ଭୁବନେଶ୍ୱର, ଭୁବନେଶ୍ୱର ସ୍ଥିତ ସୈନିକସ୍କୁଲ ଆସନ୍ତା ୨୪ ଓ ୨୫ ତାରିଖରେ ହୀରକ ଜୟନ୍ତୀ ପାଳନ କରିବାକୁ ଯାଉଛି । ସୈନିକସ୍କୁଲ ଭୁବନେଶ୍ୱର ୧୫ ଜାନୁଆରୀ ୧୯୬୨ ମସିହାରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ବର୍ତମାନର ନିଜସ୍ୱ ଅଟ୍ଟାଳିକା ୮ ଜାନୁଆରୀ ୧୯୬୪ରେ ପଣ୍ଡିତ ଜବାହରଲାଲ ନେହେରୁ ଉଦଘାଟନ କରିଥିଲେ । ଚଳିତ ବର୍ଷ ସୈନିକସ୍କୁଲର ହୀରକ ଜୟନ୍ତୀ ସହିତ ଛାତ୍ରପରିଷଦର ସୁବର୍ଣ୍ଣ ଜୟନ୍ତୀ ଜୟନ୍ତୀ ମଧ୍ୟ ପାଳନ କରାଯିବ ।
୨୪ ଡିସେମ୍ବର ଉତ୍ସବରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ମୁଖ୍ୟ ଅତିଥିଙ୍କୁ କୃଷି,ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ତଥା ପୁରାତନ ଛାତ୍ର ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ବିଦ୍ୟାଳୟର ଅଧ୍ୟକ୍ଷ କର୍ଣ୍ଣେଲ ବାଲୁଭରତ , ଲେପ୍ଟନାଂଟ; ଜେନେରାଲ ଜେ.କେ. ମହାନ୍ତି(ଅବସରପ୍ରାପ୍ତ) ଏବଂ ପୁରାତନ ଛାତ୍ରପରିଷଦ ସଭାପତି ହରଦମନ ସିଂ ସ୍ୱାଗତ କରିବେ । ମୁଖ୍ୟମନ୍ତ୍ରୀ ସୈନିକସ୍କୁଲର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କର ଆବକ୍ଷ ମୂର୍ତି ଅନାବରଣ କରିବା ସହିତ ୮ ନଭେମ୍ବର ୨୦୨୦ରେ ଜାମୁ କାଶ୍ମୀରି ସୀମାନ୍ତରେ ଉଗ୍ରବାଦୀଙ୍କ ସହିତ ଅସୀମ ସାହସର ସହିତ ଲଢେଇ କରି ସହୀଦ ହୋଇଥିବା ମରଣୋତର ସୌର୍ଯ୍ୟଚକ୍ର ଉପାଧିପ୍ରାପ୍ତ କ୍ୟାପଟେନ ଆଶୁତୋଷ କୁମାରଙ୍କ ପିତାମାତାଙ୍କୁ ଅଭିନନ୍ଦନ ଜଣାଇବେ ।
୨୫ ଡିସେମ୍ବର ଉତ୍ସବର ଦ୍ୱିତୀୟ ଦିନରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସହୀଦ ସ୍ମୃତିସ୍ମାରକୀ ପରିସରରେ ବିଦ୍ୟାଳୟର ସତର ଜଣ ବୀର ସହୀଦଙ୍କ ଉଦ୍ଦେଶ୍ୟରେ ମାଲ୍ୟାର୍ପଣ କରିବେ ।ଏତଦ ବ୍ୟତୀତ ସେ ପୁରାତନ ଛାତ୍ରପରିଷଦର ସ୍ମରଣିକା ଉନ୍ମୋଚନ କରିବା ସହିତ , ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ସମ୍ମାନିତ କରିବେ ଏବଂ କ୍ୟାଡେଟ ମାନଙ୍କୁ ଉଦବୋଧନ ଦେବେ ।ଏହି ଉତ୍ସବରେ
ଯୋଗ ଦେଉଥିବା ଅନ୍ୟ ଅତିଥିମାନେ ହେଲେ -ଲେପ୍ଟନାଂଟ; ଜେନେରାଲ ଅନିଲ କୁମାର ସାମନ୍ତରା ,ଏସ ଏମ,ଡିଜି ଇନଫ୍ୟାଂଟ୍ରି ,କମୋଡର ସୋମେନ ବାନାର୍ଜୀ,ଡିଡିଜି ଏନ .ସି .ସି ନିର୍ଦ୍ଦେଶାଳୟ ଏବଂ କମୋଡର ଏନ.ପି.ପ୍ରଦୀପ,କମାଣ୍ଡିଙ୍ଗ ଅଫିସର , ଆଇ .ଏନ.ଏସ , ଚିଲିକା । ଦୁଇ ଦିନର ଏହି ଉତ୍ସବରେ ପାରାଜମ୍ପିଙ୍ଗ ,ଡଗ ସୋ ,ମକୱାର ,ଜିମ୍ନାଷ୍ଟିକ୍ସ ,ଆର୍ମିବ୍ୟାଣ୍ଡ ,ନାଭାଲ ବ୍ୟାଣ୍ଡ ଏବଂ ପୁରାତନ ଛାତ୍ରମାନଙ୍କର ବ୍ୟାଚ ଅନୁସାରେ ମାର୍ଚ୍ଚପାଷ୍ଟ ପ୍ରଭୃତି ବିଭିନ୍ନ ଚିତାକର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ୨୪ ଡିସେମ୍ବର ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଭିତରେ ଗୋଟିପୁଅ ,ସିଂହାରୀ ,ପୁରୁଲିଆ ଛଉନୃତ୍ୟ ,ତାଳବାଦ୍ୟ ଏବଂ ସ୍କୁଲପିଲାମାନଙ୍କ ଦ୍ୱାରା କିଛି ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବ । ୨୫ ଡିସେମ୍ବର ସାଂସ୍କୃତିକ ସନ୍ଧ୍ୟାରେ ଓଡିଶାର ସ୍ୱନାମଧନ୍ୟ ଗାୟକ ଋତୁରାଜ ମହାନ୍ତି ସଂଗୀତ ପରିବେଷଣ କରିବେ ।
ଏହା ବ୍ୟତୀତ ସକାଳ ସମୟରେ ଏକ ସ୍ୱାସ୍ଥ୍ୟସେବା ଏବଂ ରକ୍ତଦାନ ଶିବିରର ଆୟୋଜନ କରାଯାଉଛି । ଆଉ ମଧ୍ୟ ପୁରାତନ ଛାତ୍ର ଏବଂ ବର୍ତମାନ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ବାସ୍କଟେବଲ ମ୍ୟାଚ ଅନୁଷ୍ଠିତ ହେବ ।ଏହି ଉତ୍ସବରେ ପ୍ରାୟ ୩୫୦୦ପୁରାତନ ଛାତ୍ର ଯୋଗଦେବେ । ଏହି ଉତ୍ସବକୁ ସଫଳ କରିବାପାଇଁ ସ୍କୁଲ କର୍ମକର୍ତା ,ପୁରାତନ ଛାତ୍ର ପରିଷଦ ଏବଂ କ୍ୟାଡେଟ ମାନଙ୍କ ତରଫରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଉଛି ।