ସମ୍ବଲପୁର, ଆନ୍ଦୋଳନ ବେଳେ ଜିଲ୍ଲା ଜଜ୍ ଙ୍କ ଚାମ୍ବରରେ ପଶି ଓକିଲଙ୍କ ଭଙ୍ଗାରୁଜା ଘଟଣାରେ ୧୨ ଜଣ ଆଇନଜୀବୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଜି କଚେରି ଛକରୁ ୨ ଆଇନଜୀବୀଙ୍କୁ ଉଠାଇ ନେଇ ଗିରଫ କରିଛି ପୋଲିସ । ଫଳରେ ଘଟଣାରେ ଗିରଫଦାରୀ ସଂଖ୍ୟା ୧୪କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ ୯ ଜଣଙ୍କ ଜାମିନ୍ ନାମାଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ସିସିଟିଭି ଫୁଟେଜ୍ କୁ ଯାଂଚ୍ କରି ଅନ୍ୟମାନଙ୍କୁ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।
ଅନ୍ୟପକ୍ଷରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଚେରି ଛକରେ ୧୪୪ ଜାରି ହୋଇଛି । ଯେଉଁମାନେ ୨୦୦ ମିଟର ନିଷିଦ୍ଧାଚଂଳକୁ ଆସିବେ ସେମାନଙ୍କୁ ଗିରଫ କରାଯିବ । ସ୍ଥିତିକୁ ଦୃଷ୍ଟିରେ ରଖି ସହରରେ ତ୍ରିସ୍ତରିୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୨୧ ପ୍ଲାଟୁନ୍ ଫୋର୍ସ ମୁତୟନ ଅଛନ୍ତି । କେବଳ କୋର୍ଟ ପରିସରରେ ୧୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଆବଶ୍ୟକ ପଡିଲେ ଅଧିକ ଫୋର୍ସ ମୁତୟନ କରାଯିବ ବୋଲି କହିଛନ୍ତି ଏସପି ।
ପ୍ରକାଶ ଥାଉକି, ଘଟଣାରେ ଗତକାଲି ୨୯ ଜଣ ଓକିଲଙ୍କ ଲାଇସେନ୍ସକୁ ୧୮ ମାସ ପାଇଁ ବାତିଲ୍ କରିଛନ୍ତି ବାର୍ କାଉନସିଲ ଅଫ ଇଣ୍ଡିଆ । ଘଟଣାର ପ୍ରତିବାଦରେ ଗତକାଲି ରାଜ୍ୟର ବିଭିନ୍ନ ବାର୍ ଆସୋସିଏସନ ପକ୍ଷରୁ ସତ୍ୟାଗ୍ରହ କରାଯାଇଥିଲା ।
ଏଠାରେ ଉଲ୍ଲେଖଯୋଗ୍ୟ, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ସମ୍ବଲପୁରରେ ଆଇନଜିବୀଙ୍କ ଆନ୍ଦୋଳନ ଗତକାଲି ଉଗ୍ର ରୂପ ନେଇଥିଲା । କଚେରି ଛକ କୁରୁକ୍ଷେତ୍ର ପାଲଟିଥିଲା । ମୁହାଁମୁହିଁ ହୋଇଥିଲେ ଆନ୍ଦୋଳନରତ ଓକିଲ ଓ ପୁଲିସ୍ । ପୋଲିସ ଫୋର୍ସ ଉପସ୍ଥିତ ଥିବା ସତ୍ବେ କୋର୍ଟ ରୁମ୍ ଭିତରକୁ ଧଶେଇ ପଶିବା ସହ ସେଠାରେ ଭଙ୍ଗାରୁଜା କରିଥିଲେ ଆଇନଜିବୀ । ଏନେଇ ରାଜ୍ୟ ପୋଲିସ ଡିଜି ଓ ଉତରାଚଂଳ ଆଇଜିଙ୍କୁ ବୁଧବାର ଭିସିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।