ନୂଆଦିଲ୍ଲୀ/ଭୁବନେଶ୍ୱର,ଓଡ଼ିଶାରେ କ୍ରମାଗତ ଧାନ କିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା ଓ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ହସ୍ତକ୍ଷେପ କରିବାକୁ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡ଼ିଶାର ବିଜେପି ସାଂସଦମାନେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ଏ ନେଇ ସାଂସଦ ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ଯେ, ନକଲି ଚାଷୀ, ଠକ ବେପାରୀମାନେ ମଣ୍ଡି କର୍ମଚାରୀଙ୍କ ସହିତ ଅସାଧୁ ମେଂଟ କରି ଧାନ ବିକ୍ରି ନିମନ୍ତେ ଟୋକନ ହାତେଇବା ସହିତ ସରକାରୀ ଏମଏସପିକୁ ହରିଲୁଟ କରୁଛନ୍ତି । ସାଟେଲାଇଟ ସର୍ଭେ ମାଧ୍ୟମରେ ଜଣାପଡିଛି, ଚଳିତ ଖରିଫ ଋତୁରେ ୫ ଲକ୍ଷ ୫୪ ହଜାର ୬୭୯ ଏକର ଜମି ଭୂତ ଜମି ବୋଲି ଜଣାପଡିଛି । ମାତ୍ର ଏ ବାବଦରେ ୧୭୧୫ କୋଟି ଟଙ୍କାର ଏମଏସପି ସହାୟତା ପାଇବାକୁ ମସୁଧା ହୋଇଛି । ତେବେ ସାଟେଲାଇଟ ସର୍ଭେରେ ଜଣାପଡିଥିବା ଭୂତ ଜମି ରିପୋର୍ଟ କିଏ କଲା ବୋଲି ସେ ପ୍ରଶ୍ନ କରିଛନ୍ତି ।
୧୬ ମାର୍ଚ୍ଚ ୨୦୨୧ ଏବଂ ୨୨ ଡିସେମ୍ବର ୨୦୨୨ରେ ଆରଏମଏସି, ମଣ୍ଡି ସୋସାଇଟି ଚାଲିଥିବା ଦୁର୍ନୀତି ଓ ଅବ୍ୟବସ୍ଥା ସମ୍ପର୍କରେ ଆମ ଦଳ ତରଫରୁ ଭାରତ ସରକାରଙ୍କ ବିଭାଗୀୟ ମନ୍ତ୍ରାଳୟକୁ ବିସ୍ତୁତ ସୂଚନା ଦିଆଯାଇଥିଲା । ଏହି ଦୁର୍ନୀତିକୁ ନେଇ କେନ୍ଦ୍ରୀୟ ଟିମ୍ କରିଥିବା ତଦନ୍ତରେ ମଧ୍ୟ ଉକ୍ତ ବିଷୟରେ ମତ ରଖିଥିଲା । ମାତ୍ର ଦୁର୍ଭାଗ୍ୟଜନକ ଭାବେ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ଦେଇଥିବା ରିପୋର୍ଟ ଓ ପରାମର୍ଶକୁ ଉପେକ୍ଷା କରିଛନ୍ତି, ଯାହା ବର୍ତ୍ତମାନ ରାଜ୍ୟରେ ଚାଲିଥିବା ଧାନ କିଣା ପ୍ରକ୍ରିୟାରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା ପରିଲକ୍ଷିତ ହେଉଛି ।
ଧାନ କିଣାକୁ ବ୍ୟବସ୍ଥିତ କରିବା ପାଇଁ ଏହାର ସମୟ ସୀମା ରହିଛି ୧୫୧ ଦିନ । ମାତ୍ର ଓଡ଼ିଶାରେ କିଛି ଜିଲ୍ଲାକୁ ଛାଡିଦେଲେ ଡ଼ିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ମଣ୍ଡି ଖୋଲିନାହିଁ । ନିର୍ଦ୍ଧାରିତ ୧୫୧ ଦିନ ସରକାରୀ ଧାନ କିଣା ସମୟ ସୀମା ପରିବର୍ତ୍ତେ ୪୦-୪୩ ଦିନରେ ଧାନ କିଣା ହେବା ଚାଷୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଅନେକ ଖୋଲାଯାଇନଥିବା ମଣ୍ଡିରେ ବେଆଇନ ଭାବେ ଚାଉଳ ଉଠାଣ ହେଉଛି । ମଣ୍ଡିରେ ଚାଷୀମାନେ ରାତିରେ ନିଜର ଉତ୍ପାଦିତ ସାମଗ୍ରୀକୁ ଜଗି ରହିବାକୁ ପଡୁଛି । ବର୍ତମାନ ଶୀତ ସମୟରେ ଚାଷୀମାନଙ୍କ ଯନ୍ତ୍ରଣା କଷ୍ଟଦାୟକ ହୋଇଛି । ମଣ୍ଡି କର୍ତ୍ତୃପକ୍ଷ ଦ୍ୱାରା ଚାଷୀଙ୍କୁ ବିନା ମୂଲ୍ୟରେ ବସ୍ତା ଯୋଗାଇବାର ନିୟମ ରହିଥିବା ବେଳେ ଏହାର ବୀପରିତ ପରିଲକ୍ଷିତ ହେଉଛି । ଚାଷୀମାନେ କ୍ଷେତରୁ ମଣ୍ଡି ପର୍ଯ୍ୟନ୍ତ ତଥା ମିଲରଙ୍କ ପାଖକୁ ଧାନ ନେବା ପାଇଁ ଆର୍ôଥକ ଖର୍ଚ୍ଚ ନିଜେ ଭରଣା କରୁଛନ୍ତି । ଚାଷୀଙ୍କୁ ପ୍ରତି କ୍ୱିଣ୍ଟାଲ ଧାନ ସହ ୬ ରୁ ୮ କିଲୋ ଧାନ ଦଲାଲ ଏବଂ ଏଜେଣ୍ଟଙ୍କୁ ଦେବା ପାଇଁ ବାଧ୍ୟ କରାଯାଉଛି । କଟନୀ-ଛଟନୀ କାରଣରୁ ଚାଷୀମାନେ ଧାନ ଏମଏସପିର ଧାର୍ଯ୍ୟ ମୂଲ୍ୟ କ୍ୱିଣ୍ଟାଲ ପିଛା ୧୯୪୦ ଟଙ୍କା ପାଇବାରୁ ବଞ୍ଚିତ ହେଉଛନ୍ତି ।
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିକାରୀ ଏବଂ ମିଲର ମାନଙ୍କ ମଧ୍ୟରେ ଥିବା ଅନୈତିକ କାରବାର ଧାନ କିଣା ସ୍ୱୟଂକ୍ରିୟ ବ୍ୟବସ୍ଥା(ପି-ପାସ)କୁ ପ୍ରହସନରେ ପରିଣତ କରିଛି । ଏହା ଦ୍ୱାରା ଚାଷୀ ମାନଙ୍କ ଠାରୁ ମୁଷ୍ଟିମେୟ ବେପାରୀ ସେମାନଙ୍କ ହକକୁ ଛଡାଇ ନେଉଛନ୍ତି । ଧାନ କିଣା ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ମଣ୍ଡି ସେକ୍ରେଟାରୀମାନେ ଧାନ ଉଠୁ ନଥିବା କାରଣ ଭାବେ ମିଲର ମାନଙ୍କୁ ମିଳିନଥିବା ମିଲର ଅଥରିଟି ସ୍ଲିପର ବାହାନା ଦେଉଛନ୍ତି । ମିଲର ଅଥରିଟି ସ୍ଲିପ୍ ମିଳିବା ପରେ ଧାନ କିଣିବା ନିମନ୍ତେ ମିଲର ମାନଙ୍କୁ ଯୋଗାଣ ଅଫିସର ବା ସିଏସଓ ମାନେ ସୋସାଇଟି ଅଥରିଟି ସ୍ଲିପ ପ୍ରଦାନ କରିଥାନ୍ତି । ସିଏସଓଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଧାନ କିଣାଯାଉନଥିବା ବାବଦରେ ଚାଷୀ ଅଭିଯୋଗ କଲେ ଅଧିକାରୀମାନେ ମିଲରଙ୍କ ଉପରେ ଦୋଷ ଲଦୁଛନ୍ତି ବୋଲି ସାଂସଦ ବସନ୍ତ ପଣ୍ଡା କହିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ ସାଂସଦ ବସନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ, ସଙ୍ଗୀତା ସିଙ୍ଗଦେଓ, ନିତିଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।