କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ,ରାଜ୍ୟ ପୁସ୍ତକ ମହୋତ୍ସବ ‘ଅକ୍ଷର’ର ପଞ୍ଚମ ସଂଧ୍ୟାରେ ‘ସମ୍ବାଦ-ଆମ ଓଡ଼ିଶା’ ଷ୍ଟଲ୍ରେ ‘ଶ୍ରୀଜଗନ୍ନାଥଙ୍କ ରାଜଭୋଗ’ ଶୀର୍ଷକ ଏକ ଅଭିନବ ପୁସ୍ତକ ଲୋକାର୍ପିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମନ୍ଦିରର ପ୍ରାକ୍ତନ ଉପପ୍ରଶାସକ ତଥା ବିଶିଷ୍ଟ ଜଗନ୍ନାଥ ଗବେଷକ ଡକ୍ଟର ଭାସ୍କର ମିଶ୍ର ଏହାର ଲେଖକ ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ ଓ ‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ଏହି ପୁସ୍ତକକୁ ଲୋକାର୍ପଣ କରିଥିଲେ। ଲେଖକ ଡକ୍ଟର ମିଶ୍ରଙ୍କ ସମେତ ଶ୍ରୀମନ୍ଦିର ବଡ଼ସୁଆର ନିଯୋଗ ସଭାପତି ବିଶ୍ଵନାଥ ସାମନ୍ତରାୟ, ଶ୍ରୀମନ୍ଦିର ପ୍ରାକ୍ତନ ପ୍ରଶାସକ ମହୀମୋହନ ତ୍ରିପାଠୀ, ଅନନ୍ୟ ଜଗନ୍ନାଥ ସଂସ୍ଥାନର ମୁଖ୍ୟ ପୀତବାସ ରାଉତରାୟ ପ୍ରମୁଖ ଏହି ଉତ୍ସବରେ ଉପସ୍ଥିତ ଥିଲେ। ଆମ ଓଡ଼ିଶାର ରାଜ୍ୟ ସମ୍ପାଦକ ସ୍ବରାଜ ମିଶ୍ର ଉତ୍ସବର ସଂଚାଳନା କରିଥିଲେ।
ଶ୍ରୀମନ୍ଦିରରେ ଶ୍ରୀଜଗନ୍ନାଥଙ୍କୁ ନିବେଦିତ ଭୋଗ ଭାରତର ଅନ୍ୟାନ୍ୟ ଦେବ ମନ୍ଦିରର ଭୋଗଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଅନନ୍ୟ। ଏହା ପୁଣି ଏପରି ବିବିଧ ଯେ ତାହାର ସମକକ୍ଷ ଦୃଷ୍ଟାନ୍ତ ଅନ୍ୟତ୍ର ମିଳେ ନାହିଁ। ଏହାର ସୂଚନା ବିଭିନ୍ନ ସୂତ୍ରରୁ ଉପଲବ୍ଧ ହେଲେ ମଧ୍ୟ ସେ ସବୁର ପ୍ରସ୍ତୁତି ବିଧି ଓ ଉପାଦାନ ଆଦି ସମ୍ପର୍କରେ ସାଧାରଣରେ ପ୍ରାୟ କୌଣସି ତଥ୍ୟ ଜ୍ଞାତ ନୁହେଁ ତାହାକୁ ଦୃଷ୍ଟିରେ ରଖି ଡକ୍ଟର ମିଶ୍ର ପ୍ରତ୍ୟକ୍ଷ ସୂତ୍ରରୁ ସଂଗ୍ରହ କରି ବହୁ ନୂତନ ତଥା ପ୍ରାମାଣିକ ତଥ୍ୟ ଏହି ପୁସ୍ତକରେ ସଂକଳିତ କରିଛନ୍ତି। ଏହି ସବୁ ବିବରଣୀ ଭୋଗ ଗୁଡ଼ିକର ରଙ୍ଗିନ୍ ଫଟୋ ଚିତ୍ର ସହ ସଂକଳିତ ହୋଇଛି। ଏହି ଦୃଷ୍ଟିରୁ ଏହି ପୁସ୍ତକ
ଅନ୍ୟନ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ।
‘ସମ୍ବାଦ’ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଲେ, ଏହି ପୁସ୍ତକ ପ୍ରକାଶ କରିବା ‘ସମ୍ବାଦ- ‘ଆମ ଓଡ଼ିଶା’ର ସୌଭାଗ୍ୟ। ଦୀର୍ଘ ଦୁଇ ବର୍ଷ ପରିଶ୍ରମ ପରେ ଏହାକୁ ଲୋକାର୍ପଣ କରାଯାଇଛି। ମହାପ୍ରସାଦ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିବରଣୀ ଓ ଚିତ୍ରର କୌଣସି ସଂକଳନ ନଥିଲା। ଏହା ବହୁତ ଗୁରୁତ୍ଵପୂର୍ଣ୍ଣ ପଦେକ୍ଷେପ। ପ୍ରତ୍ୟେକ ଓଡ଼ିଆଙ୍କର ମହାପ୍ରସାଦ ପ୍ରତି ଦୁର୍ବଳତା ରହିଛି। ଏମିତି କେହି ନଥିବେ, ଯାହାଙ୍କୁ ମହାପ୍ରସାଦ ଭଲ ଲାଗେ ନାହିଁ |ମହାପ୍ରସାଦ ସେବନ କଲେ ପେଟ ପୂରିଯାଏ କିନ୍ତୁ ମନ କେବେ ପୂରେନାହିଁ। ଜଗନ୍ନାଥ ସଂସ୍କୃତିରେ ମହାପ୍ରସାଦର ଏକ ବିଶେଷତ୍ଵ ରହିଛି। ଏହି ବିବରଣୀକୁ କେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚା ଯାଇପାରିବ, ତାହାକୁ ନେଇ ‘ସମ୍ବାଦ’ ଗ୍ରୁପ୍ ପକ୍ଷରୁ ପ୍ରୟାସ କରାଯିବ ଗବେଷକମାନଙ୍କୁ ସାଧାରଣଲୋକଙ୍କ ସହ ମଧ୍ୟ ଏହି ପୁସ୍ତକ ସାହାଯ୍ୟ କରିବ ବୋଲି ସେ କହିଥିଲେ।
‘ଆମ ଓଡ଼ିଶା’ ପ୍ରକାଶନର ସମ୍ପାଦକ ଅସିତ ମହାନ୍ତି କହିଲେ, ଶ୍ରୀମନ୍ଦିର ତଥା ସମୃଦ୍ଧ ଖାଦ୍ୟ ସଂସ୍କୃତିର ପରିଚୟ ପାଠକ ପାଠିକା ଏଥିରୁ ପାଇପାରିବେ । ପ୍ରସ୍ତୁତି ବିଧି ଓ ଉପାଦାନ ସମ୍ପର୍କରେ ବିବରଣୀ ଥିବା ଦୃଷ୍ଟିରୁ ଚାହିଁଲେ ନିଜ ନିଜ ପାକଶାଳାରେ ତାହାର ପରୀକ୍ଷା ପ୍ରୟୋଗ କରିପାରିବେ ବୋଲି ଶ୍ରୀ ମହାନ୍ତି କହିଥିଲେ।‘ଶ୍ରୀଜଗନ୍ନାଥଙ୍କ ରାଜଭୋଗ’ ପୁସ୍ତକର ମାହାତ୍ମ୍ୟ, ପ୍ରଥମ ପରିଚ୍ଛେଦରେ ଶ୍ରୀମହାପ୍ରସାଦ, ପୁରାଣ ଆଦି ଗ୍ରନ୍ଥରେ ଶ୍ରୀମହାପ୍ରସାଦ ଛପନଭୋଗ, ମାଦଳା ପାଞ୍ଜିରେ ଭୋଗର ବର୍ଣ୍ଣନା ସ୍ଥାନ ପାଇଛି । ଦ୍ବିତୀୟ ପରିଚ୍ଛେଦରେ ରାଜଭୋଗ, ଗୋପାଳବଲ୍ଲଭ, ଭୋଗମଣ୍ଡପ (ବିକ୍ରୟ ଓ ବରାଦି ଭୋଗ)ର ସଚିତ୍ର ବିବରଣୀ ସ୍ଥାନିତ ହୋଇଛି ।
ସେହିପରି ତୃତୀୟ ପରିଚ୍ଛେଦରେ ଶୁଖିଲି ଭୋଗ, ବିଶେଷ ପର୍ବାଣି ଭୋଗ ଓ ମହାପ୍ରଭୁଙ୍କ ବିଡ଼ିଆ ପାନ ବିଷୟରେ ରଙ୍ଗୀନ ଫଟୋ ଚିତ୍ର ସହ ବିବରଣୀ ରହିଛି । ଏହି ଲୋକାର୍ପଣ ଉତ୍ସବରେ ଉତ୍କଳ ସାହିତ୍ୟ ସମାଜ’ର ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ଜଗନ୍ନାଥଙ୍କ ଭକ୍ତ ନନ୍ଦକିଶୋର ଜେନା, ସାହିତ୍ୟିକ ସତ୍ୟନାରାୟଣ ମହାପାତ୍ର, ‘ଶ୍ରୀ ସାହିତ୍ୟ’ ପତ୍ରିକାର ସମ୍ପାଦକ କୃଷ୍ଣ ନାୟକ, କବି କେଦାର ମିଶ୍ର ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ପୁସ୍ତକ ମହୋତ୍ସବର ବି-୨/୬ ‘ସମ୍ବାଦ-ଆମ ଓଡ଼ିଶା’ ଷ୍ଟଲ୍ରେ ଏହି ପୁସ୍ତକ ବିଶେଷ ରିହାତିରେ ଉପଲବ୍ଧ ହେବ। ପାଠକ ପାଠିକା ଓ ଗବେଷକ ଏହାର ସୁଯୋଗ ନେବାକୁ ଆମ ଓଡ଼ିଶା ପକ୍ଷରୁ ସ୍ବରାଜ ମିଶ୍ର ସୂଚନା ଦେଇଛନ୍ତି।
Related Stories
November 24, 2024
November 24, 2024