ମାଲକାନଗିରି, ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ସଦର ମହକୁମା ବୁଦୁଗୁଡା ସାହିରେ ଆଜି ଜଣେ ଯୁକ୍ତ ୩ ରେ ପଢ଼ୁଥିବା ଛାତ୍ରୀ ସେ ରହୁଥିବା ଭଡା ଘରେ ବେକରେ ଓଢଣୀ ଦେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। କାଲିମେଳା ଗୋପବନ୍ଧୁ ଆଞ୍ଚଳିକ ମହାବିଦ୍ୟାଳୟର ଯୁକ୍ତ ୩ରେ ପଢ଼ୁଥିବା ତିନି ଜଣ ଛାତ୍ରୀ ବୁଦୁଗୁଡ଼ା ଗ୍ରାମର ବୁଜି ଗୌଡ଼ ନାମକ ବ୍ୟକ୍ତିଙ୍କ ଘରେ ଏକ ମାସ ଧରି ଭଡ଼ା ନେଇ ରହୁଥିଲେ। ସେଠାରେ ରହୁଥିବା ତିନି ଜଣ ଛାତ୍ରୀଙ୍କ ମଧ୍ୟରୁ ଜଣେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଛାତ୍ରୀ ଜଣକ ପଡ଼ିଆ ବ୍ଲକ ଶିମିଳିବାଞ୍ଛା ପଞ୍ଚାୟତ ଏମଭି ୬୧ ଗ୍ରାମର ଚନ୍ଦନା ବିଶ୍ଵାସ । ଗତକାଲି ମଧ୍ୟରାତ୍ରରେ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି । ଚନ୍ଦନା ଯୁକ୍ତ ୩ର ପ୍ରଥମ ବର୍ଷ ଛାତ୍ରୀ ବୋଲି ତାଙ୍କ ସହ ଭଡାରେ ରହୁଥିବା ଦୁଇଜଣ ଛାତ୍ରୀ ପ୍ରକାଶ କରିଛନ୍ତି।
ସେମାନଙ୍କ କହିବାନୁଯାୟୀ, ସମସ୍ତେ ରାତିରେ ଖାଇ ସାରିବା ପରେ ଗୋଟିଏ ଘରେ ଶୋଇଥିଲେ । ଦୁହେଁ ସକାଳୁ ଉଠି ଚନ୍ଦନା ଘରେ ନଥିବା ଦେଖି ଚନ୍ଦନା ଶୌଚାଳୟ ଯାଇଥିବା ଭାବିଥିଲେ । ତେବେ କିଛି ସମୟ ପରେ ଭିତର ଘର ଖୋଲିଦେଖିବା ବେଳକୁ ସେ ବେକରେ ଓଢଣୀ ବାନ୍ଧି ଆତ୍ମହତ୍ୟା କରିଛି। ତୁରନ୍ତ ଦୁଇଛାତ୍ରୀ ଏ ବାବଦରେ ଘର ମାଲିକଙ୍କୁ ଜଣାଇଥିଲେ। ଖବର ପାଇ କାଲିମେଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ଖବର ଦେବାପରେ ଶବକୁ ତଳକୁ ଓହ୍ଳାଇ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଛି। ପୋଲିସ ଘଟଣାର ତଦନ୍ତ କରୁଛି।