ସାକ୍ଷୀଗୋପାଳ, ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଗତକାଲି ସଂସ୍କୃତ ବିଭାଗ ଆନୁକୂଲ୍ୟରେ ୩ ପ୍ରଥମବର୍ଷ ଛାତ୍ରଛାତ୍ରୀମାନଙ୍କ ସ୍ଵାଗତ ସମାରୋହ ଓ “କାବ୍ୟ ଲକ୍ଷଣାନି “ଶୀର୍ଷକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ସମ୍ମାନ ଛାତ୍ରୀମାନଙ୍କ ଦ୍ଵାରା ବେଦପାଠ ଓ ସ୍ଵାଗତ ସଂଗୀତ ଗାନ କରାଯାଇ କାର୍ଯକ୍ରମଟିର ଶୁଭାରମ୍ଭ ହୋଇଥିଲା। ବିଭାଗୀୟ ଅଧ୍ୟାପିକା ପ୍ରଫେସର ସସ୍ମିତା ପ୍ରଧାନ ଅତିଥିମାନଙ୍କୁ ମଞ୍ଚଙ୍କୁ ଆମନ୍ତ୍ରଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ. ରତିକାନ୍ତ ପରିଡ଼ାଙ୍କ ସଭାପତିତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରିବା ସହିତ ଶୃଙ୍ଖଳା ରକ୍ଷାକରିବା ଓ ପାଠଚକ୍ରର ବିଶେଷତା ତଥା ସାରସ୍ବତ ସୃଷ୍ଟିର ସ୍ରଷ୍ଟା କବି ସମାଜକୁ ଦିଗଦର୍ଶନ ଦେବା ଅଭିପ୍ରାୟରେ କାବ୍ୟ ରଚନା କରିଥାଏ ଏବଂ କାବ୍ୟାମୃତ ରସର ଆସ୍ଵାଦନ ଦ୍ଵାରା ଏକ ଅପୂର୍ବ ଅଲୌକିକ ଆନନ୍ଦର ଅନୁଭବ ହୋଇଥାଏ ବୋଲି ଅଭିବ୍ୟକ୍ତ କରିଥିଲେ। ସଂସ୍କୃତ ବିଭାଗର ମୁଖ୍ୟା ପ୍ରାଧ୍ୟାପିକା ସୁଜାତା ମହାପାତ୍ର ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରିବା ସହିତ ଅତିଥିମାନଙ୍କ ପରିଚୟ ଓ ବିଷୟବସ୍ତୁର ପ୍ରାକ ସୂଚନା ଦେଇ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ସାଧନ ବ୍ୟକ୍ତିତ୍ଵ ଭାବରେ ପିପିଲି ମହାବିଦ୍ୟାଳୟର ସଂସ୍କୃତ ବିଭାଗର ମୁଖ୍ୟା ପ୍ରାଧ୍ୟାପିକା ସୁନନ୍ଦା ତ୍ରିପାଠୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ କାବ୍ୟର ଲକ୍ଷଣ, ପ୍ରୟୋଜନ, ସ୍ଵରୂପାଦି ସମ୍ବନ୍ଧରେ ସବିଶେଷ ବର୍ଣ୍ଣନା କରିଥିଲେ।
ବିଭାଗୀୟ ପ୍ରାଧ୍ୟାପିକା ଡ଼ଃ. କଳ୍ପନା କୁମାରୀ ମହାପାତ୍ର “କବି ତା’ର ହୃଦୟର ଭାବନା, ସମାଜର ଚିତ୍ର, ପରିବେଶର ସ୍ବରୂପ, ଅସୀମର ରୂପରେଖ ଏବଂ ସର୍ବୋପରି ନିଜର ଅମୂର୍ତ୍ତମୟୀ ଲେଖନୀ ମୁନରେ କାବ୍ୟ ରଚନା କରି ରାମାଦିବତ ପ୍ରବର୍ତ୍ତିତବ୍ୟମ ନ ରାବଣାଦିବତ ବୋଲି ଶିକ୍ଷା ପ୍ରଦାନ କରି ପ୍ରତ୍ୟେକ ପାଠକ /ପାଠିକା ସମ୍ମୁଖରେ ଆଦର୍ଶର ସୁଗମ ସୁବିସ୍ତାର ସତମାର୍ଗ ପ୍ରଦର୍ଶନ କରିଥାଏ” ବୋଲି ଅଭିବ୍ୟକ୍ତି କରିବା ସହ ସନ୍ଦର୍ଭ ପଠନ କରିଥିଲେ। ପରେ ତୃତୀୟ ବର୍ଷର ଛାତ୍ରୀମାନେ ସନ୍ଦର୍ଭ ପାଠ କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରିଥିଲେ।
ଏହି ଅବସରରେ ସମ୍ମାନ ଛାତ୍ରୀମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ତୃତୀୟ ବର୍ଷର ସମ୍ମାନ ଛାତ୍ରୀ କୁମୁଦିନୀ ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ।