-
ଦୂଷିତ ପାଣି ବ୍ୟବହାର ଯୋଗୁ ପଦ୍ମଚରଣ ଏବଂ ବାସନ୍ତୀଙ୍କ ମୃତ୍ୟୁ -ପୂର୍ଣ୍ଣଚନ୍ଦ୍ର
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ତ୍ରୁଟି ଦେଖିବାକୁ ମିଳିଛି | ନିର୍ମାଣ ସମୟରେ ଜନସ୍ୱାସ୍ଥ୍ୟ ବିଭାଗକୁ ନ ଜଣାଇ ମନ ଇଚ୍ଛା ଖୋଳା ଖୋଳି କରିବା ଦ୍ୱାରା ପାଣି ପାଇପ ଫାଟି ନର୍ଦମା ପାଣି ମିଶୁଛି |ଦୂଷିତ ପାଣି ପିଇବା ଦ୍ୱାରା ହଇଜାରେ ଆକ୍ରାନ୍ତ ହୋଇ ଦୁଇଜଣ ଙ୍କ ମୃତ୍ୟୁ ଘଟିଛି |
ସୂଚନା ଯୋଗ୍ୟ ଶ୍ରୀଜଗନ୍ନାଥ ମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖ ଅଞ୍ଚଳରେ ବ୍ୟାପିଛି ଝାଡ଼ାବାନ୍ତି । ୫ଦିନ ମଧ୍ୟରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ଶୁକ୍ରବାର ବିମାନବଡୁ ସାହିର ବାସନ୍ତୀ ଦାଶ ଏବଂ ବାସେଳୀ ସାହିର ପଦ୍ମଚରଣ ଖୁଣ୍ଟିଆଙ୍କ ମୃତ୍ୟୁ ହୋଇଛି । ସେମାନେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ଏଥିଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ବୃଦ୍ଧି ପାଇଛି । ପଦ୍ମଚରଣଙ୍କ ମୃତ୍ୟୁ ପାଇଁ ତାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା ମାର୍ଗ ନିର୍ମାଣ ପାଇଁ ଗାତ ଖୋଳାଯିବା ସମୟରେ ଭୂତଳ ପାଣି ପାଇପ୍ ଭାଙ୍ଗି ଯାଇଥିଲା । ନଳାପାଣି ଜନସ୍ବାସ୍ଥ୍ୟ ପାଇପ୍ ଦେଇ ସ୍ଥାନୀୟ ଅଧିବାସୀଙ୍କ ଘରକୁ ଯାଇଥିଲା। ଏଥୁଯୋଗୁଁ ବାସେଳୀ ସାହି,ଗୋଛିକାର ସାହି, ପାଣିକାତ ସାହି, ପଣାପ୍ରିୟା ସାହି ଏବଂ ବିମାନବଡୁ ସାହି ସମେତ ଆଖପାଖ ଅଞ୍ଚଳର ବହୁଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଜନସ୍ୱାସ୍ଥ୍ୟ ଡିଭିଜନ ପକ୍ଷରୁ ଫାଟିଥିବା ପାଣି ପାଇପ୍ ମରାମତି କରାଯାଇଛି । ଲୋକଙ୍କ ଘର ପାଣିଟାଙ୍କି ସଫା କରାଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ଦଳ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ଔଷଧ ବଣ୍ଟନ କରୁଛନ୍ତି। ତଥାପି ସ୍ଥିତିରେ ଏପର୍ଯ୍ୟନ୍ତ ସୁଧାର ଆସିନାହିଁ । କିଛି ବ୍ୟକ୍ତି ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
ବାସନ୍ତୀଙ୍କର ଝାଡ଼ାବାନ୍ତି ବନ୍ଦ ନହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ଦୂଷିତ ପାଣି ବ୍ୟବହାର ଯୋଗୁ ପଦ୍ମଚରଣ ଏବଂ ବାସନ୍ତୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏହାଛଡ଼ା ପୌରସଂସ୍ଥା ପକ୍ଷରୁ ନଳାଗୁଡ଼ିକୁ ସଫା କରାଯାଉ ନଥିବାରୁ ସେସବୁ ଅଞ୍ଚଳରେ ମଶାମାଛିଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଥିବା ସେ ପ୍ରକାଶ କରିଛନ୍ତି ।
ପରିକ୍ରମା ମାର୍ଗ ନିର୍ମାଣ ପାଇଁ ବଡ଼ବଡ଼ ଗାତ ଖୋଳାଯିବା ବେଳେ ଅସାବଧାନତା ଯୋଗୁଁ ପାଣି ପାଇପ୍ ଭାଙ୍ଗି ଯିବା ସହ ବିଦ୍ୟୁତ୍ ଏବଂ ଟେଲିଫୋନ୍ କେବୁଲ ନଷ୍ଟ ହେଉଛି ।
ପଶ୍ଚିମ ଦ୍ୱାର ସମେତ ଗଡ଼ନ୍ତି ଛକ ନିକଟରେ ନଳାପାଣି ଜମା ହୋଇ ରହିଛି । ତେଣୁ ଗାତ ଖୋଳାଯିବା ସମୟରେ ଜନସ୍ବାସ୍ଥ୍ୟ, ବିଦ୍ୟୁତ, ବିଏସ୍ଏନ୍ଏଲ୍ ଏବଂ ପୌରସଂସ୍ଥା ଅଧିକାରୀ ସେଠାରେ ଉପସ୍ଥିତ ରହିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।