ନୂଆଦିଲ୍ଲୀ, ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଭାରତ (ବିଏଚ) ସିରିଜର ପଞ୍ଜୀକରଣ ଚିହ୍ନ ସମ୍ବନ୍ଧୀୟ ନିୟମରେ ସଂଶୋଧନକୁ ବିଜ୍ଞପିତ କରିବା ଲାଗି ୧୪ ଡିସେମ୍ବରରେ ଏକ ବିଜ୍ଞପ୍ତି ଜି.ଏସ.ଆର. ୮୭୯ (ଇ) ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଜି.ଏସ.ଆର. ୫୯୪(ଇ), ତାରିଖ ୨୬ ଅଗଷ୍ଟ ୨୦୨୧ ଜରିଆରେ ବିଏଚ ସିରିଜ ଚିହ୍ନକୁ ପ୍ରଚଳନ କରାଯାଇଥିଲା । ଏହି ନିୟମଗୁଡ଼ିକୁ କାର୍ଯ୍ୟକାରୀ କରିବା ସମୟରେ ବିଏଚ ସିରିଜ ଇକୋସିଷ୍ଟମକୁ ମଜବୁତ କରିବା ଲାଗି ଅନେକ ପରାମର୍ଶ ଓ ପ୍ରସ୍ତାବ ମିଳିଥିଲା ।
ବିଏଚ ସିରିଜ କାର୍ଯ୍ୟକାରିତାର ପରିଧିକୁ ଆହୁରି ବଢ଼ାଇବା ଏବଂ ସେଥିରେ ସୁଧାର ଆଣିବାର ପ୍ରୟାସ କ୍ରମେ ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମ ପାଇଁ ପ୍ରସ୍ତାବ ଦିଆଯାଇଛି । ବିଏଚ ସିରିଜ ପଞ୍ଜୀକରଣ ଚିହ୍ନ ଥିବା ଗାଡ଼ିର ମାଲିକାନା ଅନ୍ୟମାନଙ୍କୁ ହସ୍ତାନ୍ତର କରାଯାଇପାରିବ । ବିଏଚ ସିରିଜ ପାଇଁ ଯୋଗ୍ୟ କିମ୍ବା ଅଯୋଗ୍ୟ ବ୍ୟକ୍ତିଙ୍କୁ ମାଲିକାନା ସ୍ଥାନାନ୍ତର ପାଇଁ ସୁବିଧା ଦିଆଯାଇଛି ।ଯେଉଁସବୁ ଗାଡ଼ିରେ ଏବେ ସାଧାରଣ ପଞ୍ଜୀକରଣ ଚିହ୍ନ ରହିଛି, ସେସବୁ ଗାଡ଼ିକୁ ମଧ୍ୟ ବିଏଚ ସିରିଜ ପଞ୍ଜୀକରଣ ଚିହ୍ନରେ ପରିବର୍ତନ କରାଯାଇପାରିବ । ଏଥିପାଇଁ ଆବଶ୍ୟକ ଟିକସ ପଇଠ କରିବାକୁ ହେବ, ଯାହାଫଳରେ ସମ୍ପୃକ୍ତ ବ୍ୟକ୍ତି ବିଏଚ ପଞ୍ଜୀକରଣ ଚିହ୍ନ ପାଇବା ଲାଗି ଯୋଗ୍ୟ ହୋଇପାରିବେ । ଲୋକମାନଙ୍କୁ ସହଜ ଜୀବନ ଅନୁଭୂତି ପ୍ରଦାନ କରିବା ଲାଗି ନିୟମ ୪୮ରେ ସଂଶୋଧନ ପାଇଁ ପ୍ରସ୍ତାବ ଦିଆଯାଇଛି, ଯାହାଫଳରେ ଲୋକମାନଙ୍କୁ ନିଜର ବାସସ୍ଥାନ କିମ୍ବା କାର୍ଯ୍ୟସ୍ଥଳୀରେ ବିଏଚ ସିରିଜ ପାଇଁ ଆବେଦନ ଦେବାର ସୁବିଧା ମିଳିପାରିବ ।
ସେହିପରି ଦୁରୂପଯୋଗର ନିରାକରଣକୁ ଆହୁରି ମଜବୁତ କରିବା ଲାଗି ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ଦ୍ୱାରା କାର୍ଯ୍ୟ-ପ୍ରମାଣପତ୍ର ଦେବାକୁ ହେବ । ନିଜ ଶାସକୀୟ ପରିଚୟପତ୍ର ବ୍ୟତୀତ ସରକାରୀ କର୍ମଚାରୀ ଏବେ ନିଜ ସେବା ପ୍ରମାଣପତ୍ର ଆଧାରରେ ମଧ୍ୟ ବିଏଚ ସିରିଜ ପଞ୍ଜୀକରଣ ଚିହ୍ନ ପାଇପାରିବେ ।