-
ରାଜ୍ୟରେ ଆୟୁଷ୍ମାନ ଭାରତ ଲାଗୁ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କଲେ ଓଡ଼ିଶାର ବିଜେପି ସାଂସଦ
ନୂଆଦିଲ୍ଲୀ/ଭୁବନେଶ୍ୱର, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଜ୍ୟ ବିଜେପିର ଏକ ସାଂସଦ ପ୍ରତିନିଧି ମଣ୍ଡଳୀ ଗୁରୁବାର ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡା. ମନସୁଖ ମାଣ୍ଡଭୀୟଙ୍କୁ ଭେଟି ଓଡ଼ିଶାରେ ଆୟୁଷ୍ମାନ ଭାରତ – ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା(ଏବି-ପିଏମଜେଏୱାଇ) ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏ ସମ୍ପର୍କୀତ ଏକ ପତ୍ର ପ୍ରଦାନ କରିବା ସହ ଆବଶ୍ୟକ ସ୍ୱାସ୍ଥ୍ୟସେବା ଚାହୁଁଥିବା ୪.୫ କୋଟି ଓଡ଼ିଆଙ୍କ ସମେତ ବାହାରେ କାମ କରୁଥିବା ୧ କୋଟି ପ୍ରବାସୀ ଓଡ଼ିଆ ଲୋକଙ୍କ ବୃହତ ହିତ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପାଇଁ ସାଂସଦଗଣ ଦାବୀ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳୀ ମଧ୍ୟରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ବସନ୍ତ ପଣ୍ଡା, ସୁରେଶ ପୂଜାରୀ, ନିତିଶ ଗଙ୍ଗଦେବ, ଅପରାଜିତା ଷଡଙ୍ଗୀ, ସଙ୍ଗୀତା ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରତିନିଧି ମଣ୍ଡଳୀ ପକ୍ଷରୁ ଦିଆଯାଇଥିବା ଦାବୀ ପତ୍ରରେ ଉଲ୍ଲେଖ ରହିଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୮ ମସିହାରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଏକ ଐତିହାସିକ ପଦକ୍ଷେପ । ଏହି ଯୋଜନାରେ ପ୍ରତ୍ୟେକ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଉତମ ଚିକିତ୍ସା ସେବାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ଦେଶର ପ୍ରାୟ ୨୦.୮୭ କୋଟି ପରିବାର ତଥା ୭୫ କୋଟି ହିତାଧିକାରୀ ଏହି ସୁବିଧାର ଲାଭ ନେଉଛନ୍ତ । ଓଡ଼ିଶା ଭଳି ଅଳ୍ପ କିଛି ରାଜ୍ୟ ସର୍ବଭାରତୀୟ ସ୍ୱାସ୍ଥ୍ୟ ଯୋଜନାର ଲାଭରୁ ନାଗରିକଙ୍କୁ ବଂଚିତ କରୁଛନ୍ତି । ୨୦୧୯-୨୦ ଆର୍ôଥକ ବର୍ଷରେ ସାମଗ୍ରିକ ସ୍ୱାସ୍ଥ୍ୟାବସ୍ଥା ପ୍ରଦର୍ଶନ ତୁଳନାରେ ୧୯ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାର ସ୍ଥାନ ୧୪ତମ ସ୍ଥାନରେ ଥିଲା, ଯାହା ପଡୋଶୀ ଝାଡଖଣ୍ଡ ଏବଂ ଛତିଶଗଡ ରାଜ୍ୟ ଠାରୁ ମଧ୍ୟ କମ୍ । ୨୦୧୪ ପର ଠାରୁ ନବଜାତ ମୃତ୍ୟୁହାର, ୫ ବର୍ଷରୁ କମ୍ ମୃତ୍ୟୁ ହାର, ଶିଶୁ, କିଶୋର,ମହିଳାଙ୍କ ମଧ୍ୟରେ ରକ୍ତହୀନତାରେ ଓଡ଼ିଶାର ପ୍ରଦର୍ଶନ ନୈରାଶଜନକ ।
ଏହାବ୍ୟତିତ ଓଡ଼ିଶାରେ ମେଡିକାଲ ପାଇଁ ଉଯୁପକ୍ତ ସମ୍ବଳ ନଥିବାରୁ ରାଜ୍ୟରେ ସାର୍ବଜନୀନ ସ୍ୱାସ୍ଥ୍ୟାବସ୍ଥା ନାହିଁ । ଗାଁରେ ଦୁର୍ବଳ ସ୍ୱାସ୍ଥ୍ୟସେବା ଭିତିଭୂମି, ମେଡିକାଲ ଏବଂ ପାରାମେଡିକ କର୍ମଚାରୀଙ୍କ ମଧ୍ୟରେ ଦୂରତା ସ୍ୱାସ୍ଥ୍ୟସେବା ପ୍ରଦାନ କରିବାର ଏକ ପ୍ରମୁଖ ଆହ୍ୱାନ । ଗ୍ରାମୀଣ ସ୍ୱାସ୍ଥ୍ୟ ପରିସଂଖ୍ୟାନ ୨୦୨୧ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ୩୧ ପ୍ରତିଶତ ଖାଲି ପଡିଛି । ରାଜ୍ୟରେ ଚିକିତ୍ସା କର୍ମଚାରୀ ଏବଂ ପ୍ରଶାସନିକ ପଦବୀରେ କାର୍ଯ୍ୟରତ ଲୋକଙ୍କ ସଂଖ୍ୟା ମଧ୍ୟ ବହୁତ କମ୍ ଅଛି । ଦେଶରେ ମୁଣ୍ଡ ପିଛା ଡାକ୍ତର ଏବଂ ହସ୍ପିଟାଲ ମଧ୍ୟ ଓଡ଼ିଶାରେ ବହୁତ କମ୍ ରହିଛି ।ରାଜ୍ୟ ସ୍ୱାସ୍ଥ୍ୟ ବୀମା ଯୋଜନା ଥିବା ସତ୍ୱେ ମଧ୍ୟ ବେସରକାରୀ ହସ୍ପିଟାଲରେ ଭର୍ତି ହେବା ପାଇଁ ହିତାଧିକାରୀମାନେ ଅନିଚ୍ଛା ପ୍ରକାଶ କରୁଛନ୍ତି ।
ଓଡ଼ିଆ ଲୋକମାନେ ଉତମ ସ୍ୱାସ୍ଥ୍ୟସେବା ପାଇଁ କୋଲକାତା, ଭେଲ୍ଲୋର, ମୁମ୍ବାଇ, ଭାଇଜାଗ ଓ ଦିଲ୍ଲୀ ଯାଉଛନ୍ତି । ସେହିପରି ଓଡ଼ିଶାରୁ ୩୩.୪୫ ପ୍ରତିଶତ ପରିବାର କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଛନ୍ତି । ଏହି ପ୍ରବାସୀ ଓଡ଼ିଆ ଲୋକମାନେ ନିଜ ଆୟର ୩୩ ପ୍ରତିଶତ ଖର୍ଚ୍ଚ ନିଜ ପରିବାରର ଚିକିତ୍ସା ପାଇଁ ଖର୍ଚ୍ଚ କରନ୍ତି ।
ଆୟୁଷ୍ମାନ ଭାରତର ସଂଶୋଧିତ ବ୍ୟବସ୍ଥା ଅନୁସାରେ ହିତାଧିକାରୀମାନେ ଆୟୁଷ୍ମାନ ଭାରତର କାର୍ଡକୁ ଆୟୁଷ୍ମାନ ଭାରତ ଏବଂ ରାଜ୍ୟ ଯୋଜନାରେ ବି ବ୍ୟବହାର କରିପାରିବେ । କାର୍ଯ୍ୟକାରୀ ଯୋଜନା ଅନ୍ତର୍ଗତ ଯଦି ରାଜ୍ୟ ସରକାରମାନେ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସୁବିଧା ପ୍ରଦାନ କରିବା ପାଇଁ ଚାହାନ୍ତି ତେବେ କେନ୍ଦ୍ର ସରକାର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହଯୋଗ ପ୍ରଦାନ କରିବେ । ଯଦି ୨୦୧୧ ସାମାଜିକ, ଆର୍ôଥକ ଓ ଜାତିଭିତିକ ଗଣନା ବ୍ୟତିତ ଅତିରିକ୍ତ ହିତାଧିକାରୀ ଅଛନ୍ତି, ସେମାନେ ମଧ୍ୟ ଏହି କାର୍ଡର ଉପଯୋଗ କରିପାରିବେ ।
ଭାରତ ସରକାର ସାମାଜିକ, ଆର୍ôଥକ ଓ ଜାତିଭିତିକ ଗଣନା ଅନୁସାରେ ଚୟନ ହୋଇଥିବା ହିତାଧିକାରୀଙ୍କୁ ପ୍ରଦାନ କରାଯିବା ପାଇଁ ଥିବା କାର୍ଡ ପାଇଁ ଆର୍ôଥକ ସହାୟତା କେନ୍ଦ୍ର ସରକାର ପ୍ରଦାନ କରିବେ । ଏହାବ୍ୟତିତ ଗଣନା ବାହାରେ କେନ୍ଦ୍ର ଦ୍ୱାରା ଯୋଗ୍ୟ ବିବେଚିତ ହୋଇଥିବା ଥିବା ହିତାଧିକାରୀ ମଧ୍ୟ ଏହି ଯୋଜନାର ଲାଭ ପାଇପାରିବେ । ଦେଶର ୨୦ଟି ରାଜ୍ୟରେ ଆୟୁଷ୍ମାନ ଯୋଜନା ସମେତ ରାଜ୍ୟର ନିଜସ୍ୱ ଯୋଜନା ସମାନ୍ତରାଳ ଭାବେ କାର୍ଯ୍ୟକାରୀ ହେଉଛି । ଏହା ଦ୍ୱାରା ଏସଇସିସି ପରିଧି ବାହାରେ ଥିବା ଲୋକମାନେ ସ୍ୱାସ୍ଥ୍ୟବୀମାର ଲାଭ ପାଇପାରିବା ସହ ୫ ଲକ୍ଷରୁ ଅଧିକ ଆର୍ôଥକ ସହାୟତା ପାଇଛନ୍ତି । ଏହି ସବୁ ବ୍ୟବସ୍ଥା ସତ୍ୱେ ରାଜନୈତିକ ଅଭିସନ୍ଧି କାରଣରୁ ଓଡ଼ିଶା ସରକାର ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ଇଚ୍ଛାପ୍ରକାଶ କରୁନାହାନ୍ତି, ଯାହା ଓଡ଼ିଆ ଲୋକଙ୍କ ପାଇଁ ବଡ ଚିନ୍ତାର ବିଷୟ ବୋଲି ସାଂସଦମାନେ ପତ୍ରରେ ଉଲ୍ଲେଖ କରିଛନ୍ତି ।