ପୁରୀ, ଉତ୍କଳ କମଳ ବିଳାସ ଦୀର୍ଘିକା -ମରାଳ ମାଳିନୀ ନିଳାମ୍ବୁ ଚିଲିକା । ଏସିଆ ମହାଦେଶର ବୃହତମ ହ୍ରଦ ଭାବେ ଚିଲିକା ପରିଚିତ । ଚିଲିକା ମଧ୍ୟରେ ମକର ପର୍ବତରେ ବିଜେ କରିଛନ୍ତି ମା କାଳିଜାଈ । ପର୍ଯ୍ୟଟକ, ତୀର୍ଥଯାତ୍ରୀ ଓ ଶ୍ରଦ୍ଧାଳୁମାନେ ମା’ଙ୍କ ମହିମା ଅପରୂପ ଚିଲିକା ହ୍ରଦ, ପକ୍ଷୀତୀର୍ଥ ନଳବଣ ଦର୍ଶନ କରିବା ପାଇଁ ଆସିଥାନ୍ତି । ମା କାଳିଜାଈଙ୍କ ମହିମା ଯୋଗୁଁ ହଜାର ହଜାର ମତ୍ସ୍ୟଜୀବୀ ବିପଦ ମୁଖରୁ ବର୍ତିଥିବା କଥିତ ଅଛି । ମା କାଳିଜାଈ ମହାମାୟୀ ଓ ମମତାମୟୀ । କାଳି ଓ ଜାଈ ଦୁଇଦେବୀ ମନ୍ଦିରରେ ବିରାଜିତ । ଚିଲିକାର ଗଣ୍ଡ ଦେଶରେ ମାଙ୍କ ପୀଠ । ପର୍ବତ ଶିଖରରେ ମା ବିରାଜିତ । ବିଦେଶାଗତ ପକ୍ଷୀଙ୍କ ମହାକୁମ୍ଭ ମେଳା ହୋଇଥାଏ ନଳବଣରେ । ହଜାର ହଜାର କିଲୋମିଟର ଉଡ଼ି ଉଡ଼ି ପକ୍ଷୀମାନେ ଚିଲିକାକୁ ଆସିଥାନ୍ତି । ଘଂଚ ଜଙ୍ଗଲ ଓ ପର୍ବତରେ ମାଙ୍କ ମନ୍ଦିର ଅବସ୍ଥିତ । ୩ ଫୁଟ ଉଚ୍ଚର ଦୁଇଖଣ୍ଡ ଶିଳାମୂର୍ତିରେ ମା କାଳି ଓ ଜାଇ ଦୁର୍ଗା ଓ ଚଣ୍ଡୀ ରୂପରେ ପୂଜିତ । ଷୋଳପୂଜା ସମୟରେ ପାରିକୁଦ ରାଜା ଗୁଆ ଦେଇ ବ୍ରାହ୍ମଣ ବରଣ କରି ଚଣ୍ଡୀପାଠ ପାଇଁ ମାଙ୍କ ମନ୍ଦିରକୁ ପଠେଇଥାନ୍ତି । ମାଙ୍କ ମନ୍ଦିରରେ ପଶୁବଳି ପ୍ରଥା ନାହିଁ । ମାନସିକ ଧାରୀମାନେ ଜିଅନ୍ତା କୁକୁଡ଼ା ଓ ଛେଳି ମାଙ୍କ ପର୍ବତରେ ଛାଡ଼ିଥାନ୍ତି । ବିପଦ ଓ ଆପଦ ସମୟରେ ମତ୍ସ୍ୟଜୀବୀମାନେ ମାଙ୍କୁ ସୁମରଣା କରି ନୌକା ଚାଳନା କରିଥାନ୍ତି । ପର୍ଯ୍ୟଟକ ଓ ତୀର୍ଥଯାତ୍ରୀମାନେ ବାଲୁଗାଁ ପଟୁ ମା କାଳିଜାଈ ପୀଠ ଓ ବ୍ରହ୍ମଗିରି ସାତପଡ଼ା ପଟୁ ମାଙ୍କ ପୀଠକୁ ବୋଟ ଯୋଗେ ଯାଇଥାନ୍ତି । ବାଲୁଗାଁ ବରକୁଳ ଠାରୁ ଯିବା ପାଇଁ ସମସ୍ତ ସୁବିଧା ରହିଛି । ସ୍ୱର୍ଗତଃ ପଣ୍ଡିତ ଗୋଦାବରିଶ ମିଶ୍ର ମା କାଳିଜାଈଙ୍କ ବିଷୟରେ ଲେଖିଥିବା କବିତା ଓଡ଼ିଶାର ଘରେ ଘରେ ପରିଚିତ । ଚିଲିକା ଦୃଶ୍ୟ ଦେଖିଲେ କବି, ଭାବୁକ, ଲେଖକ, ସାମ୍ବାଦିକ ଓ ଅନ୍ୟଚିନ୍ତାଶୀଳ ବ୍ୟକ୍ତିମାନେ ବିମୋହିତ ହୋଇଥାନ୍ତି । ମାମୁଁ ଭଣଜା ପାହଡ଼ରୁ ଆସୁଥିବା ସୁଲୁ ସୁଲୁ ପବନ ଭାବୁକମାନଙ୍କୁ ଆନମନା କରିଥାଏ । ନୀଳ ଢେଉର ତରଙ୍ଗାୟୀତ ଲହଡ଼ି, ସୁନେଲି ସୂର୍ଯ୍ୟ ଜଳରାଶି ଉପରେ ପଡ଼ି ଚିକମିକ ମାରିବା ଓ ଅସ୍ତଗାମୀ ସୂର୍ଯ୍ୟର ଦୃଶ୍ୟ ବେଶ ମନମୁଗ୍ଧକର । ଚିଲିକାରେ ଅକାତକାତ ପାଣି । ଡ଼ଙ୍ଗା ଚାଲିବା ସମୟରେ ସାଇଁ ସାଇଁ ପବନ ବୋହିବା ସହ ପର୍ଯ୍ୟଟକଙ୍କୁ ଆନନ୍ଦିତ କରିଥାଏ । ଘୋର ବନସ୍ତରେ ଗଜ ଯେପରି ଚାହିଁ ଥାଏ । ସେହିପରି ଚିଲିକା ମଝିରେ ଶ୍ରଦ୍ଧାଳୁ ମାଙ୍କ ପାହାଡ଼କୁ ଚାହିଁ ଡ଼ଙ୍ଗାରେ ଯାଇଥାଏ । ଡ଼ଙ୍ଗାରେ ଯିବା ସମୟରେ କୂଳରେ ଥିବା ପାହାଡ଼ ପାଦ ଦେଶରୁ ଆମ୍ବ, ବଉଳ ଓ ଲଙ୍କା ଆମ୍ବ ବଉଳର ବାସ୍ନା ବାରି ହୋଇପଡ଼ୁଥାଏ । ଚଢେଇ ଅଘା ପାହାଡ଼ର ଦୃଶ୍ୟ ଅତି ମନୋମୁଗ୍ଧକର । ଡ଼ଙ୍ଗାରେ ଯିବା ସମୟରେ ପାଣି କୁଆଙ୍କ ତରଙ୍ଗାୟୀତ ଉଡ଼ାଣ ପର୍ଯ୍ୟଟକଙ୍କୁ ଖୁସି ଦେଇଥାଏ । ବର୍ଷା ଦିନେ ଟିପି ଟିପି ବର୍ଷା ଚିଲିକାର ଜଳରାଶିରେ ପଡ଼ି ତେଲିଙ୍ଗି ବାଜାର ଶଦ୍ଦ ସୃଷ୍ଟି କରିଥାଏ । ଭାସି ଯାଉଥିବା ମେଘମାଳା ଶ୍ରଦ୍ଧାଳୁଙ୍କୁ ଦୃଶ୍ୟମାନ ହୋଇଥାଏ । ଚିଲିକାର କୂଳରେ ଥିବା ପାହାଡ଼ର ବଡ଼ ବଡ଼ ପଥର ଗୁଡ଼ିକ ଜଣାପଡ଼େ ସତେ ଯେମିତି ମଇଁଷିମାନେ ପାଣିରେ ବୁଡ଼ି ରହିଛନ୍ତି । ନିସ୍ତବ୍ଧ ରାତିରେ ନବ ବିବାହିତ ଯୁବତୀର କ୍ରନ୍ଦନ ସ୍ଵର କାଳିଜାଈ ପାହଡ଼ରୁ ଭାସି ଆସୁଥିବା କେତେକ ପୁରୁଖା ନାବିକମାନେ କହୁଛନ୍ତି । ଧୀବରମାନଙ୍କ ଇଷ୍ଟଦେବୀ ଭାବେ ମା କାଳିଜାଇ ପୂଜିତା । ଶ୍ରଦ୍ଧାଳୁ ମାନେ ମା କାଳିଜାଈଙ୍କୁ ସୁମରଣା କରି କାର୍ଯ୍ୟ ଆରମ୍ଭ କରିଥାନ୍ତି । ମାଙ୍କ ବିନା ଅନୁମତିରେ ଡ଼ଙ୍ଗାଟିଏ ହ୍ରଦରେ ଚାଲି ପାରିବ ନାହିଁ । ଭକ୍ତଙ୍କ ମନବାଞ୍ଛା ପୁରଣ ପାଇଁ କଳ୍ପବଟରେ ସାଲୁକନା ସଙ୍ଖା ବାନ୍ଧିବା ବିଧି ରହିଛି । ମା’ଙ୍କ ମକର ପର୍ବତରେ ମକର ମେଳା ମୁଖ୍ୟପର୍ବ । ମା କାଳିଜାଈ ମା ଲକ୍ଷ୍ମୀଙ୍କ ଦୁଇ ସହଚରୀ ଜୟା ଓ ବିଜୟା ଭାବେ ପରିଚିତା । ମା କାଳିଜାଈଙ୍କୁ ମଧ୍ୟ ଆଦିମାତା ରୂପେ ପୂଜା କରାଯାଏ । ମାଙ୍କ ଶିରରେ ଅର୍ଦ୍ଧଚନ୍ଦ୍ର ଶୋଭା ପାଉଛି । ମା ତିନି ନେତ୍ରରେ ତିନି ଜଗତକୁ ଶୁଭ ଦୃଷ୍ଟି ପକାଇଛନ୍ତି । ମା ଝିନ୍ନ ପାଟ୍ଟବସ୍ତ୍ର ଓ ପାଦରେ ନୁପୁର ପରିଧାନ କରିଛନ୍ତି । ରାତିରେ ପାହାଡ଼ରେ ପାଉଜିର ରୁଣୁଝୁଣୁ ଶଦ୍ଦ ଶୁଣାଯାଉଥିବା ଅଂଚଳବାସୀ କହୁଛନ୍ତି । ରକ୍ତ ବାହୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ଲୁଟିବା ସମୟରେ ମା ରତ୍ନଭଣ୍ଡାରକୁ ସୁରକ୍ଷା ଦେଇଥିବା କଥିତ ଅଛି । ରାଜା ପୁରୁଷୋତମ ଦେବ କାଂଚି ବିଜୟ ସମୟରେ ଜଗା ବଳିଆ ଚିଲିକା ଦେଇ ଯିବା ସମୟରେ ମା ଗୌଡୁଣୀ ବେଶରେ ଦହି ପ୍ରଦାନ କରିବା ସହ ବାଟ ଦେଖାଇ ଥିବା କିମ୍ବଦନ୍ତୀ ରହିଛି ।
ମା ବୈଷ୍ଣବୀ, କୌମାରୀ, ମାତଙ୍ଗୀ, ଚଣ୍ଡିକା, ଭବାନୀ, କାଳିକା, କାତ୍ୟାୟନୀ, ଛିନ୍ନମସ୍ତା ଓ ଗୌରୀ ନାମରେ ପରିଚିତ । ପାହାଡ଼ଘେରା ଚିଲିକାର ମଧ୍ୟ ଦେଶରେ ଶାନ୍ତ ପରିବେଶ ମଧ୍ୟରେ ରହଛନ୍ତି । ପାହାଡ଼ରେ ଗୁଲ୍ମ ଗଛ, ଆମ୍ବଗଛ, ଲଙ୍କାଆମ୍ବ ଓ ଅନ୍ୟାନ୍ୟ ଗଛ ରହିଛି । ବଣରେ ଛେଳି କୁକୁଡ଼ା ରହିଥିବା ଦେଖିବାକୁ ମିଳିଥାଏ । ମନ୍ଦିର ଚାରିପଟେ ଭୋଗ, ଦୀପ ଓ ଅନ୍ୟାନ୍ୟ ସମାଗ୍ରୀ ଦୋକାନ ରହିଛି । ମାଙ୍କ ପୀଠକୁ ଯିବା ପାଇଁ ଅନେକ ବ୍ୟବସ୍ଥା ରହିଛି । ଏବେ ବରକୂଳରେ ପର୍ଯ୍ୟଟକ ରହିବା ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଅତିଥିଶାଳା ସହ ଅନେକ ଘରୋଇ ହୋଟେଲ ଓ ଲଜିଂ ନିର୍ମାଣ ହୋଇଛି । ପର୍ଯ୍ୟଟକମାନେ ସେଠାରେ ରହି ସକାଳୁ ସକାଳୁ ମାଙ୍କୁ ଦର୍ଶନ କରିବା ସୁବିଧା ପାଇ ପାରୁଛନ୍ତି । ଶୀତ ଦିନେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ କାଳିଜାଈ ପୀଠକୁ ଆସିବା ସହ ନଳବଣରେ ପକ୍ଷୀ ଉଡ଼ିବା ଦୃଶ୍ୟ ଓ ଚିଲିକା ସମୁଦ୍ର ମୁହାଣ ଦର୍ଶନ କରିଥାନ୍ତି । ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ପାହାଡ଼ର ପାଦଦେଶରେ ବଣଭୋଜି କରୁଥିବା ଦେଖିବାକୁ ମିଳିଛି । ଚିଲିକା ମଧ୍ୟରେ ମା କାଳିଜାଈଙ୍କ ପୀଠ ଯୋଗୁଁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି ।