-
୨ଟି ହାଇକୋର୍ଟ ବେଂଚ ହେଲେ ଓଡ଼ିଶା ଠିକ୍ ରେ ଚାଲିବ : ସୁର ରାଉତରାୟ
-
ବ୍ଲେମ୍ ଗେମ୍ ଚାଲିଛି : ଦେବୀ ମିଶ୍ର
ଭୁବନେଶ୍ୱର, ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଚାଲିଥିବା ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି ମୁଁ ଓକିଲଙ୍କ ଆନ୍ଦୋଳନକୁ ସମର୍ଥନ କରୁଛି । ଆନ୍ଦୋଳନରେ ମୁଁ ଅଂଶ ବିଶେଷ । ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ କରିବା ସମସ୍ତ ନାଗରିଙ୍କର ଅଧିକାର । ଭାରତୀୟ ସମ୍ଭିଧାନ ଅନୁସାରେ ତାକୁ କେହି ବାରଣ ପାରିବେନି । ଏହି ସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ଦାୟୀ ।
ସେ କହିଛନ୍ତି, ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର କୌଣସି ଠୋସ୍ ପ୍ରସ୍ତାବ ଦେଇନାହାନ୍ତି । କିଛି ଦିନ ପୂର୍ବରୁ କେନ୍ଦ୍ର ଆଇନ ମନ୍ତ୍ରୀ ସଂସଦରେ ଏପରି କହିଥିଲେ । ଓଡ଼ିଶାରେ ହାଇକୋର୍ଟ ବେଂଚ କେଉଁଠି ହେବ, ସରକାର ସେ ବିଷୟରେ ଜଣାଇଲେ କେନ୍ଦ୍ର ସରକାର ପଦକ୍ଷେପ ନେବ । ହେଲେ ହାଇକୋର୍ଟ ବେଂଚ କେଉଁ ଜାଗାରେ ହେବ ସେଥିପାଇଁ ସରକାର ବିଧିବଦ୍ଧ ପ୍ରସ୍ତାବ ଆଣୁନାହାନ୍ତି । ଏହିସବୁ ସମସ୍ୟା ପାଇଁ ଓଡ଼ିଶା ସରକାର ଦାୟୀ ।
ଜୟନାରାୟଣ ଆହୁରି କହିଛନ୍ତି, ଓଡ଼ିଶାରେ ଗୋଟିଏ ଦୁଇଟି ହାଇକୋର୍ଟ ବେଂଚ ହେଲେ ଅସୁବିଧା କ’ଣ ଅଛି? ଡୋର ଷ୍ଟେପରେ ନ୍ୟାୟ ଦିଆଯିବ ବୋଲି ସରକାର କହୁଛନ୍ତି । ଯଦି ଲୋକଙ୍କୁ ଡୋର ଷ୍ଟେପରେ ନ୍ୟାୟ ଦିଆଯିବ, ତା’ହେଲେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହୋଇଗଲେ ଲୋକମାନଙ୍କୁ ପଇସା ଖର୍ଚ୍ଚ କରି କଟକ ଆସିବାକୁ ପଡ଼ିବନି । ହାଇକୋର୍ଟକୁ ଅନେକ କେସ ଆସୁଛି । ଯାହାଫଳରେ ହାଇକୋର୍ଟ ଭାରାକାନ୍ତ ହୋଇଯାଉଛି । ଯଦି ଅନ୍ୟ ଜାଗାରେ ହାଇକୋର୍ଟ ବେଂଚ ପ୍ରତିଷ୍ଠା ହେବ, ତା’ହେଲେ ହାଇକୋର୍ଟ ଉପରେ ବୋଝ କମିଯିବ । ହାଇକୋର୍ଟ ବେଂଚ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ କି? ରାଜ୍ୟ ସରକାର ସେଥିପାଇଁ ପ୍ରସ୍ତାବ ଦେଉନାହାନ୍ତି ବୋଲି ଜୟନାରାୟଣ କହିଛନ୍ତି ।
କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ସମ୍ବଲପୁର ଓ ଭୁବନେଶ୍ୱରରେ ଗୋଟିଏ ଗୋଟିଏ ଲେଖାଏଁ ହାଇକୋର୍ଟ ବେଂଚ ପ୍ରତିଷ୍ଠା କରାଯାଉ । ୨ଟି ହାଇକୋର୍ଟ ବେଂଚ ହେଲେ ଓଡ଼ିଶା ଠିକ୍ ରେ ଚାଲିବ । ବେଶୀ ଦିନ ଆନ୍ଦୋଳନ ନ କରି ଆଲୋଚନା ମାଧ୍ୟମରେ ସମ୍ଭାଧାନ କରାଯାଉ ।
ଅପରପକ୍ଷରେ ବିଜେଡି ଉପ ସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ବ୍ଲେମ୍ ଗେମ୍ ଚାଲିଛି । ପଶ୍ଚିମ ଓଡ଼ିଶାରେ କେଉଁଠି ହେବ, ତାହା ସମସ୍ତେ ମିଶିକି ନିଷ୍ପତି ନିଅନ୍ତୁ । ସେ ଆହୁରି କହିଛନ୍ତି ଯେ ସରକାରଙ୍କ ଉପରେ ଦୋଷ ଲଦିଲେ ହେବ ନାହିଁ । ସେମାନେ ଯାହା କହୁଛନ୍ତି ଅବାନ୍ତର କଥା । ସୁପ୍ରିକୋର୍ଟଙ୍କ ନିର୍ଦେଶ କିପରି ଅନୁପାଳନ କରାଯିବ ସେ ନେଇ ନିର୍ଦ୍ଦେଶ ଅଛି । ବାକି କଣ ପ୍ରୋସେସ, ପଶ୍ଚିମାଂଚଳରେ କେଉଁଠି ହେବ ଓ ତାଙ୍କର ଅଧିବକ୍ତା ସଂଘ ଯାହା କହିବେ ସେ ଅନୁସାରେ ହେବ । ଖାଲି ବ୍ଲେମ୍ ଗେମ୍ କଲେ ହେବନି । ସରକାରଙ୍କ ଉପରେ ଦୋଷ ଲଦିବା ଠିକ୍ ନୁହେଁ, ନିଜ ମୁହଁକୁ ଦର୍ପଣରେ ଦେଖନ୍ତୁ ।