-
ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ, ଶବାଗାର ନିକଟରେ ଧାରଣା
ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଳକ ଅନ୍ତର୍ଗତ ଜାମୁଟ ଗ୍ରାମପଂଚାୟତ ଅଧିନସ୍ଥ ଗୁଦଗୁଦା ଜଳପ୍ରପାତକୁ ଗତକାଲି ପିକନିକ କରି ଯାଇଥିବା ୩୫ ବର୍ଷିୟ ଯୁବକ ତ୍ରିନାଥ ପ୍ରଧାନଙ୍କ ପାଣିରେ ବୁଡି ମୃତ୍ୟୁ ଘଟିନାହିଁ ବରଂ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ । ଯାହାକୁ ନେଇ ଆଜି ବଲାଙ୍ଗିର ଭୀମଭୋଇ ମେଡ଼ିକାଲରେ ଉତେଜନା ଦେଖିବାକୁ ମିଳିଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶବାଗାର ନିକଟରେ ଧାରଣା ଦେଇଛନ୍ତି ମୃତକଙ୍କ ପରିବାର ଲୋକ । ଯୁବକଙ୍କ ଶରୀରରେ କଟାଦାଗ ଦେଖି ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।
ପ୍ରାପ୍ତ ସୂଚନା ଅନୁଯାଇ, ସ୍ଥାନୀୟ ଲାଲଟିକିରାର ଏସେଟ ଫର୍ନିଚର ଦୋକାନ ମାଲିକ ଓ କିଛି କର୍ମଚାରୀ ଗତକାଲି ଗୁଦଗୁଦା ଜଳପ୍ରପାତକୁ ଭୋଜି କରିବାକୁ ଯାଇଥିଲେ । ତ୍ରିନାଥ ଗାଧୋଇବାକୁ ଗୁଦଗୁଦା ଠାରେ ଥିବା ଖଡଙ୍ଗ ନଦୀର ପାଣିକୁ ଓହ୍ଲାଇ ଥିଲେ । କିନ୍ତୁ, ପାଣି ଅଧିକ ଥିବାରୁ ସେ ପାଣିରେ ବୁଡି ଯାଉଥିବା ଦେଖି ସାଙ୍ଗରେ ଆସିଥିବା ମାଲିକ ଓ କର୍ମଚାରୀ ମାନେ ତ୍ରିନାଥକୁ ଉଦ୍ଧାର କରି ଗୁଡଭେଲା ସ୍ଵାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । କିନ୍ତୁ, ଡାକ୍ତର ସୁରଜ କୁମାର ବେହେରା ପ୍ରାଥମିକ ଚିକିତ୍ସା ପରେ ତ୍ରିନାଥଙ୍କୁ ମୃତ ଘୋଷଣା କରିବା ସହ ତୁଷୁରା ଥାନାକୁ ଖବର ଦେଇଥିଲେ । ଖବର ପାଇ ତୁଷୁରା ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ଜବତ କରିଥିଲା । ତ୍ରିନାଥ ଲୋଇସିଂହା ବ୍ଳକ ଅନ୍ତର୍ଗତ ତଳି ଉଡାର ଗ୍ରାମର ହୋଇଥିବା ବେଳେ ବଲାଙ୍ଗୀରରେ ରହି ନିଜ ପରିବାର ପ୍ରତିପୋଷଣ କରିଆସୁଛନ୍ତି । ତାଙ୍କ ସ୍ତ୍ରୀ ଓ ଗୋଟିଏ ଛୋଟ ଛୁଆ ରହିଥିବା ଜଣାପଡିଛି ।