ଭୁବନେଶ୍ୱର, ସ୍ଥାନୀୟ ୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆଠାରେ ମଙ୍ଗଳବାର ପୂର୍ବାହ୍ନରେ କିଶୋର ପ୍ରତିଭାର ମହାକୁମ୍ଭ ‘ସରଗିଫୁଲ’-୨୦୨୨ର ଦ୍ୱାଦଶ ସଂସ୍କରଣ ଉଦ୍ଘାଟିତ ହୋଇଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ‘ସରଗିଫୁଲ’-୨୦୨୨ ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଉପେନ୍ଦ୍ର ତ୍ରିପାଠୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ରୂପାରୋଶନ ସାହୁ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଉଦ୍ଘାଟନ ଅବସରରେ ଅତିଥିମାନେ ଏହି ମହୋତ୍ସବ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ଲୁଗାୟିତ ପ୍ରତିଭାର ବିକାଶରେ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ । ଭବିଷ୍ୟତରେ ଛାତ୍ରଛାତ୍ରୀମାନେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ । ‘ସରଗିଫୁଲ’ ଭଳି ଛାତ୍ରଛାତ୍ରୀଙ୍କ ପ୍ରତିଭା ସର୍ବତ୍ର ମହକିବ । ଏ ଦିଗରେ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ପ୍ରତ୍ୟେକଙ୍କର ମହତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଅତିଥିମାନେ ମତ ଦେଇଥିଲେ ।
‘ସରଗିଫୁଲ୍’-୨୦୨୨ ମହୋତ୍ସବରେ ରାଜ୍ୟର ସମସ୍ତ ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ ସ୍କୁଲ, ସେବାଶ୍ରମ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ଓ ଶିକ୍ଷାପୁଂଜ ସମୂହରେ ପଞ୍ଚମରୁ ଦଶମ ଶ୍ରେଣୀରେ ପଢ଼ୁଥିବା ୧୦୬୯ ଜଣ ଛାତ୍ରଛାତ୍ରୀ ଏବଂ ୧୪୯ ଜଣ ଶିକ୍ଷକଶିକ୍ଷୟିତ୍ରୀ ଯୋଗଦେଇଛନ୍ତି । ରାଜ୍ୟସ୍ତରୀୟ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ଗତ ନଭେମ୍ବର ମାସରେ ଜିଲ୍ଲାସ୍ତରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ ଶ୍ରେଷ୍ଠ ବିଜେତାଙ୍କୁ ହିଁ ଚୟନ କରାଯାଇଥିଲା ।
‘ସରଗିଫୁଲ୍’-୨୦୨୨ ଉତ୍ସବରେ ବରିଷ୍ଠ ଓ କନିଷ୍ଠ ବିଭାଗ ପାଇଁ ପ୍ରତ୍ୟେକ ଦିନ ସୁଦୃଶ୍ୟ ଭାବରେ ନିର୍ମିତ ୨୫ଟି ଷ୍ଟଲରେ ପିଲାମାନେ ବିଭିନ୍ନ କର୍ମଶାଳାରେ ସେମାନଙ୍କର ପରାକାଷ୍ଠା ପ୍ରଦର୍ଶନ କରି ନୂତନ ଜ୍ଞାନ ଆହରଣ କରିବାର ସୁଯୋଗ ପାଉଛନ୍ତି । ସେହିଭଳି ୧୪ଟି ବିଭାଗରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇ ପିଲାମାନଙ୍କ ଜ୍ଞାନର ବିକାଶ ପାଇଁ ସୁଯୋଗ ସୃଷ୍ଟି କରାଯାଉଛି । ପ୍ରତ୍ୟେକ ସନ୍ଧ୍ୟାରେ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ।
ଏହି ଅବସରରେ ଆୟୋଜିତ ବିଜ୍ଞାନମେଳା ଉଦ୍ଘାଟିତ ହୋଇଛି । ଏହି ବିଜ୍ଞାନମେଳାରେ ୪୦ଟି ଷ୍ଟଲରେ ୮୦ ଜଣ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ୪୦ ଜଣ ଶିକ୍ଷକଶିକ୍ଷୟିତ୍ରୀଙ୍କ ତତ୍ୱାବଧାନରେ ଆୟୋଜିତ ବିଜ୍ଞାନମେଳା ବେଶ୍ ଆକର୍ଷଣୀୟ ହୋଇଛି ।
‘ସରଗିଫୁଲ୍’-୨୦୨୨ ଡିସେମ୍ବର ୨୦ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୩ ତାରିଖ ଦିନ ପୂର୍ବାହ୍ନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦାନପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରିବାର କାର୍ଯ୍ୟକ୍ରମ ରହିଛି ।