
ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ଗ୍ରାମପଞ୍ଚାୟତ ଅଧିନସ୍ଥ ଗଦଗଦାକୁ ପିକନିକ କରି ଯାଇଥିବା ୩୫ ବର୍ଷିୟ ଯୁବକ ତ୍ରିନାଥ ପ୍ରଧାନ ପାଣିରେ ବୁଡି ମୃତ୍ଯୁବରଣ କରିଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁଯାଇ, ସ୍ଥାନୀୟ ଲାଲଟିକିରାର ଏସେଟ ଫର୍ନିଚର ଦୋକାନ ମାଲିକ ଓ କିଛି କର୍ମଚାରୀ ଗତକାଲି ଗଦଗଦାକୁ ଭୋଜି କରିବାକୁ ଯାଇଥିଲେ। ତ୍ରିନାଥ ଗାଧୋଇବାକୁ ଗଦଗଦା ଠାରେ ଥିବା ଖଡଙ୍ଗ ନଦୀର ପାଣିକୁ ଓହ୍ଲାଇ ଥିଲେ। କିନ୍ତୁ, ପାଣି ଅଧିକ ଥିବାରୁ ସେ ପାଣିରେ ବୁଡି ଯାଉଥିବା ଦେଖି ସାଙ୍ଗରେ ଆସିଥିବା ମାଲିକ ଓ କର୍ମଚାରୀ ମାନେ ତ୍ରିନାଥକୁ ଉଦ୍ଧାର କରି ଗୁଡଭେଳା ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ସୁରଜ କୁମାର ବେହେରା ପ୍ରାଥମିକ ଚିକିତ୍ସା ପରେ ତ୍ରିନାଥଙ୍କୁ ମୃତ ଘୋଷଣା କରିବା ସହ ତୁଷୁରା ଥାନାକୁ ଖବର ଦେଇଥିଲେ। ଖବର ପାଇ ତୁଷୁରା ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରିଥିଲା। ତ୍ରିନାଥ ଲୋଇସିଂହା ବ୍ଳକ ଅନ୍ତର୍ଗତ ତଳି ଉଡାର ଗ୍ରାମର ହୋଇଥିବା ବେଳେ ବଲାଙ୍ଗୀରରେ ରହି ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି। ତାଙ୍କ ସ୍ତ୍ରୀ ଓ ଗୋଟିଏ ଛୋଟ ଛୁଆ ରହିଥିବା ଜଣାପଡିଛି।