ଭୁବନେଶ୍ୱର,ରାଜ୍ୟରେ ମଣ୍ଡି ଅବ୍ୟବସ୍ଥା ନେଇ ଭାରତୀୟ ଜନତା ପାର୍ଟି ପୁଣି ଥରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି । ଏହି ସମସ୍ୟାକୁ ନେଇ ବିଜେପି ଆନ୍ଦୋଳନ କରିବ ବୋଲି ଧମକ ଦେଇଛି ।
ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ପୃଥ୍ବିରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରାଜ୍ୟ ସରକାର ଚାଷୀ ମାରଣ ଯଜ୍ଞ କରୁଛନ୍ତି । ତଳୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପର୍ଯ୍ୟନ୍ତ ମିଲରଙ୍କ ଲିଙ୍କ ରହିଛି । ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁ ନାହିଁ ।
ସେ କହିଛନ୍ତି ଯେ ରାଜ୍ୟରେ ବିଳମ୍ବରେ ମଣ୍ଡି ଖୋଲିବାରୁ ଚାଷୀ ମାନେ ବାହାର ରାଜ୍ୟ ମୁହାଁ ହେଲେଣି । ଉପନିର୍ବାଚନ ପାଇଁ ପଦ୍ମପୁରରେ ୧୫ ଦିନ ପରେ ମଣ୍ଡି ଖୋଲିଲେ । ହେଲେ ଉପକୂଳରେ ଏପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇନି ।
ସେ କହିଛନ୍ତି ଯେ ଏହି କାରଣରୁ ଚାଷୀ ଦଲାଲକୁ ଧାନ ଦେଉଛନ୍ତି । ସେ ଅଭିଯୋଗ ପ୍ରକୋଷ୍ଠ ଖୋଲୁ ବୋଲି ଦାବି କରିବା ସହ ୧୦୦ ଟଙ୍କା ବୋନସ ଦିଆଯାଉ ବୋଲି ଦାବି କରିଛନ୍ତି ।