-
ସମ୍ବିଧାନରେ ବର୍ଣ୍ଣିତ କର୍ତବ୍ୟ ପାଳନ ପାଇଁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ – ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମ ସମ୍ବିଧାନର ସନ୍ନିବିଷ୍ଟ ଶକ୍ତି ବିଷୟରେ ଉଲ୍ଲେଖ କରିବା ସହ ଏହା ଦେଶର ଅଖଣ୍ଡତାକୁ ବଜାୟ ରଖି ଆମମାନଙ୍କୁ ଆହ୍ୱାନଗୁଡ଼ିକର ମୁକାବିଲା ପାଇଁ ସାମର୍ଥ୍ୟ ପ୍ରଦାନ କରିଛି ବୋଲି କହିଛନ୍ତି । ଆଜି ସଂସଦର କେନ୍ଦ୍ରୀୟ ସଭାଗାରରେ ଅନୁÂିତ ୭୦ତମ ସମ୍ବିଧାନ ଦିବସ ସମାରୋହରେ ଉଭୟ ସଦନର ମିଳିତ ଅଧିବେଶନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି । ସମ୍ବିଧାନ ଦିବସ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଏମିତି କିଛି ଅବସର ଓ ଦିବସ ଥାଏ ଯାହା ଅତୀତ ସହ ଆମ ସମ୍ପର୍କକୁ ସୁଦୃଢ଼ କରିଥାଏ । ଏଗୁଡ଼ିକ ଆମକୁ ଉନ୍ନତ ଭବିଷ୍ୟତ ଦିଗରେ ଆଗେଇ ଆସିବା ଲାଗି ଅନୁପ୍ରାଣିତ କରିଥାନ୍ତି । ଆଜି ୨୬ ନଭେମ୍ବର ହେଉଛି ଏକ ଐତିହାସିକ ଦିନ । ୭୦ ବର୍ଷ ତଳେ ଆଜିର ଦିନରେ ଆମେ ବିଧିବଦ୍ଧ ଭାବେ ଆମର ମହାନ ସମ୍ବିଧାନକୁ ଗ୍ରହଣ କରିଥିଲୁ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମ୍ବିଧାନ ସଭାରେ ବ୍ୟାପକ ଚର୍ଚ୍ଚା ଓ ବିଚାରବିମର୍ଷ ପରେ ସମ୍ବିଧାନ ସୃଷ୍ଟି ହୋଇଥିଲା । ଦେଶକୁ ସମ୍ବିଧାନ ଦେବା ଲାଗି ଯେଉଁମାନେ ଉଦ୍ୟମ କରିଛନ୍ତି ସେମାନଙ୍କ ପ୍ରତି ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ୭ ଦଶନ୍ଧି ପୂର୍ବେ ଏହି କେନ୍ଦ୍ରୀୟ ସଭାଗାରରେ, ସମ୍ବିଧାନର ପ୍ରତ୍ୟେକ ଧାରା ବିଷୟରେ ଆଲୋଚନା କରାଯାଇଥିଲା, ଆମ ସ୍ୱପ୍ନ, ଆମ ଆହ୍ୱାନ ଏବଂ ସମ୍ଭାବନାକୁ ନେଇ ବିତର୍କ ହୋଇଥିଲା । ଡ. ରାଜେନ୍ଦ୍ର ପ୍ରସାଦ, ଡ. ଭୀମ ରାଓ ଆମ୍ବେଦକର, ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ, ପଣ୍ଡିତ ନେହରୁ, ଆଚାର୍ଯ୍ୟ କୃପାଳିନୀ, ମୌଲାନା ଅବୁଲ କାଲାମ ଆଜାଦ ଏବଂ ଅନ୍ୟ ବରିÂ ନେତାମାନେ ବିସ୍ତୃତ ବିଚାର, ଆଲୋଚନା କରିବା ପରେ ଆମକୁ ଏହି ଐତିହ୍ୟ ପ୍ରଦାନ କରିଥିଲେ । ଆମକୁ ଏହି ସମ୍ବିଧାନ ଦେଇଥିବା ସେ ସମସ୍ତଙ୍କୁ ମୁଁ ମୋର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି କହିଥିଲେ ଯେ ସମ୍ବିଧାନ ସଭାର ସଦସ୍ୟମାନଙ୍କ ସ୍ୱପ୍ନ ଆମ ସମ୍ବିଧାନରେ ଶବ୍ଦ ଓ ମହତ୍ୱ ଆକାରରେ ବର୍ଣ୍ଣିତ ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାବା ସାହେବ ଭୀମରାଓ ଆମ୍ବେଦକର ଜୀ ସମ୍ବିଧାନ ଉପରେ ୨୫ ନଭେମ୍ବର, ୧୯୪୯ରେ ନିଜର ଅନ୍ତିମ ଅଭିଭାଷଣରେ ଦେଶବାସୀଙ୍କୁ ମନେ ପକାଇ ଦେଇଥିଲେ ଯେ “ଅତୀତରେ ଆମ ନିଜର ଭୁଲ କାରଣରୁ ଆମେ ଆମର ସ୍ୱାଧୀନତା ଏବଂ ଦେଶର ସାଧାରଣତନ୍ତ୍ର ବ୍ୟବସ୍ଥାକୁ ହରାଇଲୁ ।” ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମ୍ବେଦକର ଜୀ ଦେଶବାସୀଙ୍କୁ ଚେତାବନୀ ଦେଇଥିଲେ ଏବଂ ଦେଶ ନିଜର ସ୍ୱାଧୀନତା ଏବଂ ଗଣତନ୍ତ୍ରକୁ ସୁରକ୍ଷା ଦେଇପାରିବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ ।” ସମ୍ବିଧାନକୁ ସୁରକ୍ଷା ଦେଇଥିବା ସାରା ଦେଶବାସୀଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଥିଲେ । ଭାରତୀୟ ଗଣତନ୍ତ୍ର ପ୍ରତି ଅତୁଟ ବିଶ୍ୱାସ ରଖିଥିବା ଏବଂ ସମ୍ବିଧାନକୁ ଏକ ପବିତ୍ର ଗ୍ରନ୍ଥ ତଥା ମାର୍ଗଦର୍ଶକ ଭାବେ ସମ୍ମାନ ଦେଇଥିବା ୧୩୦ କୋଟି ଭାରତୀୟଙ୍କ ସମ୍ମୁଖରେ ମଥାନତ କରୁଛି । ଆମ ସମ୍ବିଧାନର ୭୦ ବର୍ଷ ଆମ ପାଇଁ ସୁଖ, ପ୍ରଭୁତ୍ୱ ଏବଂ ପରିପୂର୍ଣ୍ଣ ଭାବନା ସୃଷ୍ଟି କରିଥାଏ । ସମ୍ବିଧାନ ହେଉଛି ଏକମାତ୍ର ସାଧନ, ଯାହା ମାଧ୍ୟମରେ ଏହି ବିଶାଳ ଓ ବିବିଧତାପୂର୍ଣ୍ଣ ଦେଶ ନିଜ ଆକାଂକ୍ଷା, ସ୍ୱପ୍ନ ଓ ପ୍ରଗତି ଦିଗରେ ଅଗ୍ରସର ହୋଇପାରିବ । ଆମ ସମ୍ବିଧାନ ଆମ ପାଇଁ ସବୁଠୁ ପବିତ୍ର ଗ୍ରନ୍ଥ, ଯାହା ଆମ ଜୀବନ, ସମାଜ, ପରମ୍ପରା, ଆଦର୍ଶର ସମ୍ମିଶ୍ରଣ ସହିତ ଆମର ସମସ୍ତ ଆହ୍ୱାନର ସମାଧାନ ମଧ୍ୟ ପନ୍ଥା । ଆମ ସମ୍ବିଧାନ ଗରିମା ଓ ଏକତାର ଦ୍ୱୈତ ଦର୍ଶନ ଉପରେ ଆଧାରିତ । ସମ୍ବିଧାନର ଦୁଇଟି ମନ୍ତ୍ର “ଭାରତୀୟଙ୍କ ଗରିମା” ଓ “ଭାରତ ପାଇଁ ଏକତା” । ଏହା ଭାରତର ଏକତାକୁ ଅକ୍ଷୂର୍ଣ୍ଣ ରଖିବା ସହ ଆମ ନାଗରିକ ଗରିମାକୁ ସର୍ବୋଚ୍ଚ ସ୍ଥାନ ଦେଇଛି । ଭାରତର ସମ୍ବିଧାନରେ ନାଗରିକଙ୍କ ଅଧିକାର ସହିତ ସେମାନଙ୍କ କର୍ତବ୍ୟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଏହା ଆମ ସମ୍ବିଧାନର ଏକ ସ୍ୱତନ୍ତ୍ର ଦିଗ । ଜାତିର ପିତା ମହାତ୍ମା ଗାନ୍ଧୀ ଅଧିକାର ଓ କର୍ତବ୍ୟ ମଧ୍ୟରେ ସମ୍ପର୍କ ଓ ସନ୍ତୁଳନକୁ ଖୁବ ଭଲ ଭାବେ ବୁଝିଥିଲେ । ସମ୍ବିଧାନରେ ନିହିତ କର୍ତବ୍ୟର ପାଳନ କରିବା ଲାଗି ଭାବନା ବିକଶିତ କରିବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ଆସନ୍ତୁ ଆମେ ଏ ସମ୍ପର୍କରେ ଚିନ୍ତା କରିବା ଯେ ଆମେ ଆମ ସମ୍ବିଧାନର ନିହିତ କର୍ତବ୍ୟକୁ କିଭଳି ପାଳନ କରିବା । ଆମକୁ ସେବା ଓ କର୍ତବ୍ୟ ମଧ୍ୟରେ ଥିବା ତଫାତ ବୁଝିବାକୁ ହେବ । ସେବା ସ୍ୱେଚ୍ଛାକୃତ ହୋଇଥାଏ, ଅର୍ଥାତ ଆପଣ ରାସ୍ତାରେ କୌଣସି ଅସହାୟକୁ ସହାୟତା କରିପାରିବେ, କିନ୍ତୁ ଯଦି ଆପଣ ଗାଡ଼ି ଚଳାଇବା ସମୟରେ ଯାତାୟାତ ନିୟମ ପାଳନ କରୁଛନ୍ତି ତ’ ଆପଣ ନିଜ କର୍ତବ୍ୟ ପୂରଣ କରୁଛନ୍ତି । ଏହା ଆମର ପ୍ରୟାସ ହେବା ଉଚିତ ଯେ ଆମେ ଲୋକମାନଙ୍କ ସହିତ ଆଲୋଚନା ବେଳେ କର୍ତବ୍ୟ ଉପରେ ଜୋର ଦେବା । ଭାରତର ଗୌରବଶାଳୀ ନାଗରିକ ଭାବେ, ଆସନ୍ତୁ ଆମେ ସମସ୍ତେ ଏ ସମ୍ପର୍କରେ ଚିନ୍ତା କରିବା ଯେ କିପରି ଆମ କାର୍ଯ୍ୟ ଦ୍ୱାରା ଆମ ଦେଶ ଆହୁରି ମଜବୁତ ହୋଇପାରିବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ, ଆମ ସମ୍ବିଧାନ ଆମ ଭାରତବାସୀଙ୍କ ଠାରୁ ଆରମ୍ଭ ହୋଇଥାଏ । ଆସନ୍ତୁ ଆମେ ଅନୁଭବ କରିବା ଯେ ଆମେମାନେ ଏହାର ଶକ୍ତି, ପ୍ରେରଣା ଏବଂ ଉଦେ୍ଧଶ୍ୟ । ଆଜିର ତାରିଖରେ ୨୦୦୮ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ । ସେ ଏହି ଆକ୍ରମଣରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।