ପୁରୀ, ପୌଷ ମାସର ଶୀତ ଦିନରେ ଧନୁ ସଂକ୍ରାନ୍ତିର ଅବସରରେ ଧନୁ ମୁଆଁର ଆଦର ଓଡ଼ିଆଙ୍କ ଘରେ ଘରେ ରହିଥାଏ । କେବଳ ଗୁଡ଼ିଆ ଘର ପ୍ରସ୍ତୁତ ଖଇ ଓ ଗୁଡ଼ର ଧନୁ ମୁଆଁ ନୁହେଁ ଆଜିକାଲି ଗୁଡ଼ ବା ଚିନି ପ୍ରସ୍ତୁତ ଧନୁ ମୁଆଁ ସମସ୍ତଙ୍କର ପସନ୍ଦ । ଧନୁ ସଂକ୍ରାନ୍ତିର ପବିତ୍ର ଅବସରରେ ଓଡ଼ିଆ ଚଳଣୀର ଘରେ ଘରେ ବେଶ ଆଦର ଥିବା ମୁଆଁର ଶ୍ରଦ୍ଧା ବେଶ୍ ନିଆରା । କୃଷିଭିତିକ ଉତ୍କଳୀୟ ସଭ୍ୟତାରେ ପର୍ବପର୍ବାଣୀର ସ୍ଥାନ ସ୍ଵତନ୍ତ୍ର । ମାର୍ଗଶୀର ମାସରେ ଲକ୍ଷ୍ମୀପୂଜା ବା ମାଣବସା ଅବସର ପରେ ପୌଷମାସର ଆରମ୍ଭରେ ଚାଷୀମାନେ ପରମ ଆନନ୍ଦରେ ମା’ଲକ୍ଷ୍ମୀ ଠାକୁରାଣୀଙ୍କୁ ଖଳାବାଡ଼ିରୁ ଆଦରକରି ଗୃହ ପ୍ରାଙ୍ଗଣକୁ ନେଇଥାନ୍ତି । ସଂଯୋଗବଶତଃ ଏହି ସମୟରେ ଆଖୁ ଅମଳ ମଧ୍ୟ ସରିଥାଏ । ତେଣୁ ସର୍କରାଯୁକ୍ତ ମିଶ୍ରିତ ପ୍ରସାଦରେ ତିଆରି ହୋଇଥିବା ମୁଆଁ ବା ଉଖୁଡ଼ା ଗୃହର ଆରଧ୍ୟଦେବତା ଓ ଧନଲକ୍ଷ୍ମୀଙ୍କ ପାଖରେ ନୈବେଦ୍ୟ ଅର୍ପଣ କରାଯାଇଥାଏ । ଅମାବାସ୍ୟା ଓ ପୂର୍ଣ୍ଣିମାକୁ ଧରି ଚନ୍ଦ୍ରଙ୍କ କଳାର କ୍ଷୟ ବୃଦ୍ଧି ସହିତ ଚାନ୍ଦ୍ରମାନ ଓ ସଂକ୍ରାନ୍ତି କଳାରେ ଓ ସୌରମାନ ମାସ ଆମର ପଞ୍ଜିକାରେ ଅନ୍ତର୍ଭୁକ୍ତ । “”ଧନୁ ମାସ ହେଲା ହନୁ ନଚଳିଲା କହିବାକୁ ବଡ଼ ଲାଜ, ମୁଁ ଆଁ କରିଅଛି, ମୁଆଁ ଖାଇବାକୁ ଆଜ୍ଞା ହେଉ ମହାରାଜ ।” ଉତ୍କଳଘଂଟ ହାସ୍ୟରସିକ କବି ଯଦୁମଣିଙ୍କର ରାଜନଙ୍କୁ ଏ ଉକ୍ତି ସୂଚୀତ କରେ, ଧନୁ ବା ପୌଷ ମାସରେ ଧନୁ ମୁଆଁ ଖାଇବା ସତେ ଯେପରି ଏକ ବୈଧାନିକ ବ୍ୟବସ୍ଥା, ଏବଂ ତହିଁରେ ବ୍ୟତିକ୍ରମ ହେତୁ କବିଙ୍କର ଏ ଖେଦ । ପୁଷ ମାସରେ ଧାନ ଅମଳ ପରେ “ଉଖୁଡ଼ା’ ବା “ମୁଆଁ’ର ପ୍ରସ୍ତୁତି ଓଡ଼ିଶୀ ଚଳଣିର ଏକ ବିଶେଷତ୍ଵ ଧନୁ ସଂକ୍ରାନ୍ତୀର ପ୍ରସିଦ୍ଧ ମୁଆଁ ଭୋଗ ପାଇଁ ।
ଏହି ଦିବସଠାରୁ ପୁରୀ ଶ୍ରୀମନ୍ଦିରେ ଶ୍ରୀ ଜଗନ୍ନାଥଙ୍କ ପହିଲି ଭୋଗ ଆରମ୍ଭ ହୋଇ ଉତରାୟଣ ସଂକ୍ରାନ୍ତି ବା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିଥାଏ । କେବଳ ସେତିକି ନୁହେଁ, ପୌଷମାସର ଶୀତ ପ୍ରଭାତରେ ପ୍ରଭାତୀ ଧୂପ ଖେଚୁଡ଼ୀର ବ୍ୟବସ୍ଥା କେବଳ ଶ୍ରୀକ୍ଷେତ୍ରସ୍ଥ ଶ୍ରୀମନ୍ଦିର କାହିଁକି, କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ବଳଦେବଜୀଉ ଓ ଅନ୍ୟାନ୍ୟ ଦେବମନ୍ଦିର ତଥା ମଠବାଡ଼ିମାନଙ୍କରେ ଖଞ୍ଜା ଯାଇଛି । ଜଗନ୍ନାଥ ତ ଆମ ଓଡ଼ିଶୀ ସଂସ୍କୃତିର ପ୍ରତୀକ । ସେ ବଡ଼ ଭୋଗଲାଳସୀ । ପ୍ରସାଦର ଉପଭୋଗକୁ ଆମେ “ଭୋଗ’ କହିଥାଉଁ । ଏହି ଖାଦ୍ୟଦ୍ରବ୍ୟ ପ୍ରତି ଗୁରୁତ୍ଵ ଦେବା ମୂଳରେ ଉପନିଷଦର “ଅନ୍ନ ହିଁ ବ୍ରହ୍ମ’ ବାଣୀ ଯେ ଉଦ୍ଘୋଷିତ ଏଥିରେ ସନ୍ଦେହ ନାହିଁ । କାରଣ ଭାଗବତରେ ଉକ୍ତି ହେଉଛି – “”ଅନ୍ନ ବିହୁନେ ହଂସ ହାନି, ଯୋଗ ସାଧିବୁ କାହା ଘେନି ।” ତେଣୁ “”ଅନ୍ନର ମୂଳେ ଏ ଜଗତ, ସର୍ବଦା ହୋଏ ଆତଯାତ” ଉକ୍ତି ପ୍ରଣିଧାନ ଯୋଗ୍ୟ ଏବଂ ଏତଦୃଷ୍ଟେ ଧନୁମୁଆଁର ଗୁରୁତ୍ଵ ବର୍ଷକ ମଧ୍ୟରେ ଧନୁସଂକ୍ରାନ୍ତିକୁ ହିଁ ସ୍ମରଣୀୟ କରି ରଖିଅଛି । କେବଳ ଧନୁ ସଂକ୍ରାନ୍ତି ଅବସରରେ ଯାହା ଲୋକ ରୀତିନୀତିର ପ୍ରଚଳିତ ଧନୁ ମୁଆଁ ସ୍ଵତନ୍ତ୍ର ରହିଥିଲେ ବି ମୁଆଁକୁ ପସନ୍ଦ କରୁନଥିବା ପିଲା ଠାରୁ ବୁଢ଼ାଙ୍କ ସଂଖ୍ୟା ଖୁବ୍ କ୍ବଚିତ୍ ଥିବେ । ମୁଆଁ ତିଆରିରେ ନଡ଼ିଆ ସହ ଜୁଆଣୀ ରହୁଥିବାରୁ ଏହା ସ୍ଵାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ । ଆଜି ପରିଣତ ବୟସରେ ବି କେବଳ ଧନୁ ମୁଆଁ ନୁହେଁ ମୁଢ଼ିରେ ପତଳା ମୁଗର ଦାନା ସହ ଗୁଡ଼ର ମୁଆଁ ବି ମୋର ଅତ୍ୟନ୍ତ ପ୍ରିୟ । ତେବେ ଓଡ଼ିଆଙ୍କର ବାରମାସର ତେର ପରବ ଭିତରେ ଯେଉଁ ରୀତିନୀତିକୁ ନେଇ ଓଡ଼ିଆଣୀ ବେଶ୍ ଗର୍ବିତ ମନେ କରିଥାନ୍ତି ସେ ସବୁ ପ୍ରସ୍ତୁତି ଭିତରେ ଧନୁ ମୁଆଁ ସମସ୍ତଙ୍କର ପ୍ରିୟ ଜିନିଷଟିଏ । ଧନୀ ହେଉ ବା ଗରିବ ମଫସଲ ହେଉ ବା ସହର, ମଠ ମନ୍ଦିର ସବୁଠି ଧନୁ ସଂକ୍ରାନ୍ତିର ଅପୂର୍ବ ମହନୀୟତା ମୁଆଁ ସହିତ ସମ୍ପର୍କିତ ହୋଇଥାଏ । ଧନୁ ସଂକ୍ରାନ୍ତିର ପବିତ୍ର ଅବସର ଆମ ପ୍ରିୟ ଓଡ଼ିଆ ଘରର ପାଟି ସୁଆଦ ମୁଆଁଟିକୁ ଯେ ନ ହଜାଇ ବରଂ ଆମ ପୂର୍ବସୁରୀଙ୍କ ହାତ ପ୍ରସ୍ତୁତି ସହ ସେମାନଙ୍କ ଅପୂର୍ବ ଖାଦ୍ୟ ପ୍ରସ୍ତୁତିର ପରିପାଟିକୁ ଯେ ଉଜ୍ଜୀବିତ କରୁଛି ଏହା ବେଶ୍ ଆନନ୍ଦର କଥା ।