ବଲାଙ୍ଗିର, ଦମ୍ପତିଙ୍କୁ ଜିଅନ୍ତା ଜାଳିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବେଲପଡ଼ା ଥାନା ଅନ୍ତର୍ଗତ ଭରୁଆମୁଣ୍ଡା ଗାଁରେ । ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେମାନେ ହେଲେ ଭରତ ଭଇଁଷାଲ ଓ ତାଙ୍କ ପତ୍ନୀ କଳ୍ପନା ଭଇଁଷାଲ ।
କପାଚାଷ ଜଗିବା ପାଇଁ ଗତକାଲି ରାତିରେ ଭରତ ଓ ତାଙ୍କ ସ୍ତ୍ରୀ ଚାଷ ଜମି ନିକଟରେ ଥିବା କୁଡ଼ିଆ ଭିତରେ ଶୋଇଥିଲେ । ରାତି ଅଧରେ କେହି ଦୁର୍ବୃତ କୁଡିଆରେ ନିଆଁ ଲଗାଇ ଫେରାର୍ ହୋଇଯାଇଥିଲା । କୁଡ଼ିଆରେ ନିଆଁ ଲାଗିଯାଇଥିବା ଦେଖି ସ୍ଵାମୀସ୍ତ୍ରୀ ଚିତ୍କାର କରିଥିଲେ । ଗ୍ରାମବାସୀ ପାଟି ଶୁଣି ଘଟଣାସ୍ଥଳରେ ପହଂଚି ଦମ୍ପତିଙ୍କୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି । ତେବେ କିଏ ଓ କାହିଁକି ଭରତ ଓ ତାଙ୍କ ସ୍ତ୍ରୀଙ୍କୁ ପୋଡ଼ି ମାରି ଦେବାକୁ ଚେଷ୍ଟା କରୁଥିଲା ତାହା ଜଣାପଡ଼ିନାହିଁ । ବେଲପଡ଼ା ଥାନା ପୋଲିସ ଏନେଇ ଅଧିକ ତଦନ୍ତ ଚଳାଇଛି ।