ପୁରୀ ,ଭାରତୀୟ ମୁନୀଋଷିମାନେ ମନୁଷ୍ୟ ଜୀବନକୁ ଚାରି ଭାଗରେ ବିଭକ୍ତ କରିଥିଲେ। ବ୍ରହ୍ମଚର୍ଯ୍ୟ,ଗୃହସ୍ଥ, ବାନପ୍ରସ୍ଥ ଓ ସନ୍ନ୍ୟାସ। ଜୀବନର ପ୍ରଥମ ସୋପାନରେ ବ୍ରହ୍ମଚର୍ଯ୍ୟ ବ୍ରତ ପାଳନ ପୂର୍ବକ ପିଲାଟିଏ ବିଦ୍ୟାରମ୍ଭ କରୁଥିଲା ।
ତେଣୁ ତା’ର ଗୃହସ୍ଥ ଆଶ୍ରମ ସହିତ ସମଗ୍ର ଜୀବନ ସୁଖମୟ ହେଉଥିଲା । କିନ୍ତୁ ଏବେକାର ଆଧୁନିକ ପାଠ୍ୟକ୍ରମରେ କେବଳ ଭୌତିକ ପାଠକୁ ଛାଡ଼ିଦେଲେ ନୈତିକତା ତଥା ଜୀବନ ଜୀଇଁବାର କଳା ଶିଖିବାର ସୁଯୋଗ ନାହିଁ । ଏଥନିମନ୍ତେ ପ୍ରଜ୍ଞାନ ମିଶନ ତରଫରୁ ପୁରୀର ବାଲିଘାଇ ସ୍ଥିତ ହରିହରାନନ୍ଦ ଗୁରୁକୁଳମ୍ ଠାରେ ଅନ୍ତର୍ରାଷ୍ଟ୍ରୀୟ କ୍ରିୟାଯୋଗ ସଂସ୍ଥାନ ତଥା ପ୍ରଜ୍ଞାନ ମିଶନର ଆଧ୍ୟାମିକ ପ୍ରମୁଖ ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ତତ୍ତ୍ଵାବଧାନରେ ୨୦୦୨ ମସିହାରୁ ଆବାସିକ ବ୍ରହ୍ମଋରୀ ପ୍ରଶିକ୍ଷଣ ପ୍ରଦାନ କରାଯାଇ ଆସୁଅଛି । ପ୍ରତିଥର ସମଗ୍ର ବିଶ୍ବରୁ ଏଥ୍ରେ ପ୍ରଶିକ୍ଷାର୍ଥୀମାନେ ଅଂଶଗ୍ରହଣ କରିଥାନ୍ତି |
ସେଥିପାଇଁ ଇଂରାଜୀ ଭାଷାରେ ପ୍ରଶିକ୍ଷଣ ହେଉଥିଲା। ଚଳିତ ବର୍ଷ ହିନ୍ଦୀ ଭାଷାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏଥିରେ ଭାରତର ବିଭିନ୍ନ ରାଜ୍ୟରୁ ପ୍ରଶିକ୍ଷାର୍ଥୀମାନେ ଯୋଗ ଦେଇଛନ୍ତି । ଏହାର ଉଦ୍ଘାଟନୀ ଉତ୍ସବ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଠାରୁ ନିୟମିତ ଭାବେ ପାଠ୍ୟକ୍ରମ ଆରମ୍ଭ ହୋଇ ୯ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ଚାଲିବ। ୧୮ ବର୍ଷରୁ ୪୦ ବର୍ଷ ବୟସର ସ୍ନାତକରୁ ଉର୍ଦ୍ଧ୍ବ ଶିକ୍ଷା ହାସଲ କରିଥିବା ଯୁବ ପ୍ରଶିକ୍ଷାର୍ଥୀମାନେ ଏଥିରେ ଭାଗ ନେଇଛନ୍ତି। ପ୍ରଶିକ୍ଷାର୍ଥୀମାନେ ସଂସ୍କୃତ ଏବଂ ବେଦାନ୍ତ ଶିକ୍ଷା ସହିତ ଆଶ୍ରମ ଚତୁଷ୍ଟୟ, ବ୍ରହ୍ମଋରୀ ଜୀବନ ଶୈଳୀ, ଷଡ଼ଦର୍ଶନ ତଥା କ୍ରିୟାଯୋଗ ସାଧନ କୌଶଳ ଶିକ୍ଷା କରିବେ । ତତ୍ତ୍ୱବୋଧ, ଆତ୍ମବୋଧ, ନାରଦ ଭକ୍ତିସୂତ୍ର, ପତଞ୍ଜଳୀ ଯୋଗସୂତ୍ର, ଶ୍ରୀମଦ୍ଭଗବଦ୍ଗୀତା ଓ ଉପନିଷଦ ଆଦି ବିଷୟ ଗୁଡ଼ିକ ବିଶେଷ ଭାବେ ଶିକ୍ଷା ପ୍ରଦାନ କରାଯିବ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପରମପୂଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କ ସମେତ ଭାରତର ପ୍ରସିଦ୍ଧ କୈଳାସ ଆଶ୍ରମର ବେଦାନ୍ତ ଗୁରୁ ସ୍ଵାମୀ ବିଷ୍ଣୁ ତୀର୍ଥ ମହାରାଜ, ସ୍ଵାମୀ ଶୁଦ୍ଧାନନ୍ଦ ଗିରି, ସ୍ଵାମୀ ସମର୍ପଣାନନ୍ଦ ଗିରି, ସ୍ଵାମୀ ଅଚଳାନନ୍ଦ ଗିରି, ସ୍ଵାମୀ ପରିପୂର୍ଣ୍ଣାନନ୍ଦ ଗିରି, ସ୍ଵାମୀ ଅନିର୍ବାଣାନନ୍ଦ ଗିରି, ସ୍ଵାମୀ ଦେବପ୍ରିୟାନନ୍ଦ ଗିରି, ସ୍ଵାମୀ ଦିବ୍ୟସ୍ଵରୁପାନନ୍ଦ ଗିରି, ସ୍ଵାମୀ ଅଧ୍ୟାତ୍ମାନନ୍ଦ ଗିରି ପ୍ରମୁଖ ଶିକ୍ଷକତା କରିବେ । ଏତଦ୍ବ୍ୟତୀତ ମଝିରେ ମଝିରେ ଭାରତବର୍ଷର ବିଶିଷ୍ଟ ବିଦ୍ବାନ୍ ପ୍ରଶିକ୍ଷକମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ପ୍ରଶିକ୍ଷାର୍ଥୀମାନେ ପ୍ରାତଃ ୪ ଘଟିକାରୁ ଉଠି ଯୋଗାସନ, ପ୍ରାର୍ଥନା ସହିତ ସକାଳ, ମଧ୍ୟାହ୍ନ ଓ ସନ୍ଧ୍ୟାରେ ଧ୍ୟାନ ଅଭ୍ୟାସ କରିବେ। ଶ୍ରେଣୀଗୃହ ପାଠ ପରେ ମଧ୍ୟ ଦ୍ବିପ୍ରହରରେ ପିଲାମାନେ ଲାଇବ୍ରେରୀରେ ସ୍ଵାଧ୍ୟାୟ ଓ ସେବା କାର୍ଯ୍ୟ କରିବେ। ହରିହରାନନ୍ଦ ଗୁରୁକୁଳମ୍ ଭଳି ଏକ ମନୋରମ ପରିବେଶରେ ଭାରତୀୟ ଦେଶୀ ଗୋବଂଶଙ୍କ ସାନ୍ନିଧ୍ୟରେ ଶୁଦ୍ଦ, ସାତ୍ତ୍ଵିକ ଗୋବ୍ରତୀ ପ୍ରସାଦ ଗ୍ରହଣ ସହିତ ସେବା, ସ୍ଵାଧୟ ଓ ସାଧନା କରି ଶୃଙ୍ଖଳିତ ଜୀବନ ଅତିବାହିତ କରିବେ। ଏହାଦ୍ଵାରା ପ୍ରଶିକ୍ଷାର୍ଥୀମାନେ ଶାରୀରିକ, ମାନସିକ ଓ ଭାବଗତ ଦୃଢ଼ ତଥା ଉତ୍ତମ ନାଗରିକ ଭାବେ ପ୍ରତିଷ୍ଠିତ ହୋଇ ନିଜର ଓ ସମାଜର
କଲ୍ୟାଣରେ ସହାୟକ ହୋଇପାରିବେ ବୋଲି ସାଧୁମାନେ ମତପ୍ରକାଶ କରିଛନ୍ତି।
Related Stories
November 25, 2024