ଭୁବନେଶ୍ୱର,ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗର ଟାଟା ପ୍ରୀତି ଏବଂ ଉପଭୋକ୍ତାଙ୍କୁ ଟିପିସିଓଡିଏଲର ଜୁଲମ୍ ପ୍ରତିବାଦରେ ମଙ୍ଗଳବାର ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଶତାଧିକ ଯୁବ କର୍ମୀ ଓଇଆରସି କାର୍ଯ୍ୟାଳୟ ସମ୍ମୁଖରେ ପ୍ଲାକାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଡ. ଲେଙ୍କା ଓଡ଼ିଶାର ଚାଷୀଭାଇମାନଙ୍କୁ ମାଗଣା ବିଦ୍ୟୁତ୍ ସେବା ପ୍ରଦାନ ସହ ଉପଭୋକ୍ତାମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ଦାବି କରିଛନ୍ତି ।
ଡ. ଲେଙ୍କା କହିଛନ୍ତି ଯେ, ଏବେ ରାଜ୍ୟର ସମସ୍ତ ବିଦ୍ୟୁତ୍ ବିତରଣ ପ୍ରକ୍ରିୟା ଟାଟା ପରିଚାଳିତ କମ୍ପାନି ଟିପିସିଓଡିଏଲ ହାତରେ ରହିଛି । ଗତ ଦୁଇ ବର୍ଷ ତଳେ ଆସିଥିବା ଏହି କମ୍ପାନି ଚାରି ଥର ଦର ବୃଦ୍ଧି ଘଟାଇ ରାଜ୍ୟର ୯୬ ଲକ୍ଷ ଉପଭୋକ୍ତା ପରିବାରଙ୍କୁ ଶୋଷଣ କରୁଛି । ଇଷ୍ଟିଇଣ୍ଡିଆ କମ୍ପାନି ଭଳି ଏହି ଘରୋଇ ସଂସ୍ଥା ଉପଭୋକ୍ତାଙ୍କ ଉପରେ ଜୁଲମ କରିବା ସହ ବିଭିନ୍ନ ଆଳରେ ମନଇଛା ବିଦ୍ୟୁତ୍ କାଟ୍ କରୁଛି । ଗ୍ରାମାଂଚଳରେ ଟିପିସିଓଡିଏଲ କର୍ମଚାରୀମାନଙ୍କ ଯୋଗୁ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । କମ୍ପାନି କର୍ମଚାରୀମାନେ କେତେବେଳେ ନୂଆ ମିଟର ବସାଇବାକୁ କହୁଛନ୍ତି ତ ପୁଣି କେତେବେଳେ ପୁରୁଣା ଦେୟ ବାକି ଅଛି କହି ହଠାତ୍ ବିଦ୍ୟୁତ୍ ସରବରାହ କାଟି ଦେଉଛନ୍ତି । ଓଡ଼ିଶା ଏକ ବିଦ୍ୟୁତ୍ ବଳକା ରାଜ୍ୟ ହୋଇଥିଲେ ମଧ୍ୟ ବିଦ୍ୟୁତ୍ ସଙ୍କଟ ପରିସ୍ଥିତି ସୃଷ୍ଟି କରାଯାଉଛି ।
ଏହି ଅବସରରେ ଡ. ଲେଙ୍କା ଓଇଆରସି କର୍ତୃପକ୍ଷଙ୍କ ସହ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିରେ ମୁଖ୍ୟତଃ ରାଜ୍ୟରେ ଉପଭୋକ୍ତାମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଯୋଗାଣ, ଚାଷ ପାଇଁ ସମ୍ପୂର୍ଣ୍ଣ ମାଗଣା ବିଦ୍ୟୁତ୍ ପ୍ରଦାନ, ବିଦ୍ୟୁତ୍ ସରବରାହର ଉନ୍ନତୀକରଣ, ରାଜ୍ୟରେ ଥିବା ସମସ୍ତ କେନ୍ଦ୍ରୀୟ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ରାଜ୍ୟକୁ ଉତ୍ପାଦନର ୧୫% ମାଗଣା ବିଦ୍ୟୁତ୍ ପ୍ରଦାନ, ରାଜ୍ୟରେ ଥିବା ସମସ୍ତ କ୍ୟାପ୍ଟିଭ୍ ପାୱାର ପ୍ଲାଂଟ୍ରୁ ଉତ୍ପାଦନର ୨୦% ରାଜ୍ୟକୁ ମାଗଣା ଯୋଗାଣ ଏବଂ ବିଦ୍ୟୁତ୍ ନିୟନ୍ତ୍ରଣକାରୀ ସଂସ୍ଥାକୁ ଏକ ପ୍ରହସନରେ ପରିଣତ ନକରି ଏହାକୁ ଅଧିକ ସଶକ୍ତ କରିବା, ଯେଉଁଥିରେ ସାଧାରଣ ନାଗରିକଙ୍କ ନିର୍ଦ୍ଧିଷ୍ଟ ପ୍ରତିନିଧି ରହିବେ ଓ କମ୍ପାନିମାନେ ଯଥାର୍ଥ କାରଣ ନଥାଇ କମିଶନଙ୍କ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରି ନପାରିଲେ ଜରିମାନା ଭରଣା କରିବେ ବୋଲି ଦାବି କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ରାଷ୍ଟ୍ରୀୟ ସମ୍ପାଦକ ତଥା ରାଜ୍ୟ ଯୁବ କଂଗ୍ରେସ ପ୍ରଭାରୀ ମିଲିନ୍ଦ ଗୌତମ, କୃଷ୍ଣ ମହାନ୍ତି, ରଞ୍ଜିତ ପାତ୍ର, ସୁବ୍ରତ ବେହୁରା, ଅଭିଷେକ ସେଠ, ସ୍ୱାଗତ କର, ନିରଞ୍ଜନ ନାୟକ, ବୀରେନ ଦଳେଇ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ ।