ଭୁବନେଶ୍ୱର – ରତ୍ନକୁ ତନଖି କରିବା ନିମନ୍ତେ ଏବେ ରତ୍ନ ଭଣ୍ଡାର ଖୋଲିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ତେବେ ୧୩.୫.୧୯୭୮ ରିଖ ଠାରୁ ୨୩.୭.୧୯୭୮ ମଧ୍ୟରେ ତାଲିକା କରାଯାଇଥିବା ସୁନା, ରୂପା ସାମଗ୍ରୀ ସୁରକ୍ଷିତ ରହିଛି ବୋଲି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ବିଜେପି ସଭ୍ୟା ଶ୍ରୀମତୀ କୁସୁମ ଟେଟେଙ୍କର ଲିଖିତ ପ୍ରଶ୍ନ ଉତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ଭିତର ରତ୍ନ ଭଣ୍ଡାର ୧୪.୭.୧୯୮୫ ତାରିଖରେ ଶେଷଥର ପାଇଁ ଖୋଲାଯାଇଥିଲା । ଉକ୍ତ ସମୟରେ ରତ୍ନ ଅଳଙ୍କାର, ସାମଗ୍ରୀ ଏବଂ ମୂର୍ତି ଇତ୍ୟାଦି ରତ୍ନ ଭଣ୍ଡାରରେ ଗଚ୍ଛିତ ରହିଥିଲା । ୪୫୪ ଗୋଟି ସୁନା ଅଳଙ୍କାର ଓ ଅନ୍ୟାନ୍ୟ ଜିନିଷ ସମେତ ୧୨ ହଜାର ୮୩୮ଭରି ଛଅ ଅଣା ର ମୂଲ୍ୟବାନ ପଥର ସହିତ ୨୩୬ ଗୋଟି ରୂପା ଅଳଙ୍କାର ରହିଥିବା ଆକଳନ କରାଯାଇଥିଲା । ଉପରୋକ୍ତ ଅଳଙ୍କାର ସାମଗ୍ରୀ ମଧ୍ୟରୁ ୮ ଗୋଟି ସୁନା ମୂର୍ତି, ୬ ଗୋଟି ରୂପା ବାସନ/ମୂର୍ତି ବିଭିନ୍ନ କାରଣରୁ ଓଜନ ହୋଇପାରିନଥିବାରୁ ଏହାର ପରିମାଣ ଆକଳନ କରାଯାଇନାହିଁ କିମ୍ବା ଏହା ଉପରୋକ୍ତ ଓଜନ ମଧ୍ୟରେ ଅନ୍ତର୍ଭୁକ୍ତ ନୁହେଁ । ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନ ଭଣ୍ଡାରର ଅଡିଟ୍ ସହ ସମସ୍ତ ଅଳଙ୍କାର ତାଲିକା ସାର୍ବଜନୀନ କରାଯିବା ପାଇଁ ପଦକ୍ଷେପ ନିଆଯାଇ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।
Related Stories
November 22, 2024