ବଲାଙ୍ଗିର, ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲ ଅନ୍ତର୍ଗତ ସିନ୍ଧେକେଲା ଥାନାରେ ବାଲିଘାଟକୁ ନେଇ ପବ୍ଲିକ ଓ ତହସିଲଦାର ମଧ୍ୟରେ ତୁତୁ ମେମେ ଗୋଟିଏ ଘଣ୍ଟା ଧରି ଚାଲିଥିଲା। ଥାନା ସାମ୍ନାରେ ଚାଲିଥିଲା ହୋ ହାଲ୍ଲା।
ଘଟଣାନୁଯାୟୀ, ସିନ୍ଧେକେଲା ଦେଇ ବହି ଯାଉଛି ଉନ୍ଦେର ନଦୀ। ଏହି ନଦୀର ବାଲି ଉନ୍ନତ ମାନର ଥିବାରୁ ଉନ୍ଦେର ନଦୀ ବାଲିର ବେଶ ଚାହିଦା ତହସିଲ ଅଞ୍ଚଳର ବାହାରେ। ତେବେ ବର୍ତ୍ତମାନ ଉନ୍ଦେର ନଦୀର ତେଲସରାଇ ଓ ଭତାସର ଘାଟକୁ ନେଇ ଭତାସର ଗ୍ରାମବାସୀ ବିରୋଧ କରି ବାଲି ବୋଝେଇ ଏକ ହାଇୱା ଗାଡିକୁ ଗୁରୁବାର ସିନ୍ଧେକେଲା ଥାନାରେ ଜିମା ଦେଇଥିଲେ ଗାଁ ଲୋକେ । ଏହି ଘଟଣାକୁ ନେଇ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ ଗତକାଲି ଅପରାହ୍ନରେ ସିନ୍ଧେକେଲା ଥାନାକୁ ପହଞ୍ଚି ଭତାସର ଗ୍ରାମବାସୀଙ୍କୁ ଡକାଇଥିଲେ। ପରେ ଗ୍ରାମବାସୀଙ୍କ ସହ ସିନ୍ଧେକେଲା ସରପଞ୍ଚ ଉନ୍ଦେର ନଦୀ ବାଲିଘାଟକୁ ନେଇ ସିନ୍ଧେକେଲା ଥାନାରେ ତହସିଲଦାରଙ୍କୁ ଘେରାଉ, ପବ୍ଲିକ ଓ ତହସିଲଦାରଙ୍କ ତୁତୁ ମେମେ ନରେଶ ଅଗ୍ରୱାଲ, ତାଙ୍କ ବଡଭାଇ ମନୋଜ କୁମାର ଅଗ୍ରୱାଲ, ସିନ୍ଧେକେଲା ପୂର୍ବ ସମିତିସଭ୍ଯ ବିଶ୍ବମ୍ବର ସାହୁଙ୍କ ସହ ବହୁଲୋକ ଥାନାରେ ପହଞ୍ଚି ବାଲିଘାଟ ଯୋଗୁଁ ସିନ୍ଧେକେଲାରୁ ଭତାସର ଯାଉଥିବା ରାସ୍ତା ଖାଲଖମାରେ ଭର୍ତ୍ତି ହୋଇଥିବା ଅଭିଯୋଗ କରିଥିଲେ। ଏବଂ ଶ୍ରମିକ ପରିବର୍ତ୍ତେ ମେସିନ ଲଗାଇ ବାଲି ଚାଳାଣ ହେଉଥିବାରୁ ଲୋକେ କାମ ହରାଉ ଥିବା ଅଭିଯୋଗ ବି ଆଣିଥିଲେ। ଏ ମଧ୍ୟରେ ଗୋଟିଏ ଘଣ୍ଟା ଧରି ହୋ ହାଲ୍ଲା ଚାଲିଥିଲା। ପରେ ତହସିଲଦାର ବାଲିଘାଟରୁ କେବଳ ଟ୍ରାକ୍ଟର ଯୋଗେ ବାଲି ବୋଝେଇ ହେବବୋଲି କହିବାପରେ ଲୋକେ ଭତାସର ରାସ୍ତାକୁ ଯାଇ ନିଜେ ରାସ୍ତାର ଅବସ୍ଥା ଦେଖିବା ପାଇଁ ତହସିଲଦାର ଶ୍ରୀ ସୁନାନୀଙ୍କୁ ଲୋକେ ଅନୁରୋଧ କରିଥିଲେ। ତହସିଲଦାର ଭତାସର ରାସ୍ତାକୁ ଯାଇ ନିଜେ ସ୍ଥିତି ଅନୁଧ୍ୟାନ କରି ଉଚ୍ଚ ଅଧିକାରିଙ୍କ ଦୃଷ୍ଟି ଆକର୍ଷଣ କରି ରାସ୍ତାକାମ କରିବା ପାଇଁ ଅନୁରୋଧ କରିବି ବୋଲି ଉପସ୍ଥିତ ଲୋକଙ୍କୁ କହିଥିଲେ। ଘଟଣାକୁ ନେଇ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ଜଣାପଡିଛି। ପରେ ବାଲିଘାଟ ଲିଜ ନେଇଥିବା ଠିକାଦାର ଚାନ୍ଦ ଅଗ୍ରୱାଲ ତାଙ୍କ ହାଇୱାର କାଗଜପତ୍ର ଥାନାରେ ଦାଖଲ କରିବାରୁ ବାଲି ବୋଝେଇ ହାଇୱାକୁ ଥାନାରୁ ଛଡାଯାଇଛି।