ଭୁବନେଶ୍ୱର, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ଦାବିରେ ହଙ୍ଗାମା କରିବା ଓକିଲ ସଂଘକୁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେମାନଙ୍କ ଆଚରଣ ଉପରେ କ୍ଷୁବ୍ଧ ସୁପ୍ରିମ କୋର୍ଟ ହାଇକୋର୍ଟ ବେଂଚ ଦାବିକୁ ମଧ୍ୟ ଖାରଜ କରିଛନ୍ତି । ଭୌଗୋଳିକ ଓ ବୈଷୟିକ ସୁବିଧା ଦୃଷ୍ଟିରୁ ଆଉ ବେଂଚର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମ କୋର୍ଟ କହିଛନ୍ତି ।
ଓକିଲ ସଂଘର ଆବେଦନ ଉପରେ ଶୁଣାଣି କରି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେବାର କୌଣସି ସମ୍ଭାବନା ନଥିବା କହିଛନ୍ତି ସୁପ୍ରିମକୋର୍ଟ । ସମ୍ବଲପୁର ଜିଲ୍ଲାରେ ସ୍ଥାୟୀ ହାଇକୋର୍ଟ ବେଂଚ ପ୍ରତିଷ୍ଠା ନେଇ ରାଜ୍ୟ ଆଇନଜୀବୀମାନେ କରିଥିବା ଆବେଦନ ଉପରେ ବୁଧବାର ଶୁଣାଣି କରିଥିଲେ ଜଷ୍ଟିସ୍ ଏସ.କେ କୌଲ୍ ଏବଂ ଅଭୟ ଏସ୍ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ । ଏହି ଶୁଣାଣି ସମୟରେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଖଣ୍ଡପୀଠ ।
ସୁପ୍ରିମ୍ କୋର୍ଟ କହିଛନ୍ତି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଂଚ ସ୍ଥାପନ କରିବାର କୌଣସି ପ୍ରଶ୍ନ ଉଠୁ ନାହିଁ । ସମୟର ଗତି ଏବଂ ଟେକ୍ନୋଲୋଜିର ବ୍ୟବହାର ଏହି ଦାବିକୁ ପୁରୁଣା କରିଦେଇଛି । ଟେକ୍ନୋଲୋଜିର ବ୍ୟବହାର ବତମାନ ବ୍ୟାପକ ହୋଇଛି ଏବଂ ଓଡ଼ିଶା ହାଇକୋର୍ଟ ଦ୍ୱାରା ତଦାରଖ କରାଯାଉଛି । ହାଇକୋର୍ଟ ବେଂଚର ସ୍ଥାନାନ୍ତର କିମ୍ବା ପ୍ରତିଷ୍ଠା ଏଭଳି ଓକିଲମାନଙ୍କ ଦାବି ଅନୁଯାୟୀ କରାଯାଇପାରିବ ନାହିଁ ।
ସୁପ୍ରିମ୍ କୋର୍ଟ ଆହୁରି କହିଛନ୍ତି ଧର୍ମଘଟ କରିଥିବା ଓକିଲମାନଙ୍କ ଆଚରଣକୁ ଆମେ ନିନ୍ଦା କରୁଛୁ । ପୁଲିସ ସେମାନଙ୍କୁ କିଛି ସମୟ ପାଇଁ ହେଉ ପଛେ କଷ୍ଟଡିକୁ ନେବା ଉଚିତ । ଅପରାଧୀଙ୍କ ସହ ଅପରାଧୀଙ୍କ ଭଳି ବ୍ୟବହାର କରିବା ପାଇଁ ଆମେ ପୁଲିସ କର୍ତୃପକ୍ଷଙ୍କୁ କହିଛୁ । ଆଉ ଏକ ହାଇକୋର୍ଟ ବେଂଚ ଗଠନ ପାଇଁ କୌଣସି ଆଶା ନାହିଁ । ପଶ୍ଚିମ ଓଡ଼ିଶାରେ ବେଂଚ ସ୍ଥାପନର ଯାହା ବି ସମ୍ଭାବନା ଥିଲା, ଓକିଲଙ୍କ ଆଚରଣ ପାଇଁ ତାହା ଗଲା ।
ସେହିପରି ଭର୍ଚୁଆଲ ଶୁଣାଣି ସମୟରେ ଉପସ୍ଥିତ ଥିବା ଓଡ଼ିଶା ଡିଜିପି ଓ ଉତରାଂଚଳ ଆଇଜିଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଯଦି ଓଡ଼ିଶା ପୁଲିସ୍ ପାରୁନି, ତା’ହେଲେ ଆମେ ଅର୍ଦ୍ଧସାମରିକ ଫୋର୍ସ ଦେବୁ ବୋଲି କୋର୍ଟ କହିଛନ୍ତି । ୧୫ ପ୍ଲାଟୁନ ପୁଲିସ୍ ଫୋର୍ସ ମୁତୟନ ସତ୍ୱେ କେମିତି ଭଙ୍ଗାରୁଜା ହେଲା? ଏହା ଓଡ଼ିଶା ପୁଲିସ୍ ର ଚରମ ଅବହେଳା କହି ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମ୍ କୋର୍ଟ ।