-
“କାଶୀ ତାମିଲ ସଙ୍ଗମମ” ଭାରତୀୟ ସଂସ୍କୃତିର ଏକତାକୁ ପୁନର୍ଜୀବିତ କରିଛି- ଅମିତ ଶାହ
-
ଆମ ଐତିହ୍ୟ, ଆଧ୍ୟାତ୍ମିକତା ଓ ସଂସ୍କୃତିକୁ ନୂଆ ଗତି ମିଳିଛି – ଧର୍ମେନ୍ଦ୍ର ପ୍ରଧାନ
-
କାର୍ଯ୍ୟକ୍ରମର ସଫଳତା ପାଇଁ କାଶୀ ଏବଂ ତାମିଲନାଡୁର ନାଗରିକଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
-
କାଶୀ ତାମିଲ ସଙ୍ଗମମରେ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଓ ୧୫୦୦ରୁ ଉର୍ଦ୍ଧ୍ୱ କଳାକାରଙ୍କ ଅଂଶଗ୍ରହଣ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅଭୂତପୂର୍ବ
ଗୃହ ମନ୍ତ୍ରୀ ଶ୍ରୀ ଶାହ କହିଛନ୍ତି ଯେ କାଶୀ ତାମିଲ ସଙ୍ଗମମ ଭଳି ଉତ୍ସବ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଆୟୋଜନ କରିବାର ଆବଶ୍ୟକତା ଥିଲା । ମାତ୍ର ଅନେକ ବର୍ଷ ପର୍ଯ୍ୟନ୍ତ ଏପରି ହେଲା ନାହିଁ । ଆମ ସଂସ୍କୃତିର ଏକତା, ଐତିହ୍ୟର ବିବିଧତା ଏବଂ ଭିନ୍ନ ଭିନ୍ନ ସଂସ୍କୃତିରେ ଭାରତୀୟତା ଆତ୍ମାର ଏକୀକରଣକୁ ପୁନର୍ଜୀବିତ କରିବାର ଆବଶ୍ୟକତା ଥିଲା । ଆଜାଦୀ କା ଅମୃତ ମହୋତ୍ସବ ସମୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ଆମ ସମସ୍ତଙ୍କ ପାଇଁ ଆନନ୍ଦର ବିଷୟ ବୋଲି ଶ୍ରୀ ଶାହ କହିବା ସହ ପ୍ରଧାନମନ୍ତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦଘାଟିତ ଏକ ମାସ ବ୍ୟାପୀ କାଶୀ ତାମିଲ ସଙ୍ଗମମ ଦୁଇ ରାଜ୍ୟର ଲୋକଙ୍କ ଏକତା ଏବଂ ବିଚାରକୁ ମଜଭୂତ୍ କରିଛି । ଏହି କାର୍ଯ୍ୟକ୍ରମ ସମସ୍ତଙ୍କୁ ନୂଆ ଉନ୍ମାଦନା ଦେବା ସହ ଐତିହ୍ୟ, ଆଧ୍ୟାତ୍ମିକତା, ସଂସ୍କୃତି ଏବଂ ଜ୍ଞାନକୁ ବଢାଇବା ପାଇଁ ନୂଆ ଗତି ଦେଇଛି । କାଶୀ ତାମିଲ ସଙ୍ଗମମରେ ବିଭିନ୍ନ ବର୍ଗର ଜନସାଧାରଣଙ୍କ ଅଂଶଗ୍ରହଣ ପ୍ରଶଂସନୀୟ । ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଐତିହାସିକ କ୍ୟାମ୍ପସରେ ଅନୁଷ୍ଠିତ ହେଉଥିବା ଏହି କାର୍ଯ୍ୟକ୍ରମରେ ୨ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ, କାଶୀ ଓ ତାମିଲନାଡୁର ୧୫୦୦ ରୁ ଉର୍ଦ୍ଧ୍ୱ କଳାକାର ତଥା ସାଂସ୍କୃତିକ କାର୍ଯ୍ୟକ୍ରମ, ହସ୍ତକଳା, ସାହିତ୍ୟ, କଳା ଓ ବ୍ୟଞ୍ଜନର ପ୍ରଦର୍ଶନୀ ଅଭୂତପୂର୍ବ । ଏଥିରେ ବିଭିନ୍ନ ବର୍ଗର ଲୋକଙ୍କର ଯୋଗଦାନ କାଶୀ ତାମିଲ କାର୍ଯ୍ୟକ୍ରମର ସଫଳତାକୁ ଦର୍ଶାଉଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଐତିହାସିକ କାଶୀ ତାମିଲ ସଙ୍ଗମମର ସଫଳତା ପାଇଁ କାଶୀ ଏବଂ ତାମିଲନାଡୁର ନାଗରିକ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଆଇଆଇଟି ମାଡ୍ରାସ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଉଲ୍ଲେଖନୀୟ ଯେ, ଏହି ଉଦଯାପନୀ ସମାରୋହରେ ତାମିଲନାଡୁର ରାଜ୍ୟପାଳ ରବିନ୍ଦ୍ର ନାରାୟଣ ରବି, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ ଓ କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଏଲ. ମୁରୁଗନ ପ୍ରମୁଖ ଉପସ୍ଥିତ ଥିଲେ ।