠୀ ଆରମ୍ଭ କରିଥିଲେ । ମହିଳାଙ୍କୁ ବିନାସୁଧରେ ଋଣ ଦେଇ ଅର୍ଥନୈତିକ କ୍ଷେତ୍ରରେ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଯୋଜନା କରିଥିଲେ । କିନ୍ତୁ ରାଜ୍ୟ ସରକାର ଏସ୍ଏଚଜି ମହିଳାଙ୍କୁ ନିଜର ଦଳୀୟ କାର୍ଯ୍ୟରେ ଲଗାଇବା ସହ ସ୍ୱାବଲମ୍ବୀ ହେବାର ସ୍ୱପ୍ନକୁ ନିରାଶ କରିଛନ୍ତି । ମହିଳାମାନେ ନ୍ୟାୟ ଲାଗି ରାଜରାସ୍ତାରେ ଆନ୍ଦୋଳନ କରୁଥିବାବେଳେ ରାଜ୍ୟ ସରକାର ନିଦାବିଷ୍ଣୁ ସାଜିଛନ୍ତି । ଓଡ଼ିଶାର ମହିଳା ସ୍ୱାବଲମ୍ବୀ ନହେବାକୁ ରାଜ୍ୟ ସରକାର ଆପ୍ରାଣ ଉଦ୍ୟମ କରୁଥିବା ମହିଳାମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ଯେ, ଦୀର୍ଘ ୨୩ବର୍ଷ ନବୀନ ସରକାରରେ ନାରୀ ନିର୍ଯାତନା, ଶିଶୁ ଅପହରଣ ଦିନକୁ ଦିନ ବୃଦ୍ଧି ପାଇଛି । ମହିଳାଙ୍କୁ ନ୍ୟାୟ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ୨୦୨୦ ମସିହା ତୁଳନାରେ ୨୦୨୧ରେ ନାରୀଙ୍କ ପ୍ରତି ହିଂସା ବୃଦ୍ଧି ପାଇଛି । ୨୦୨୧ ଏନସିଆରବି ରିପୋର୍ଟରେ ୨୦୧୯ମସିହାରେ ୨୩,୧୮୩, ୨୦୨୦ରେ ୨୫, ୪୮୯ ଓ ୨୦୨୧ରେ ୩୧,୩୫୨ମାମଲା ରୁଜୁ ହୋଇଛି । ମହିଳା ଅପରାଧରେ ଓଡ଼ିଶା ଏବେ ତୃତୀୟ ସ୍ଥାନରେ ରହିଛି । ଯଦି ଓଡ଼ିଶାର ଶିଶୁଙ୍କ କଥା କହିବା ତାହାଲେ ୫ବର୍ଷ ଭିତରେ ୧୬୦୦ରୁ ଅଧିକ ଶିଶୁ ନିଖୋଜ ହୋଇଥିବା ବେଳେ ୨୦୨୦-୨୧ମସିହାରେ ୪୨% ଶିଶୁ ନିଖୋଜ ବଢ଼ିଛି । ୨୦୨୦ରେ ୨୮୯୯, ୨୦୨୧ରେ ୪୧୩୩ ଶିଶୁ ନିଖୋଜ ହୋଇଛନ୍ତି । ଓଡ଼ିଶାରେ ୧୧ଟି ଶିଶୁ ଗୋଟିଏ ଦିନରେ ହେଉଛନ୍ତି । ୨୦୨୧ରେ ୪୭୭ଜଣ ନାବାଳକ ଓ ୩୬୫୬ଜଣ ନାବାଳିକା ଅପହରଣ ଓଡ଼ିଶାର ହୋଇଛି । ସେହିପରି ୨୦୨୧ମସିହାରେ ୫୬୫ଜଣ ମହିଳା ସାଇବର କ୍ରାଇମର ଶିକାର ହୋଇଛନ୍ତି । ମହିଳାଙ୍କ କ୍ଷେତ୍ରରେ ଦଣ୍ଡ ବିଧାନହାର ୨୬.୫% ହୋଇଥିବାବେଳେ ଓଡ଼ିଶାରେ ୮.୩% ରହିଛି । ସବୁଠୁ ଆଶ୍ଚାର୍ଯ୍ୟ କଥା ହେଲା ଓଡ଼ିଶାର ଅଦାଲତରେ ପ୍ରାୟ ୯୮.୬% ମାମଲା ପେଣ୍ଡିଙ୍ଗ ରହିଛି । ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବା ନାଁରେ ଦଳୀୟ କାର୍ଯ୍ୟରେ ଲଗାଇବା ସହ ଅନ୍ୟ ମହିଳାଙ୍କୁ ଦୂରେଇ ରଖୁଛନ୍ତି । ଓଡ଼ିଶାରେ ୯୯% ମହିଳା ସ୍ୱାବଲମ୍ବୀ ହେବାରୁ ବଂଚିତ ରହିଥିବା ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ରାଜ୍ୟ ସରକାର ନାରୀଙ୍କ ପ୍ରତି ଏଭଳି ଅତ୍ୟାଚାରକୁ ଭାରତୀୟ ଜନତା ପାର୍ଟି ଆଦୌ ବରଦାସ୍ତ କରିବ ନାହିଁ । ନାରୀଙ୍କ ନ୍ୟାୟଲାଗି ବିଜେପି ଗାଁ ଗାଁରେ ବୁଲି ସଚେତନ ଓ ଜାଗରଣ କରିବ । ନାରୀଙ୍କ ସମ୍ମାନ ଲାଗି ବିଜେପି ମହିଳା ମୋର୍ଚ୍ଚା ଆସନ୍ତା ୨୨ ଓ ୨୩ ତାରିଖ ଦୁଇଦିନ ଧରି ବିଭିନ୍ନ ରାଜ୍ୟର ରାଷ୍ଟ୍ରୀୟ ସ୍ତରରେ ନେତୃତ୍ୱ ନେଇଥିବା ୩୬ଜଣ ମହିଳା ନେତ୍ରୀ ଓଡ଼ିଶା ଆସୁଛନ୍ତି । ଓଡ଼ିଶାରେ ୩୬ଟି ସାଂଗଠନିକ ଜିଲ୍ଲା ଗସ୍ତ କରି ପ୍ରଧାନମନ୍ତ୍ରୀ ମୋଦି ସରକାର ମହିଳାଙ୍କ ଲାଗି ଜନକଲ୍ୟାଣକାରି ଯୋଜନାଗୁଡିକ ବିଷୟରେ ଅବଗତ କରାଇବେ । ଏଥି ସହ ରାଜ୍ୟରେ ମହିଳାମାନଙ୍କ ବାସ୍ତବ ସ୍ଥିତି ସଂପର୍କରେ ମଧ୍ୟ ଅବଗତ ହେବେ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି ।
ଏହି ଅବସରରେ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର, ମହିଳା ମୋର୍ଚ୍ଚା ଗଣମାଧ୍ୟମ ମୁଖ୍ୟ ସୁଚରିତା ଜେନାମଣୀ ପ୍ରମୁଖ ଉପସ୍ଥିତ ଥିଲେ ।