-
ଅପରେସନ୍ ପରେ କଢାଗଲା
ଭୁବନେଶ୍ୱର, ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ବେଳେ ଜଣେ ଛାତ୍ରଙ୍କ ବକେରେ ଜାଭେଲିନ୍ ପଶି ଯାଇଛି । ଜାଭଲିନ୍ ବେକରେ ପଶି ଗୁରୁତର ହୋଇଥିବା ଛାତ୍ର ହେଲେ ନବମ ଶ୍ରେଣୀର ସଢାନନ ମେହେର । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତି କରାଯାଇଥିଲା । ପ୍ରାୟ ଘଂଟାଏ କାଳ ଅପରେସନ ପରେ ଛାତ୍ରଙ୍କ ବେକରୁ ସୁରକ୍ଷିତ ଭାବେ ଜାଭଲିନକୁ ବାହାର କରାଯାଇଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଆହତ ଛାତ୍ରକୁ ଉତମ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେବା ସହ ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଭରଣା କରାଯିବ ବୋଲି କହିଛନ୍ତି । ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ଛାତ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫- ଟି ସଚିବ ଭି କେ ପାଣ୍ଡିଆନ୍ ଘଟଣା ସମ୍ପର୍କରେ ବଲାଙ୍ଗିର ଜିଲ୍ଲାପାଳଙ୍କ ସହ କଥା ହୋଇ ଛାତ୍ର ବିଷୟରେ ପଚାରି ବୁଝିଥିଲେ ଏବଂ ସମସ୍ତ ସହଯୋଗ ଦେବାକୁ କହିଥିଲେ ।
ସୂଚନାଯୋଗ୍ୟ ଯେ ଶନିବାର ଦିନ ଆଗଲପୁର ବାଳକ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହେଉଥିଲା । ପ୍ରତିଯୋଗିତା ପୂର୍ବରୁ ଛାତ୍ରମାନେ ଜାଭଲିନ ପ୍ରାକ୍ଟିସ କରୁଥିଲେ । ଏହି ସମୟରେ ହଠାତ ଜଣେ ଛାତ୍ର ଜାଭଲିନ ଥ୍ରୋ କରିବା ପ୍ରାକ୍ଟିସ କରୁଥିବା ବେଳେ ତାହା ସଢାନନଙ୍କ ବେକରେ ପଶିଯାଇଥିଲା । ସଢ଼ାନନଙ୍କ ଚିତ୍କାର ଶୁଣି ସ୍କୁଲ କର୍ତୃପକ୍ଷ ତାଙ୍କୁ ହସ୍ପିଟାଲରେ ଭର୍ତି କରିଥିଲେ । ତୁରନ୍ତ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯାଇ ଘଂଟାଏ କାଳ ତାଙ୍କ ଅପରେସନ କରାଯାଇଥିଲ । ଏହାପରେ ଜାଭେଲିନକୁ ସଢ଼ାନନଙ୍କ ବେକରୁ ବାହାର କରି ଦିଆଯାଇଥିବା ବେଳେ ସେ ଏବେ ସୁରକ୍ଷିତ ଥିବା ଜଣାଯାଇଛି ।
ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀ ପ୍ରମୁଖ ମେଡିକାଲରେ ଉପସ୍ଥିତ ଥିଲେ । ସଢ଼ାନନଙ୍କ ଚିକିତ୍ସା ନିମନ୍ତେ ରେଡକ୍ରସ୍ ତରଫରୁ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହାପରେ ତାଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ଜିଲ୍ଲା ପ୍ରଶାସନ ବହନ କରିବ ବୋଲି କହିଛନ୍ତି ଉପଜିଲ୍ଲାପାଳ ।