ରାଉରକେଲା,ବିଶ୍ଵକପ ହକି-୨୦୨୩ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି ଏବଂ ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସ୍ଵପ୍ନ ଦେଖିଥିଲେ ତାହା ସଫଳ ହୋଇଛି ବୋଲି ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନସଚିବ ଶ୍ରୀ ମହାପାତ୍ର ଆଜି ଗଣମାଧ୍ୟମକୁ ଏହା କହିଛନ୍ତି ।
ଆଜି ଏକ ସ୍ଵତନ୍ତ୍ର ବିମାନ ଯୋଗେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର, ଫାଇଭ୍- ଟି ସଚିବ ଭି.କେ. ପାଣ୍ଡିଆନ୍ ଓ କ୍ରୀଡ଼ା ସଚିବ ଆର. ଭିନିଲ୍ କ୍ରିଷ୍ଣା ରାଉରକେଲାରେ ପହଂଚି ସିଧାସଳଖ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନଙ୍କ ସହିତ ହକି ପଡ଼ିଆ ଅଂଚଳ ପରିଦର୍ଶନରେ ଯାଇଥିଲେ । ସେଠାରେ ଉଭୟ ପିଚ୍ ପ୍ରସ୍ତୁତ ହୋଇସାରିଥିବା ବେଳେ ଏଥିପାଇଁ ସମସ୍ତ ପ୍ରକାର ଲାଇସେନ୍ସ ମିଳିସାରିଛି ଏବଂ ଆଗାମୀ ୨୪ ତାରିଖ ଦିନ ଏହି ପିଚ୍ ରେ ପରୀକ୍ଷାମୂଳକ ଭାବେ ଅଭ୍ୟାସ ମ୍ୟାଚ୍ ଖେଳାଯିବ ଏବଂ ପିଚ୍ ରେ ଯଦି କିଛି ତ୍ରୁଟୀ ଦେଖାଯାଏ, ମୁଖ୍ୟ ଖେଳ ପୂର୍ବରୁ ତାହାର ସମାଧାନ କରାଯିବ ବୋଲି ମୁଖ୍ୟ ଶାସନସଚିବ ଶ୍ରୀ ମହାପାତ୍ର କହିଛନ୍ତି । ସେହିଭଳି ପଡ଼ିଆରେ ଲାଗିଥିବା ଉଚ୍ଚକ୍ଷମତା ସମ୍ପନ୍ନ ଆଲୋକ ଗୁଡିକ ପାଇଁ ଲାଇସେନ୍ସ ମିଳିବା ସହ ସେଗୁଡିକୁ ପରୀକ୍ଷା କରାଯାଇ ସାରିଛି । ତେବେ ଏହି ଖେଳ ପାଇଁ ଆବଶ୍ୟକ ହେଉଥିବା ବିମାନବନ୍ଦର କାର୍ଯ୍ୟ ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଂଚିଛି । ଏହାର ସମସ୍ତ ଅଂଚଳକୁ ଉଭୟ ଆଇଏଏସ ମାନେ ପରିଦର୍ଶନ କରି କହିଛନ୍ତି ଯେ, ଦୁଇରୁ ତିନି ଦିନ ମଧ୍ୟରେ ଡିଜିସିଏ ବିମାନ ବନ୍ଦର ଲାଗି ଲାଇସେନ୍ସ ପ୍ରଦାନ କରିବ । ପରେ ଉଡ଼ାଣ ଯୋଜନାରେ ବିମାନ ଚଳାଚଳ କରିବା ସହ ଖେଳ ସମୟରେ ଚାଟାର୍ଡ଼ ପ୍ଲେନ୍ ଗୁଡିକ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । କିନ୍ତୁ, ରାଉରକେଲା ବିମାନ ବନ୍ଦରକୁ ୨ସି କିମ୍ବା ୩ ସି ଲାଇସେନ୍ସ ମିଳିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଦେଇନଥିବା ବେଳେ ହକି ଖେଳ ପରେ ରାଉରକେଲା ବିମାନ ବନ୍ଦରରେ ନିୟମିତ ବିମାନ ଚାଲିବ କି ନାହିଁ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ୨ସି ଲାଇସେନ୍ସ ମିଳିଲେ ନିୟମିତ ବିମାନ ଚଳାଚଳ ହୋଇପାରିବ ନାହିଁ । ରାତି ସମୟରେ ମଧ୍ୟ ବିମାନ ସୁବିଧା ମିଳିବ ନାହିଁ । କିନ୍ତୁ, ୩ସି ଲାଇସେନ୍ସ ମିଳିଲେ ସମସ୍ତ ସୁବିଧା ସହ ଏଠାରେ ଏୟାର ବସ୍ ର ସୁବିଧା ମିଳିପାରିବ । ତେବେ ବିମାନ କ୍ଷେତ୍ରରୁ ବିମାନବନ୍ଦର କରାଯିବା ଭିତରେ ଏହାର ରନୱେକୁ ୨ସି ହିସାବରେ ନା ୩ସି ହିସାବରେ ନିର୍ମାଣ କରାଯାଇଛି ତାହା ଅସ୍ପଷ୍ଟ ରହିବା ସହ ଲାଇସେନ୍ସ ପ୍ରଦାନ ପରେ ଏହା କେଉଁ ମାନର ନିର୍ମାଣ ହୋଇଛି ତାହା ମଧ୍ୟ ସ୍ପଷ୍ଟ ହୋଇଯିବ ।