ଭୁବନେଶ୍ୱର,ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ୍ ସ୍ଥାପନ ତଥା ଗିରଫ ଓକିଲଙ୍କୁ ମୁକ୍ତ କରି ସେମାନଙ୍କ ଲାଇସେନ୍ସ୍ ସଚଳ କରିବା ନିମନ୍ତେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ଲାଗି ଆଜି ‘ବିଜେପି’ର ୫ଜଣ ସାଂସଦ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖିଛନ୍ତି ।
ଆଜି ନୂଆଦିଲ୍ଲୀ ଠାରେ ଏହି ବିଜେପି ସାଂସଦ ମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେବା ସହ ଯାହା ଘଟିଲା ସେଥି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।
ସାଂସଦ ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ଜୁଏଲ୍ ଓରାମ୍, ସଙ୍ଗୀତା ସିଂହଦେଓ ଏବଂ ନୀତେଶ ଗଙ୍ଗଦେବ ମିଳିତ ଭାବେ କହିଛନ୍ତି, ଓଡ଼ିଶାର ପଶ୍ଚିମ ପ୍ରାନ୍ତରେ ଓଡ଼ିଶା ହାଇକୋର୍ଟର ସ୍ଥାୟୀ ବେଂଚ୍ ସ୍ଥାପନ କରାଯିବା ସଂକ୍ରାନ୍ତରେ ଫଳପ୍ରଦ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ ।
ସେମାନେ ଏହି ପତ୍ରରେ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ୍ ସ୍ଥାପନା ଲାଗି ସନ୍ତୋଷଜନକ ପ୍ରସ୍ତାବନା ଦେବା ପାଇଁ କେନ୍ଦ୍ର ଆଇନ ମନ୍ତ୍ରୀ ଥରକୁ ଥର ସଂସଦରେ ବିବୃତି ଦେଇଛନ୍ତି । ଏହାଛଡ଼ା, ଉକ୍ତ ବେଂଚର ସଠିକ ଅବସ୍ଥିତି, ନ୍ୟାୟସୀମା, ଉପଯୁକ୍ତ ଭିତ୍ତିଭୂମି ଯୋଗାଇ ଦେବା ପ୍ରତିଶ୍ରୁତି ଏବଂ ବ୍ୟୟ ବହନ କରିବା ଆଦି ପ୍ରସଙ୍ଗରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ରାଜ୍ୟପାଳଙ୍କ ସହିତ ବିଚାରବିମର୍ଶ କରି ସାମଗ୍ରିକ ପ୍ରସ୍ତାବନା ଦାଖଲ କଲେ ସଂସଦର ଉଭୟ ଗୃହରେ ସରକାର ପ୍ରସ୍ତାବନା ଆଗତ କରିବାକୁ ସମର୍ଥ ହେବେ ବୋଲି ଆଇନ ମନ୍ତ୍ରୀ ରାଜ୍ୟ ସରକାରଙ୍କୁ ସବୁବେଳେ ଚିଠି ଲେଖି ଜଣାଉଛନ୍ତି ।