-
୫ ଲକ୍ଷ ୫୪ ହଜାର ୬୭୯ ଏକର ଜମିରେ ଚାଷ ନ ହୋଇ ଚାଷ ହୋଇଥିବା ରିପୋର୍ଟ କଲା କିଏ ? ବସନ୍ତ ପଣ୍ଡା
-
୧୭୧୫ କୋଟି ଟଙ୍କାର ଏମଏସପି ସହାୟତା ପାଇବାକୁ ମସୁଧା ହୋଇଛି
-
ନକଲି ଚାଷୀ, ଠକ ବେପାରୀମାନେ ମଣ୍ଡି କର୍ମଚାରୀଙ୍କ ସହିତ ଅସାଧୁ ମେଣ୍ଟ କରି ଧାନ ବିକ୍ରି ନିମନ୍ତେ ଟୋକନ ହାତେଇବା ସହିତ ଏମଏସପିକୁ ହରିଲୁଟ କରୁଛନ୍ତି
-
ଗତବର୍ଷ ଧାନ କିଣାରେ ଦୁର୍ନୀତି ନେଇ କେନ୍ଦ୍ରୀୟ ତଦନ୍ତକାରୀ ଟିମ ଦେଇଥିବା ତଥ୍ୟ ଓ ପରାମର୍ଶକୁ ରାଜ୍ୟ ସରକାରଙ୍କ ବେଖାତିର
-
ରାଜ୍ୟରେ ଧାନ କିଣାରେ ଦୁର୍ନୀତି, ତ୍ରୁଟିପୂର୍ଣ୍ଣ ମଣ୍ଡି ପରିଚାଳନା, ପ୍ରଶାସନ ଓ ମିଲରଙ୍କ ପରସ୍ପର ଉପରେ ଦୋଷ ଲଦାଲଦି ଯୋଗୁଁ ଅସୁବିଧାରେ ଚାଷୀ
-
ରାଜ୍ୟର ଅନେକ ଜିଲ୍ଲାରେ ମଣ୍ଡି ଖୋଲିନାହିଁ, ନିର୍ଦ୍ଧାରିତ ସୀମା ପରିବର୍ତ୍ତେ ୪୦-୪୩ ଦିନ ମଧ୍ୟରେ ଧାନ କିଣା ହେବା ଚାଷୀଙ୍କ ପାଇଁ ଚିନ୍ତାର କାରଣ
-
ମଣ୍ଡି ସେକ୍ରେଟାରୀଙ୍କ ଦ୍ୱାରା ଦଳୀୟ ଭିତ୍ତିରେ ଟୋକନ ଦେବାରେ ପକ୍ଷପାତିତା
-
ଧାନକିଣାରେ ମିଲରଙ୍କ ଦ୍ୱାରା ପ୍ରିୟାପ୍ରୀତି ପୋଷଣର ଶୀକାର ଚାଷୀ
-
କଟନୀ-ଛଟନୀ କାରଣରୁ ଚାଷୀମାନେ ଏମଏସପିର ମୂଲ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି
ନୂଆଦିଲ୍ଲୀ/ଭୁବନେଶ୍ୱର,ଓଡ଼ିଶାରେ କ୍ରମାଗତ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପି ସାଂସଦମାନେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।
ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ସଙ୍ଗୀତା ସିଙ୍ଗଦେଓ, ନିତିଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଏ ନେଇ ସାଂସଦ ଶ୍ରୀ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ଯେ, ନକଲି ଚାଷୀ, ଠକ ବେପାରୀମାନେ ମଣ୍ଡି କର୍ମଚାରୀଙ୍କ ସହିତ ଅସାଧୁ ମେଣ୍ଟ କରି ଧାନ ବିକ୍ରି ନିମନ୍ତେ ଟୋକନ ହାତେଇବା ସହିତ ସରକାରୀ ଏମଏସପିକୁ ହରିଲୁଟ କରୁଛନ୍ତି । ସାଟେଲାଇଟ ସର୍ଭେ ମାଧ୍ୟମରେ ଜଣାପଡିଛି, ଚଳିତ ଖରିଫ ଋତୁରେ ୫ ଲକ୍ଷ ୫୪ ହଜାର ୬୭୯ ଏକର ଜମି ଭୂତ ଜମି ବୋଲି ଜଣାପଡିଛି । ମାତ୍ର ଏ ବାବଦରେ ୧୭୧୫ କୋଟି ଟଙ୍କାର ଏମଏସପି ସହାୟତା ପାଇବାକୁ ମସୁଧା ହୋଇଛି । ତେବେ ସାଟେଲାଇଟ ସର୍ଭେରେ ଜଣାପଡିଥିବା ଭୂତ ଜମି ରିପୋର୍ଟ କିଏ କଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ନିରନ୍ତର ସମର୍ଥନ ସହଯୋଗ ଯୋଗାଇ ଆସୁଛନ୍ତି । ସଠିକ୍ ସମୟରେ ଚାଷୀଙ୍କ ଉତ୍ପାଦିତ କୃଷି ସାମଗ୍ରୀର ଉଚିତ୍ ମୂଲ୍ୟ ପ୍ରଦାନକୁ ସୁନିଶ୍ଚିତ କରାଯାଇଛି । ଭାରତ ସରକାରଙ୍କ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗ(ଡିଏଫପିଡି) ବିକେନ୍ଦ୍ରୀକରଣ କ୍ରୟ ପ୍ରଣାଳୀ ମାଧ୍ୟମରେ ସଂଗ୍ରହ ପ୍ରକ୍ରୟା ଏବଂ ପିଡିଏସ ଦକ୍ଷତା ବଢାଇ ତୃଣମୂଳ ସ୍ତରରେ ଧାନ କିଣାକୁ ପ୍ରୋତ୍ସାହନ ଦେଉଛି । ଏହା ଦ୍ୱାରା ସ୍ଥାନୀୟ ଚାଷୀମାନେ ଏମଏସପିର ଲାଭ ନେଉଛନ୍ତି ।
ମାତ୍ର ଓଡ଼ିଶାରେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା କାରଣରୁ ଧାନ ସଂଗ୍ରହ ପ୍ରକ୍ରିୟା ଓଡ଼ିଶାର ଚାଷୀଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ୧୬ ମାର୍ଚ୍ଚ ୨୦୨୧ ଏବଂ ୨୨ ଡିସେମ୍ବର ୨୦୨୨ରେ ଆରଏମଏସି, ମଣ୍ଡି ସୋସାଇଟି ଚାଲିଥିବା ଦୁର୍ନୀତି ଓ ଅବ୍ୟବସ୍ଥା ସମ୍ପର୍କରେ ଆମ ଦଳ ତରଫରୁ ଭାରତ ସରକାରଙ୍କ ବିଭାଗୀୟ ମନ୍ତ୍ରାଳୟକୁ ବିସ୍ତୁତ ସୂଚନା ଦିଆଯାଇଥିଲା । ଏହି ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ଟିମ୍ କରିଥିବା ତଦନ୍ତରେ ମଧ୍ୟ ଉକ୍ତ ବିଷୟରେ ମତ ରଖିଥିଲା । ମାତ୍ର ଦୁର୍ଭାଗ୍ୟଜନକ ଭାବେ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ଦେଇଥିବା ରିପୋର୍ଟ ଓ ପରାମର୍ଶକୁ ଉପେକ୍ଷା କରିଛନ୍ତି, ଯାହା ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଧାନ କିଣା ପ୍ରକ୍ରିୟାରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି ।
ସରକାରୀ ଭାବେ ଖରିଫ୍ ଧାନ କିଣା ବ୍ୟବସ୍ଥା ଅକ୍ଟୋବରରୁ ଆରମ୍ଭ ହୋଇଥାଏ । ଧାନ କିଣାକୁ ବ୍ୟବସ୍ଥିତ କରିବା ପାଇଁ ଏହାର ସମୟ ସୀମା ରହିଛି ୧୫୧ ଦିନ । ମାତ୍ର ଓଡ଼ିଶାରେ କିଛି ଜିଲ୍ଲାକୁ ଛାଡିଦେଲେ ଡ଼ିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ମଣ୍ଡି ଖୋଲିନାହିଁ । ନିର୍ଦ୍ଧାରିତ ୧୫୧ ଦିନ ସରକାରୀ ଧାନ କିଣା ସମୟ ସୀମା ପରିବର୍ତ୍ତେ ୪୦-୪୩ ଦିନରେ ଧାନ କିଣା ହେବା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଏକ ନିର୍ଦ୍ଦିଷ୍ଟ ବିକ୍ରି ସମୟ ସୀମା କାରଣରୁ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଶସ୍ୟକୁ ମଣ୍ଡିକୁ ଆଣି ବିକ୍ରି କରିବା ଏବଂ ନିଜର କଷ୍ଟ ଉପାର୍ଜିତ ଆୟ କରିବାରେ ଅସମର୍ଥ ହେଉଛନ୍ତି । ନିକଟରେ ହୋଇଥିବା ଡ୍ରୋନ ସର୍ଭେର ରିପୋର୍ଟ ଅନୁସାରେ ପ୍ରାୟ ୩୫ ପ୍ରତିଶତ ଚାଷ ଜମିରୁ ଫସଲ ଅମଳ ସରିଛି । ମାତ୍ର ଅଧିକାଂଶ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲିନାହିଁ । ରାଜ୍ୟ ସରକାର ବିକେନ୍ଦ୍ରୀକରଣ ନାଁରେ ଜିଲ୍ଲାସ୍ତରୀୟ ଧାନ କିଣା କମିଟି (ଡିଏଲସିପି) ଉପରେ ଦୋଷ ଲଦୁଛନ୍ତି । କ୍ଷୋଭର ବିଷୟ ଯେ, ଏହି ସବୁ ପରୋକ୍ଷ ଭାବରେ ଓଡ଼ିଶା ସରକାରଙ୍କ ପ୍ରତିନିଧି ତଥା ଅଧିକାରୀଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି ।
ମଣ୍ଡିର ସେକ୍ରେଟାରୀଙ୍କ ଦ୍ୱାରା ଦଳୀୟ ଭିତ୍ତିରେ ଟୋକନ ଦେବାରେ ପକ୍ଷପାତିତା ହେଉଛି । ଅନେକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଟୋକନ ଲାପ୍ସ ହେଉଛି । ଧାନକିଣାରେ ମିଲରଙ୍କ ଦ୍ୱାରା ପ୍ରିୟାପ୍ରୀତି ପୋଷଣର ଶୀକାର ଚାଷୀମାନେ ହେଉଛନ୍ତି । ଅନେକ ଖୋଲାଯାଇନଥିବା ମଣ୍ଡିରେ ବେଆଇନ ଭାବେ ଚାଉଳ ଉଠାଣ ହେଉଛି । ମଣ୍ଡିରେ ଚାଷୀମାନେ ରାତିରେ ନିଜର ଉତ୍ପାଦିତ ସାମଗ୍ରୀକୁ ଜଗି ରହିବାକୁ ପଡୁଛି । ବର୍ତ୍ତମାନ ଶୀତ ସମୟରେ ଚାଷୀମାନଙ୍କ ଯନ୍ତ୍ରଣା କଷ୍ଟଦାୟକ ହୋଇଛି । ମଣ୍ଡି କର୍ତ୍ତୃପକ୍ଷ ଦ୍ୱାରା ଚାଷୀଙ୍କୁ ବିନା ମୂଲ୍ୟରେ ବସ୍ତା ଯୋଗାଇବାର ନିୟମ ରହିଥିବା ବେଳେ ଏହାର ବୀପରିତ ପରିଲକ୍ଷିତ ହେଉଛି । ଚାଷୀମାନେ କ୍ଷେତରୁ ମଣ୍ଡି ପର୍ଯ୍ୟନ୍ତ ତଥା ମିଲରଙ୍କ ପାଖକୁ ଧାନ ନେବା ପାଇଁ ଆର୍ଥିକ ଖର୍ଚ୍ଚ ନିଜେ ଭରଣା କରୁଛନ୍ତି ।
ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ଧାନ ସହ ୬ ରୁ ୮ କିଲୋ ଧାନ ଦଲାଲ ଏବଂ ଏଜେଣ୍ଟଙ୍କୁ ଦେବା ପାଇଁ ବାଧ୍ୟ କରାଯାଉଛି । ଯାହା ସ୍ଥାନୀୟ କଟନୀ-ଛଟନୀକୁ ପ୍ରୋତ୍ସାହିତ କରୁଛି । କଟନୀ-ଛଟନୀ କାରଣରୁ ଚାଷୀମାନେ ଧାନ ଏମଏସପିର ଧାର୍ଯ୍ୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି । ଉଷୁନା ଧାନ ଏଫଏକ୍ୟୁ ଦ୍ୱାରା ମାନ ନିର୍ଦ୍ଧାରଣ କରାଯାଉଥିବା ବେଳେ କିଣା ପ୍ରକ୍ରିୟାରେ ସାମିଲ ଥିବା ବ୍ୟକ୍ତିଙ୍କ ଦ୍ୱାରା ମୂଲ୍ୟର ଦୁରୂପଯୋଗ କରାଯାଉଛି ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ ଏବଂ ମିଲର ମାନଙ୍କ ମଧ୍ୟରେ ଥିବା ଅନୈତିକ କାରବାର ଧାନ କିଣା ସ୍ୱୟଂକ୍ରିୟ ବ୍ୟବସ୍ଥା(ପି-ପାସ)କୁ ପ୍ରହସନରେ ପରିଣତ କରିଛି । ଏହା ଦ୍ୱାରା ଚାଷୀ ମାନଙ୍କ ଠାରୁ ମୁଷ୍ଟିମେୟ ବେପାରୀ ସେମାନଙ୍କ ହକକୁ ଛଡାଇ ନେଉଛନ୍ତି । ଧାନ କିଣା ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ମଣ୍ଡି ସେକ୍ରେଟାରୀମାନେ ଧାନ ଉଠୁ ନଥିବା କାରଣ ଭାବେ ମିଲର ମାନଙ୍କୁ ମିଳିନଥିବା ମିଲର ଅଥରିଟି ସ୍ଲିପର ବାହାନା ଦେଉଛନ୍ତି । ମିଲର ଅଥରିଟି ସ୍ଲିପ୍ ମିଳିବା ପରେ ଧାନ କିଣିବା ନିମନ୍ତେ ମିଲର ମାନଙ୍କୁ ଯୋଗାଣ ଅଫିସର ବା ସିଏସଓ ମାନେ ସୋସାଇଟି ଅଥରିଟି ସ୍ଲିପ ପ୍ରଦାନ କରିଥାନ୍ତି । ସିଏସଓଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଧାନ କିଣାଯାଉନଥିବା ବାବଦରେ ଚାଷୀ ଅଭିଯୋଗ କଲେ ଅଧିକାରୀମାନେ ମିଲରଙ୍କ ଉପରେ ଦୋଷ ଲଦୁଛନ୍ତି । ସିଏସଓମାନେ ଏ ପର୍ଯ୍ୟନ୍ତ ମିଲର ଅଥରିଟି ସ୍ଲିପ୍ ପ୍ରଦାନ କରିନ ଥିବାରୁ ମିଲରମାନେ ମଣ୍ଡିରୁ ଧାନ ଉଠାଉନଥିବା ସୂଚନା ମିଳିଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଯୋଗାଣ ଅଧିକାରୀମାନେ ମିଲର ମାନଙ୍କୁ ମଣ୍ଡି ଏବଂ ଧାନ କିଣାର ପରିମାଣ ଧାର୍ଯ୍ୟ କରୁଥିବାରୁ ମିଲରମାନେ ଯୋଗାଣ ଅଧିକାରୀଙ୍କ ଇସାରାରେ କାର୍ଯ୍ୟ କରୁଛନ୍ତି ବୋଲି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ।