ପୁରୀ, ପୁରୀ ସହରର ବାସେଳି ସାହି ଅଂଚଳରେ ୫ ଦିନ ଧରି ଝାଡ଼ାବାନ୍ତି ବ୍ୟାପିଛି । ଏଥିରେ ଶତାଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ଅଦ୍ୟାବଧି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ହେଲେ ସେହି ସାହିର ସେବାୟତ ପରିବାରର ବାସନ୍ତୀ ଦାଶ (୭୦) ଓ ପଦ୍ମଚରଣ ଖୁଂଟିଆ (୭୮) ।
ଶ୍ରୀମନ୍ଦିର କରିଡ଼ରରେ ଡ୍ରେନ୍ ଖୋଳା କାର୍ଯ୍ୟ ଚାଲିଥିବାରୁ ପାଣି ପାଇପ୍ ଫାଟି ପାନୀୟ ଜଳ ଦୂଷିତ ହୋଇଥିବା ଏବଂ ଏଥିପାଇଁ ଝାଡ଼ାବାନ୍ତି ବ୍ୟାପିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ଅଂଚଳକୁ ଜିଲ୍ଲାପାଳ ସମର୍ଥ ବର୍ମା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ଡା. ସୁଜାତା ମିଶ୍ର, ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ସେଠାରେ ସ୍ଵାସ୍ଥ୍ୟ ଶିବିର ଖୋଲାଯାଇଛି । ସ୍ଵାସ୍ଥ୍ୟ ବିଭାଗର କର୍ମଚାରୀ ମାନେ ସମ୍ପୃକ୍ତ ସାହିରେ ଘରକୁ ଘର ବୁଲି ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇବା ସହ ଔଷଧ ବଂଟନ କରିଛନ୍ତି । ପର୍ଯ୍ୟାପ୍ତ ପରିମାଣର ଓଆରଏସ ଯୋଗାଇଦେବା ସହ ବ୍ଲିଚିଂ ପାଉଡ଼ର ପକାଇ ବିଶୋଧନ କରିଛନ୍ତି । ସ୍ଵାସ୍ଥ୍ୟ ବିଭାଗ ଏଥିପ୍ରତି ସତର୍କ ଦୃଷ୍ଟି ରଖିଥିବା ସିଡ଼ିଏମଓ କହିଛନ୍ତି ।