ପୁରୀ,ବିଶ୍ଵ ପ୍ରସିଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିରରେ ସକଳ ପ୍ରକାର ନୀତି,ପର୍ବ ପର୍ବାଣି, ଉତ୍ସବ ଇତ୍ୟାଦି ବର୍ଷ ର ବିଭିନ୍ନ ସମୟରେ ପାଳିତ ହେବା ସଙ୍ଗେ ସଙ୍ଗେ ଅନେକ ପ୍ରକାର ଭୋଗ ଦ୍ରବ୍ୟ ପ୍ରସ୍ତୁତ ହୋଇ ରତ୍ନସିଂହାସନରେ ଅଧିଷ୍ଠିତ ଶ୍ରୀଜୀଉମାନଙ୍କୁ ସମର୍ପିତ ହୋଇଥାଏ । ପୌରାଣିକ ମତ ଅନୁଯାୟୀ, ଭାରତର ଚାରିଧାମ ମଧ୍ୟରୁ ‘ଶ୍ରୀକ୍ଷେତ୍ର’ ପରଂବ୍ରହ୍ମଙ୍କର ଭୋଜନ ଧାମ ଭାବରେ ସୁବିଦିତ । ଏହି କ୍ଷେତ୍ରରେ ଭୋଗ ର ପ୍ରାଧାନ୍ୟ ରହିଛି । ବିଭିନ୍ନ ଯାନିଯାତ୍ରାରେ ସ୍ଵତନ୍ତ୍ର ଭୋଗ ର ବ୍ୟବସ୍ଥା ମଧ୍ୟ ରହିଛି ।
ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଧନୁ ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସକାଳର ଗୋପଳବଲ୍ଲଭ ଭୋଗ ସହିତ ‘ ପହିଲିଭୋଗ ‘ ଅନୁଷ୍ଠିତ ହୋଇଥାଏ ।ଏହି ଦିନ ମାନଙ୍କରେ ରାତ୍ର ଦୁଇଘଡି ଥାଇ ଦ୍ଵାରଫିଟା, ଆଳତି, ଅବକାଶ ହୁଏ । ତାହା ପରେ ଘୋଡ ଓ ଅଳଙ୍କାର ଲାଗି ହୋଇ ବେଶ ହୋଇଥାଏ । ତତ୍ପରେ ଭିତର ବାହାର ଶୋଧ ହୋଇ ଅଣସରପିଣ୍ଡି ଠାରେ ପରଖମାନଙ୍କରେ ବଲ୍ଲଭ ବଢାଯାଇଥାଏ । ଏହାପରେ ଅହ୍ମୁଣିଆ ପାଣି ପଡିବା ଉତାରୁ ପହିଲିଭୋଗ ଛେକ ଆସିବା ପାଇଁ ଭୋଗ ଡାକିଯାଏ । ଏ ଭୋଗରେ ବିରି ଓ ଗହମରେ ଘୃତପାକ ହୋଇଥିବା ପିଠାମାନ ଅଣାଯାଇ ପଂଚୋପଚାରରେ ପୂଜା କରାଯାଇଥାଏ । ପହିଲିଭୋଗରେ ଲାଗୁଥିବା ପିଠା ଗୁଡିକ ହେଉଛି – ‘ ବଡ଼ ଝିଲି, ଦରସୁଆ ବଡି, ଦରସୁଆ ଝିଲି, ବଡ଼ ବଡ଼ା, କାକେରି, ସାନ ଅମାଲୁ, ନଳୀ, କାକେରା, ଆରିସା, ମୁଗେଇ,ଏଣ୍ଡୁରି, ନଡୁ, ଗଜା, ଖଇର ଚୁଳ, ମଣ୍ଡା, ଚୁଡା ପୁଆ, ବଡ଼ି, କଂଟେଇ ପ୍ରଭୃତି ।
ଶ୍ରୀ ମନ୍ଦିର ସ୍ଵତ୍ଵଲିପିରେ ଏହାର ପରିମାଣ ମଧ୍ୟ ଉଲ୍ଲେଖ କରାଯାଇଛି । ଏ ସବୁ ଦ୍ରବ୍ୟ ପାକ କରିବାକୁ ସୁବିଧା ହେବାପାଇଁ ଏହି ଦିନମାନଙ୍କରେ ମଙ୍ଗଳଆଳତି ପରେ ହିଁ ରୋଷହୋମ ଅନୁଷ୍ଠିତ ହୋଇଥାଏ ।
ପହିଲିଭୋଗ ଉତ୍ପତିର ସମୟ ଓ କାରଣ ସମ୍ପର୍କରେ ବିଭିନ୍ନ ପ୍ରକାର କିମ୍ବଦନ୍ତୀ ଶୁଣିବାକୁ ମିଳେ । ସ୍କନ୍ଧ ପୁରାଣ, ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣି ସମ୍ବନ୍ଧରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଥିବା ‘ବାମଦେବ ସଂହିତା’ ଓ ‘ନୀଳାଦ୍ରି ମହୋଦୟ’ ରେ ମଧ୍ୟ ପହିଲିଭୋଗର କୌଣସି ବିବରଣ ନାହିଁ । ଏଥିରୁ ଅନୁମତି ହୁଏ ଯେ ପହିଲିଭୋଗର ପ୍ରଚଳନ ଅର୍ବାଚିନ କାଳରେ ହିଁ ହୋଇଛି । କିନ୍ତୁ ଆଲୋଚକ ଶ୍ରୀ ଆଶୁତୋଷ ନାୟକ ଭକ୍ତ କବି ମାଧବୀ ଦାସୀଙ୍କ ଧନୁ ମାସର ପହିଲିଭୋଗ ବର୍ଣ୍ଣନାତ୍ମକ ଏକ ରଚନା ଉଦ୍ଧାରକରି ଏହି ପହିଲିଭୋଗ ଖ୍ରୀଷ୍ଟିୟ ୧୬ଶ ଶତାବ୍ଦୀରେ ପ୍ରଚଳିତ ଥିବାର ପ୍ରତିପାଦନ କରିଛନ୍ତି । ଏଥିରେ ମାତା ଯଶୋଦା ରାତି ନ ପାହୁଣୁ, କାଉ କା ନକରୁଣୁ ଶ୍ରୀକୃଷ୍ଣଙ୍କୁ ବିଭିନ୍ନ ଲଘୁ ଦ୍ରବ୍ୟ ଭୁଞ୍ଜାଇ ଦିଅନ୍ତି । ଅତଏବ ଏହି ଭୋଗ ହେଉଛି ମାତା ଯଶୋଦାଙ୍କର ପୁତ୍ର ପ୍ରତି ବାତ୍ସଲ୍ୟ ସ୍ନେହ ତଥା ନୈସର୍ଗିକ ପ୍ରେମର ନିଦର୍ଶନ ଏବଂ ଏହା ଶ୍ରୀମନ୍ଦିରରେ ବହୁ ପ୍ରାଚୀନ କାଳରୁ ପ୍ରଚଳିତ ।