
ବଲାଙ୍ଗିର, ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି । ବଲାଙ୍ଗୀର ଜିଲା ଅନ୍ତର୍ଗତ କଂଟାବାଞ୍ଜି ଜେଲ୍ ଶୌଚାଳୟରେ ବେକରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ତାକୁ ଗୁରୁତର ଅବସ୍ଥାରେ ଜେଲ୍ କର୍ତୃପକ୍ଷ ଉଦ୍ଧାର କରି କଂଟାବାଞ୍ଜି ହସ୍ପିଟାଲକୁ ନେଇଥିଲେ । ସେଠାରେ ଗୋବିନ୍ଦକୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡିଛି । ତେବେ ହାଇ ସିକ୍ୟୁରିଟି ମଧ୍ୟରେ ଜେଲ୍ ରେ ଥିବା ଗୋବିନ୍ଦ କିପରି ଆତ୍ମହତ୍ୟା କଲେ ତାହା ଏବେବି ଅସ୍ପଷ୍ଟ ରହିଛି ।
ଆଜି ଅଭିଯୁକ୍ତ ଗୋବିନ୍ଦ କଂଟାବାଞ୍ଜି ଜେଏମଏଫସି କୋର୍ଟରେ ହାଜର ହେବାର ଥିଲା । ତେବେ ଏଥି ପୂର୍ବରୁ ସେ ଆତ୍ମହତ୍ୟା କରିଛି । ଅନ୍ୟପକ୍ଷରେ ସମ୍ବଲପୁର ପ୍ରିଜନ୍ ରେଞ୍ଜ୍ ଡିଆଇଜି ଅନସୂୟା ଜେନା ଘଟଣାର ତଦନ୍ତ କରିବେ । ଏବଂ ତଦନ୍ତ କରି ରିପୋର୍ଟ ପ୍ରଦାନ ପାଇଁ ଜେଲ୍ ବିଭାଗ ନିର୍ଦ୍ଦେଶ ଦେଇଛି ।