-
ଗିରଫଦାରୀ ସଂଖ୍ୟା ୨୩କୁ ବୃଦ୍ଧି
ସମ୍ବଲପୁର, ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍ ଙ୍କ ଚାମ୍ବରରେ ପଶି ଓକିଲଙ୍କ ଭଙ୍ଗାରୁଜା ଓ ହିଂସା ମାମଲାରେ ଆଉ ୮ ଜଣ ଓକିଲଙ୍କୁ ଗିରଫ କରିଛି ପୋଲିସ । ଗିରଫ ଆଇନଜୀବୀଙ୍କ ମଧ୍ୟରେ ରହିଛନ୍ତି ସମ୍ବଲପୁର ଓକିଲ ସଂଘର ସଭାପତି ସୁରେଶ୍ଵର ମିଶ୍ର, ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ପ୍ରଦୀପ ବହିଦାର ଏବଂ ଅନ୍ୟମାନେ । ଅନ୍ୟପକ୍ଷରେ ପୁଣି ୮ ଜଣ ଓକିଲଙ୍କୁ ଗିରଫ ପରେ ମାମଲାରେ ଗିରଫଦାରୀ ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ସିସିଟିଭି ଫୁଟେଜରେ ଆସିଥିବା ଅନ୍ୟ ଆଇନଜୀବୀଙ୍କୁ ମଧ୍ୟ ଗିରଫ ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରୀ ରହିଛି । ଆଗକୁ ଏହି ଗିରଫଦାରୀ ସଂଖ୍ୟା ଆହୁରି ବଢିପାରେ ବୋଲି ସମ୍ବଲପୁର ଏସପି ବି. ଗଙ୍ଗାଧର କହିଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ସେ କହିଛନ୍ତି ଯେ, ଗିରଫ ଆଇନଜୀବୀ ମାନଙ୍କୁ ଆଜି କୋର୍ଟଚାଲାଣ କରାଯିବ । ପୋଲିସ ମାମଲାରେ ତଥ୍ୟ ସଂଗ୍ରହ କରୁଛି, ସିସିଟିଭି ଫୁଟେଜକୁ ଯାଂଚ୍ କରୁଛି, ଏଥିରେ ଅନ୍ୟ ଯେଉଁମାନଙ୍କର ମଧ୍ୟ ସମ୍ପୃକ୍ତି ଥିବ ସେମାନଙ୍କୁ ଗିରଫ କରାଯିବ । ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ପ୍ରକାଶ ଥାଉକି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ଗତ ୧୨ ତାରିଖରେ ଆନ୍ଦୋଳନ ବେଳେ ପୋଲିସ ବ୍ୟାରେକେଡିଂ ଭାଙ୍ଗି ଜିଲ୍ଲା ଜଜ୍ ଙ୍କ ଚାମ୍ବରରେ ପଶି ଓକିଲ ମାନେ ଭଙ୍ଗାରୁଜା କରିଥିଲେ । ପୂର୍ବରୁ ଘଟଣାରେ ୧୫ ଜଣ ଆଇନଜିବୀଙ୍କୁ ଗିରଫ କରିଥିଲା ପୋଲିସ ।