
ଗଞ୍ଜାମ, ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଚାଂୟତ ଅନ୍ତର୍ଗତ ଧର୍ମପୁର ଗ୍ରାମରେ ଝାଡ଼ାବାନ୍ତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । ଦୁଇ ଦିନ ପୂର୍ବେ ଆକ୍ରାନ୍ତ ପରୀ ଗୌଡ଼ ନାମକ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଗତକାଲି ରାତିରେ କୁମାରୀ ପ୍ରଧାନ ନାମକ ଅନ୍ୟ ଜଣେ ୬୨ ବର୍ଷିୟ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ସେହିପରି ଡି. ସାବିତ୍ରୀ ଦୋରା (୫୦), କାଳିଆ ନାୟକ (୪୦), ଚକ୍ରପାଣି ଗୌଡ଼ (୬୫), କାଂଚନ ଗୌଡ଼ (୫୫), ଗଦା ପ୍ରଧାନ (୬୦), ଡି.ଗଦାଧର ଦୋରା (୫୮), ବିଜୟ ଡାକୁଆ (୪୫) ଓ ଆନନ୍ଦ ପ୍ରଧାନ (୬୫) ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ କେତେକ ଦିଗପହଣ୍ଡି ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ପୋଖରୀ, ନାଳ ଏବଂ ଖୋଲା କୂଅର ଦୂଷିତ ପାଣି ବ୍ୟବହାର ଯୋଗୁଁ ଝାଡ଼ାବାନ୍ତି ରୋଗ ବ୍ୟାପୁଥିବା ଅନୁମାନ କରାଯାଉଛି ।
ଅନ୍ୟପକ୍ଷରେ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀ, ଆଡ଼ପଡା ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡାକ୍ତର ବାହନ ଦାଶ ଓ ଭ୍ରାମ୍ୟମାଣ ଟିମ୍ ଏହି ଗ୍ରାମକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏହା ସହ ପାଣିକୁ ବିଶୋଧନ କରାଯିବା ସହ ଲୋକଙ୍କୁ ଏନେଇ ସଚେତନ କରାଯାଉଛି । ଏହି ସ୍ଥିତି ପାଇଁ ଜଳ ପରିମଳ କମିଟି ଗ୍ରାମ୍ୟ ଜଳଯୋଗାଣ ବିଭାଗର ପଦାଧିକାରୀ ଓ କର୍ତୃପକ୍ଷଙ୍କୁ ଦାୟୀ କରିଛି । ସେମାନଙ୍କ ଅଭିଯୋଗ ହେଉଛି, ଗ୍ରାମରେ ୩ ବର୍ଷ ହେଲା ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଉନାହିଁ । ଫଳରେ ଲୋକେ ଦୂଷିତ ପାଣି ପିଉଛନ୍ତି । ଆସନ୍ତା ୧୫ ତାରିଖ ସୁଦ୍ଧା ବିଶୁଦ୍ଧ ପାଣି ଯୋଗାଣ ନହେଲେ ଧର୍ମପୁର ଠାରେ ଦିଗପହଣ୍ଡି-ତପ୍ତପାଣି ରାସ୍ତାକୁ ଅବରୋଧ କରାଯିବ ବୋଲି ଜଳ ପରିମଳ କମିଟିର ସଭାପତି ଓମ୍ ପ୍ରସାଦ ସାହୁ, ସମ୍ପାଦକ ଏସ. ସୁନାକର ଦୋରା ଓ ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।